ସୋମବାର ମଧ୍ୟାହ୍ନରେ ଆନ୍ଧ୍ର ଓ ତାମିଲନାଡୁ ଛୁଇଁବ ଭୟଙ୍କର ବାତ୍ୟା ‘ପେଥାଇ’:ସଜାଗ ରହିବାକୁ ପ୍ରଶାସନର ସତର୍କ ଘଣ୍ଟି…

ବିଶାଖାପାଟଣା (ସମୃଦ୍ଧ ଓଡିଶା) ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ନ ବାତ୍ୟା ଆସନ୍ତା ସୋମବାର ଦିନ ମଧ୍ୟାହ୍ନରେ  ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳ ଭାଗ ଛୁଇଁବାର ଆଶଙ୍କା ରହିଛି । ପ୍ରଥମେ ‘ତିତଲି’ ଓଡ଼ିଶାରେ ତାଣ୍ଡବ ରଚିଥିବା ବେଳେ ଦ୍ଵିତୀୟରେ ‘ଗଜ’ ତାମିଲନାଡ଼ୁକୁ ଛାରଖାର କରି ଦେଇଥିଲା । ବର୍ତ୍ତମାନ ଝଡ଼୍‌ବାତ୍ୟାଟି ଗଭୀର ଅବପାତ ରୂପରେ ରହିଛି । ଆସନ୍ତାକାଲି ସକାଳ ସୁଦ୍ଧା ଗଭୀର ଅବପାତ ଘୂର୍ଣ୍ଣିଝଡ଼ର ରୂପ ନେବାପରେ ତାର ନାଁ ହେବ “ ପେଥାଇ” । ଏହି ନାଁଟି ଥାଇଲ୍ୟାଣ୍ଡ ପକ୍ଷରୁ ଦିଆଯାଇଛି । ପେଥାଇର ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ପଡ଼ିବାର ସମ୍ଭାବନା କମ୍‌ ଥିଲେ ହେଁ ଦକ୍ଷିଣ ଓଡ଼ିଶାରେ ବର୍ଷା ଏବଂ ପବନ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତାକାଲି ସନ୍ଧ୍ୟାରୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ । ସେହିଭଳି ୧୬ ଓ ୧୭ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ପେଥାଇ ପ୍ରଭାବରେ ଆସନ୍ତା ୧୬ ଓ ୧୭ ତାରିଖରେ ଆନ୍ଧ୍ର ପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ୧୭ ତାରିଖ ମଧ୍ୟାହ୍ନ ବେଳକୁ ପେଥାଇ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ । ଏହାର ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୯୫ରୁ ୧୦୫ କିମି ବେଗରେ ପବନ ବହିବ । ତାମିଲନାଡ଼ୁର ଚେନ୍ନାଇ ସମେତ ଏକାଧିକ ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ଆଶଙ୍କା ରହିଛି । କିନ୍ତୁ ପେଥାଇର ସିଧାସଳଖ ପ୍ରଭାବ ତାମିଲନାଡୁ ଉପରେ ପଡ଼ିବ ନାହିଁ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ପୂର୍ବାନୁମାନ କରିଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗଭୀର ଅବପାତ ଆସନ୍ତାକାଲି ଘୂର୍ଣ୍ଣିଝଡ଼୍‌ରେ ପରିଣତ ହେବ । ସେହିଭଳି ରବିବାର ସକାଳେ ଏହା ଘନୀଭୂତ ହୋଇ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ଏହା ୧୭ ତାରିଖ ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବା ପରେ ସନ୍ଧ୍ୟା ବେଳକୁ ପୁଣି ଦୁର୍ବଳ ହୋଇ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଯିବ । ପେଥାଇ ଆନ୍ଧ୍ରର ଓଙ୍ଗୋଲ ଓ କାକିନାଡ଼ା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ରହିଛି । ଡିସେମ୍ବର ୧୫ ତାରିଖ ସନ୍ଧ୍ୟାରୁ ହିଁ ଆନ୍ଧ୍ର ପ୍ରଦେଶରେ ବର୍ଷା ଆରମ୍ଭ ହୋଇଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ୪ ଦିନ ଯାଏ ଏହା ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି । ସେହିପରି ଯେଉଁମାନେ ଗଭୀର ସମୁଦ୍ରରେ ଅଛନ୍ତି, ସେମାନଙ୍କୁ ତୁରନ୍ତ କୂଳକୁ ଫେରି ଆସିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।