ଆସିକା (ସମୃଦ୍ଧ ଓଡିଶା) ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଗ୍ୟତା ନିରୁପଣ ଏବଂ ଚାକିରିରେ ସଂସ୍ଥାପନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଉପଦେଷ୍ଟା ଡ. ସନ୍ତୋଷ କୁମାର ଚୌଧୂରୀ ବୈଠକ ପରିଚାଳନା ତଥା ସଂଯୋଜନା କରିଥିଲେ। ଅଧ୍ୟକ୍ଷ ଡ. ତ୍ରିପାଠୀ ନିଯୁକ୍ତି ଚ଼ୟନ ପ୍ରକ୍ରିୟା ବୈଠକର ଆଭିମୁଖ୍ୟ ସଂପର୍କରେ ବିଦ୍ୟାର୍ଥୀମାନଙ୍କୁ ଅବଗତ କରାଇଥିଲେ ଏବଂ ସ୍ମାତକ ପରିସମାପ୍ତି ପରେ ନିଜକୁ ସ୍ବାବଲମ୍ବନ ରୂପେ ଗଢିତୋଳିବା ପାଇଁ ଆହ୍ବାନ କରିଥିଲେ। ମହାବିଦ୍ୟାଳୟର ୱାର୍ଲ୍ଡ ବ୍ୟାଙ୍କ୍ ପ୍ରୋଜେକ୍ଟର ଉପଦେଷ୍ଟା ପ୍ରଫେସର ବିଘ୍ନରାଜ ପାଢ଼ୀ ମଧ୍ୟ ଅନୁରୂପ ମନ୍ତବ୍ୟ ପ୍ରଦାନ କରିଥିଲେ। ଆରୋହନ ନାମକ ଏକ ମାଇକ୍ରୋ ଫାଇନାନ୍ସ କଂପାନୀର ସହଭାଗିତାରେ ଏହି କାର୍ଯ୍ୟକ୍ରମଟି ସଂପାଦିତ ହୋଇପାରିଥିଲା। ଉକ୍ତ କଂପାନୀ ବ୍ରହ୍ମପୁର ଶାଖାର ଆଂଚଳିକ ମାନବ ସମ୍ବଳ ଅଧିକାରୀ ଏମ୍. ସୁବାସ ଚ଼ନ୍ଦ୍ର ରାଓ ଛାତ୍ରଛାତ୍ରୀଙ୍କୁ ଯୋଗ୍ୟତା ମୁତାବକ ଚାକିରି ପ୍ରଦାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ଗ୍ରାମାଂଚଳ ତଥା ସହରାଂଚଳ ର କ୍ଷୁଦ୍ର ବ୍ୟବସାୟୀଙ୍କୁ ବ୍ୟକ୍ତିଗତ ଲୋନ୍ ଏବଂ ବିବାହିତ ମହିଳା, କ୍ଷୁଦ୍ର ଉଦ୍ଦୋଗୀ ଯୁବକ, ଯୁବତୀ ମାନଙ୍କୁ ଗ୍ରୁପ୍ ଲୋନ୍ ଦେବା ପାଇଁ ଗ୍ରୁପ୍ ଲୋନ୍ କୋଅର୍ଡିନେଟର୍ ତଥା ପର୍ସନାଲ ଲୋନ କୋଅର୍ଡିନେଟର୍ ନିଯୁକ୍ତି ଚୟନ ପ୍ରକ୍ରିୟା ଦ୍ବାରା ନାମ ପଞ୍ଜୀକୃତ କରିବା ପାଇଁ ଆହ୍ବାନ କରିଥିଲେ। ଏହି ନିଯୁକ୍ତି ଚୟନ ପ୍ରକ୍ରିୟା ଦ୍ବାରା ଛାତ୍ର ଛାତ୍ରୀମାନେ ସ୍ବାବଲମ୍ବନ ହୋଇପାରିବେ ବୋଲି କହିଥିଲେ। ଆରୋହନ କଂପାନୀ ଆସିକା ଶାଖାର କ୍ଷେତ୍ରୀୟ ପରିଚାଳକ ଶ୍ରୀକାନ୍ତ କୁମାର ସାହୁ ମଧ୍ୟ କଂପାନୀର ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ସଂଦର୍ଭରେ ବିସ୍ତୃତ ବର୍ଣ୍ଣନା କରିଥିଲେ। ମହାବିଦ୍ୟାଳୟର ଯୋଗ୍ୟତା ନିରୁପଣ ତଥା ଚାକିରିରେ ସଂସ୍ଥାପନ ସଦସ୍ୟ ଅଧ୍ୟାପକ ଚିତ୍ରସେନ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ରାଜେଶ୍ କୁମାର ସାହୁ ସହଯୋଗ କରିଥିଲେ। ସଦସ୍ୟା ଅଧ୍ୟାପିକା ଶୈଲ୍ କୁମାରୀ ଝା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ଶତାଧିକ ସ୍ନାତକ ଡିଗ୍ରୀ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ