


ଆପଣମାନେ ଜାଣିଥିବେ ଅଥବା ମନେ ଥାଇପାରେ ୭୦ରୁ ୯୦ ଦଶକ ମଧ୍ୟରେ ଆମେରିକାର ଓ ପାଶ୍ଚାତ୍ୟର ଅନେକରାଜନେତା/ଶାସକ ଭାରତ ସରକାରୀ ପରିଭ୍ରମଣରେ ଆସୁଥିଲେ, ରୀତିଟା ଏଇଭଳି ଥିଲା, ପ୍ରଥମେ ନୂଆଦିଲ୍ଲୀ ଆସୁଥିଲେ,ଭାରତ ସରକାରଙ୍କ ସପକ୍ଷରେ ଵିଵୃତ୍ତି ଦେଉଥିଲେ,ଏଠାରୁଯାଉଥିଲେ,ପାକିସ୍ତାନର ସଲାମାବାଦ।ସେଠାରେ ଏପରି ଵିଵୃତ୍ତି ଦେଉଥିଲେ ଯାହା ଭାରତରେ ପ୍ରଦତ୍ତ ବିଵୃତ୍ତିର ସମ୍ପୂର୍ଣ୍ଣ ବିପରୀତ, ଯାହା ପାକିସ୍ତାନ ପକ୍ଷରେ ଯାଉଥିଲା, ଏହାଥିଲା ପାଶ୍ଚାତ୍ୟ ନେତାମାନଙ୍କର ଅଭ୍ୟାସଗତ । ଭାରତରେ ଥିଲା ବେଳେ ଭାରତକୁ ସୁହାଇଲା ଭଳି କଥା ଓ ପାକିସ୍ତାନରେ ତାଙ୍କୁ ସୁହାଇବା ଭଳି କଥା,ଯାହା ଭାରତର ସ୍ବାର୍ଥର ବିପରୀତ, ରୀତିମତ ଦୁହିଁଙ୍କମଧ୍ୟରେ ଗଣ୍ଡଗୋଳକୁ ତେଜାଇବା ଭଳି କଥା,ଏମିତି ପ୍ରାୟ ଚାଲିଥିଲା,ଅଧିକାଂଶ ପାଶ୍ଚାତ୍ୟ ନେତାଙ୍କର ଏଇଭଳି ମନୋଭାବ / କାର୍ଯ୍ୟକଳାପ ଥିଲା । ୯୦ ଦଶକ ପରେ ଭାରତର ଟାଣପଣ ଦେଖି ଏସବୁ କମିଆସିଥିଲା, ଏଵେ ତ ଭାରତ,ବିଶ୍ଵରେ ଏକ ସ୍ୱୟଂସମ୍ପୂର୍ଣ୍ଣ ଶକ୍ତି କହିଲେ ଅତ୍ୟୁକ୍ତି ହେବନାହିଁ,ଏବେ ଆଉ ସେ ଅଭ୍ୟାସ ନାହିଁ ।ମାତ୍ର ଏଇ ନିକଟରେ ଏକାଭଳି ଘଟଣାର ପୁନରାବୃତ୍ତି ହୋଇଛି । ଏଇ ୨୩ ସେପ୍ଟେମ୍ବର ୯ ଓ ୧୦ ଦୁଇଦିନ ଧରି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ଜି-୨୦ ଦେଶମାନଙ୍କର ଶୀର୍ଷ ବୈଠକ,ପୃଥିବୀର ଅନେକ ଦେଶର ଶୀର୍ଷ ନେତୃମଣ୍ଡଳୀ ଏଥିରେ ଯୋଗଦେଇଥିଲେ ଏବଂ ଭାରତର ଭବ୍ୟ ଆତିଥ୍ୟରେ ଆପ୍ୟାୟିତ/ମୁଗ୍ଧ ହୋଇ ଆନନ୍ଦିତ ମନରେ ବିଦାୟ ନେଇଥିଲେ।ଏଥିରେ ଏକ ବ୍ୟତିକ୍ରମ ହୋଇଥିଲା ମଧ୍ୟ,କାନାଡା ପ୍ରଧାନମନ୍ତ୍ରୀ,ଜଷ୍ଟିନ୍ ଟ୍ରୁଡୋଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟିହେତୁ ସିଏ ଅଧିକ ୨ଦିନ ରହିଥିଲେ ନୂଆଦିଲ୍ଲୀରେ ସେଇ ରାଜକୀୟ ଅତିଥିଭାବେ । କିନ୍ତୁ ଏଇ ଅଧିକ ଦିନର ଅଧିକ ପ୍ରତିକ୍ରୀୟା ଅଛି ନାଁ ! ଏଠାରୁଯାଇ କାନାଡାରେ ପହଞ୍ଚିବାପରେ ଜଷ୍ଟିନ୍ କାନାଡ଼ାରେ ଗତ ଜୁନମାସରେ ମର୍ଡର ହୋଇ ଥିବା ତଥା କଥିତ ଖଲିସ୍ଥାନୀ ନେତା ହରଦୀପ ସିଂ ନିଜାରର ମୃତ୍ୟୁରେ ଭାରତର ହାତ ଥିବା ଅଭିଯୋଗ କରିଛନ୍ତି (୧୮-୦୯-୨୩) ଓ ପରଦିନ ଭାରତୀୟ ଦୂତାବାସ ର ଜଣେ ବରିଷ୍ଠ ଅଧିକାରୀ,ପବନକୁମାର ରାୟ (କାନାଡାରେ ଅବସ୍ଥାପିତ ଭାରତୀୟ ‘ର’ ଅଧିକାରୀ) ଙ୍କୁ ବହିଷ୍କାର ଘୋଷଣା କରିଛନ୍ତି। ଆଜିପର୍ଯ୍ୟନ୍ତ ଯୋଉଠି ଏଭଳି ପରିସ୍ଥିତି ଉପୁଜିଛି, ସବୁଠି ନୀରବରେ କାର୍ଯ୍ୟ ହୋଇଛି, ସର୍ବ ସାଧାରଣରେ ଘୋଷଣା ମାଧ୍ୟମରେ ନୁହେଁ । କାନାଡା ଏ କ୍ଷେତ୍ରରେ “ଅଧିକ ପ୍ରତିକ୍ରିୟା” ଦେଖାଇଛି । ଏମିତି ଵି କୃତଘ୍ନ ଅଛନ୍ତି, ଅବଶ୍ୟ ଜଷ୍ଟିନ୍ ଏ ପରିପ୍ରେକ୍ଷୀରେ ନିଜ ସ୍ବାର୍ଥ ଦେଖିଛନ୍ତି, ନିଜ ଗାଦୀ ସୁରକ୍ଷିତ ରଖିବା ସକାଶେ ତଥାକଥିତ ଶିଖ ଗୋଷ୍ଠୀ, “ଶିଖ ଫର ଜଷ୍ଟିସ୍” ଇତ୍ୟାଦିର ସମର୍ଥନ କରିଛନ୍ତି, ମାତ୍ର ଏହା ତ ନୂଆଦିଲ୍ଲୀର ଜି-୨୦ ଶୀର୍ଷ ସମ୍ମିଳନୀର ଘୋଷଣାର ବିରୁଦ୍ଧାଚରଣ ତା’ପୁଣି ନିକଟରେ ଅନୁଭବକରିଥିବା ଭବ୍ୟ ଆତିଥେୟତାର ପ୍ରତି ବଦଳରେ, ଏମିତି କେମିତି ହୋଇପାରେ, ମଣିଷ ଏଭଳି ଅକୃତଜ୍ଞ ହୋଇପାରେ କେମିତି ? ଉଲ୍ଲେଖ ଯୋଗ୍ୟ କାନାଡାରେ ଖଲିସ୍ଥାନୀ ଆନ୍ଦୋଳନ ଅନେକ ବର୍ଷହେଲା ସକ୍ରୀୟ, ଆମ ଦେଶରେ ଏ ଆନ୍ଦୋଳନକୁ ବଞ୍ଚାଇ ରଖିବାକୁ ପ୍ରଚୁର ପଇସା ଆସୁଛି କାନାଡା ଆଦି ପାଶ୍ଚାତ୍ୟ ଦେଶର ଖଲିସ୍ଥାନୀ ଗୋଷ୍ଠୀମାନଙ୍କଠାରୁ।ବର୍ତ୍ତମାନ ଶିଖ ଫର ଜଷ୍ଟିସ,SFJମୁଖ୍ୟ ଗୁରପତୱନ୍ତ ସିଂ ପନ୍ନୁନ (ପନ୍ନୁ),ଦୁଲଖୁସ୍ ସିଂ ଓରଫ ସୁକଖା (ନିକଟରେ ମର୍ଡର ହୋଇଛି) ଆଦି ନେତା ଖଲିସ୍ଥାନୀ ଆନ୍ଦୋଳନକୁ ଉଜ୍ଜୀବିତ ରଖିଛନ୍ତି କାନାଡାରେ । ସେତିକି ନୁହେଁ ବର୍ତ୍ତମାନ ପନ୍ନୁ ଭାରତୀୟ ହିନ୍ଦୁମାନଙ୍କୁ କାନାଡା ଛାଡି ଚାଲିଯିବାକୁ ଧମକଦେଇଛି, ଯାହାକୁ ସେଠାର ସାଂସଦମାନେ ନିନ୍ଦା କରିଛନ୍ତି, ପୂର୍ବରୁ ଭାରତୀୟ ଛାତ୍ରମାନଙ୍କଠାରୁ ଖଲିସ୍ଥାନୀ ଆନ୍ଦୋଳନ ପାଇଁ ଜୋର ଜବରଦସ୍ତ ଚାନ୍ଦା ଆଦାୟର ଅନେକ ଅଭିଯୋଗ ଅଛି। ପୁନଶ୍ଚ ‘ଦି ଇଣ୍ଟେଲ କନର୍ସୋଟିୟମ’,’ଇସାହମାଦ’,’ସାଉଥ୍ ଇଣ୍ଡିଆ ଇଣ୍ଡେକ୍ସ’,’ସାଉଥ୍ ଏସିଆନ୍ ହ୍ୟୁମ୍ୟାନ ୱାଚ’ ଆଦି ୱେବସାଇଟଗୁଡିକ ଖଲିସ୍ଥାନୀଙ୍କ ଵିକ୍ଷୋଭ ଦୃଶ୍ୟ ପ୍ରସାରଣ କରିବା ସହିତ ଭାରତବିରୋଧରେ ଜୋରଦାର ଅପପ୍ରଚାର ଚଳାଇଛନ୍ତି ।କଥା ଏତେଦୂର ଗଲାଣି ସେମାନେ ଆଉ କାନାଡା ସରକାରକୁ ଖାତିର କରୁନାହାନ୍ତି ! ଏମିତି ଆଉ ଜଣେ ନେତା, ଆମେରିକାରରାଷ୍ଟ୍ରପତି ଜୋ ବାଇଡେନ୍ ଭାରତରୁଗଲାପରେ ଭିଏତନାମରେ,ଭାରତରେ ମାନବାଧିକାର ହନନର ଅଭିଯୋଗ କରିଛନ୍ତି,ଯାହାକୁ ଗଣ୍ଠିକରି ବିରୋଧୀଦଳ ବିଶେଷ- କରି କଂଗ୍ରେସଦଳ ସରକାରଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିଛି, ମାତ୍ର ଜି-୨୦ର ସଫଳତାର ଆଲୋକ ଆଗରେ ସେସବୁ ଫିକା ପଡିଯାଇଛି ।ଏହାକୁ କହନ୍ତି,ମୁହଁରେ ଗୋଟେ କଥା,ପଛରେ ଆଉ ଏକ କଥା, ଯାହାକୁହନ୍ତି,”ମୁହଁ ମେ ରାମ୍,ବଗଲ ମେ ଛୁରା”, ପାଶ୍ଚାତ୍ୟଗୋଷ୍ଠୀର ଗାଲୁଆମୀ ଯାଇନାହିଁ !କାନାଡ଼ାର ଏପ୍ରକାରଅଭାବନୀୟ ପ୍ରତିକ୍ରୀୟାର ଭାରତ ଜୋରଦାର ବିରୋଧକରିଛି,ଯେସାକୁ ତେସାନ୍ୟାୟରେ ଭାରତ କାନାଡ଼ାର ଜଣେ ଵରିଷ୍ଠ କୁଟନୀତିଜ୍ଞଙ୍କୁ ୫ଦିନ ମଧ୍ୟରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି ।ତା’ପରେ,ଜୁନ ମାସର ଘଟଣା ପାଇଁ କାନାଡା ଏତେଦିନ ଅପେକ୍ଷା କରିଥିଲା କାହିଁକି ? କାନାଡ଼ାର ଏହି ଅଭିଯୋଗରେ ହଠାତ୍ ଆମେରିକା,ବ୍ରିଟେନ୍,ଅଷ୍ଟ୍ରେଲିଆ କେହି ତା ସପକ୍ଷରେ ବାହାରି ନ ଥିଲେ, କିଛିଦିନ ଅନ୍ତରରେ ଦେଖାଯାଉଛି,ଏସବୁ ଦେଶ ଧୀରେ ଧୀରେ କାନାଡା ସପକ୍ଷରେ ବାହାରିଛନ୍ତି,ଯଦିଓ ପ୍ରତ୍ୟକ୍ଷରେ ନୁହେଁ ।ତେଣୁ ଏହା ଏକ ଷଡ଼ଯନ୍ତ୍ରର ଅଂଶବିଶେଷ ବୋଲି ବିବେଚନା କରାଯାଉଛି ।ପ୍ରଣିଧାନର ବିଷୟ,ନିଜ ଘରେ ଖାଇବାକୁ ନଥିବାବେଳେ ଭିକମଙ୍ଗା ପାକିସ୍ତାନ,ଖଲିସ୍ଥାନୀ ଆନ୍ଦୋଳନକୁ ପାଣ୍ଠିଯୋଗାଉଛି ଆଇଏସଆଇ ମାଧ୍ୟମରେ ।ସଦ୍ୟତମ ଖବରାନୁଯାୟୀ ଆମେରିକା,କାନାଡା,ବ୍ରିଟେନ୍, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆର ମିଳିତ ପ୍ରଚେଷ୍ଟାରେ ଗଠିତ”ଫାଇଭ ଆଇ(FVEY)” ନାମକ ଗୁଇନ୍ଦା ସଂସ୍ଥା ଏହି ଅଭିଯୋଗର ତଦନ୍ତ କରିବାକୁ ସଦସ୍ୟଦେଶମାନେ ବିବୃତ୍ତି ଦେଲେଣି !ଏଦିଗରେ ଅତ୍ୟନ୍ତ କଡ଼ା ଆଭିମୁଖ୍ୟ ଗ୍ରହଣକରି ଭାରତ ଶକ୍ତ ପଦକ୍ଷେପ ସ୍ବରୂପ କାନାଡା ନାଗରିକଙ୍କ ନିମନ୍ତେ ‘ଭିସା’ର କଡାକଡି ପ୍ରଚଳନ ହେବାର ଘୋଷଣାକରିଛି ଏବଂ କାନାଡା ଗସ୍ତ ଅପେକ୍ଷାରେ ଥିବା ଭାରତୀୟ ଓ କାନାଡ଼ାରେ ଥିବା ଭାରତୀୟ ସମସ୍ତଙ୍କ ନିମନ୍ତେ ମାର୍ଗଦର୍ଶିକା ଜାରିକରିଛି ।ଏଇଠି ଗୋଟିଏ କଥା,ଭାରତ ବିରୁଦ୍ଧରେ କୋୖଣସି ପ୍ରସଙ୍ଗ ଉଠିଲେ ପାଶ୍ଚାତ୍ୟ ଦେଶମାନେ ଏତେ ତତ୍ପର କାହିଁକି ବା ତାଙ୍କୁ ଏ ଅଧିକାର ଦେଲା କିଏ ?କାହିଁ ଭାରତ ତ ଏମିତି କେବେ କରିବାର ନଜିର ନାହିଁ ।ଏବେ ଏକଥାରେ ଭାରତକୁ ବରଂ ସମର୍ଥନକରିଛି ଚୀନ୍,ଅବଶ୍ୟ ଏଥିରେ ତା’ର କ’ଣ ଅନ୍ତର୍ନିହିତ ସ୍ବାର୍ଥ ଥାଇପାରେ ବା ଲକ୍ଷ ହେଲା ପାଶ୍ଚାତ୍ୟ ଗୋଷ୍ଠୀର ବିରୁଦ୍ଧାଚରଣ ।ଆମେରିକା ବିରୁଦ୍ଧରେ ତ ଏମିତି ରାଶି ରାଶି ମାମଲା ଅଛି ଆନ୍ତର୍ଜାତିୟ ସ୍ତରରେ ମାତ୍ର ଭାରତ ବିରୁଦ୍ଧରେ ଅଦ୍ୟାବଧି ଏପ୍ରକାର କୌଣସି ଉଦାହରଣ ନାହିଁ ! ୭୦ ଦଶକରୁ ଶିଖମାନେ ଧୀରେ ଧୀରେ ଯାଇ କାନାଡାରେ ବସବାସ କଲେ, ବିକାଶଶୀଳଦେଶ କାନାଡ଼ାର ଆର୍ଥିକ ପ୍ରାଚୁର୍ଯ୍ୟ ଓ ନ୍ୟସ୍ତ ସ୍ବାର୍ଥ ନିମନ୍ତେ କେତେକ ନେତାଙ୍କ ସମର୍ଥନ ପାଇ ଖଲିସ୍ଥାନୀ ଆନ୍ଦୋଳନର ଚାରା ସେଠାରେ ପଲ୍ଲବିତ ହେବାକୁ ଲାଗିଲା । ଖଲିସ୍ଥାନୀ ଆନ୍ଦୋଳନର ଵିଭିନ୍ନ ଗୋଷ୍ଠୀ ସେଠାରେ ଆଡ୍ଡାଜମାଇ ଭାରତରେ ଵିଭିନ୍ନ ବିକ୍ଷୋଭ/ହରତାଳ ଇତ୍ୟାଦିସକାଶେ ପାଣ୍ଠି ଯୋଗାଇଚାଲିଲେ,ବିଭିନ୍ନ ସମୟରେ କାନାଡ଼ା ର ବିଭିନ୍ନ ରାଜନୀତିକଦଳମାନେ ନିଜନିଜର ସ୍ବାର୍ଥସକାଶେ ଏହି ଖଲିସ୍ଥାନୀ ଆନ୍ଦୋଳନକୁ ସକ୍ରୀୟ ସମର୍ଥନ ଜଣାଇ ଚାଲିଲେ।ସଦ୍ୟତମଭାବେ କାନାଡ଼ାରଅଧୁନା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ରାଜନୈତିକ ଫାଇଦା ପାଇଁ ଖଲିସ୍ଥାନୀ ଆତଙ୍କବାଦୀ ମାନଙ୍କୁ ସମର୍ଥନ ଜଣାଇଛନ୍ତି। ମାତ୍ର ନିୟମ କହୁଛି,”ଦ୍ଵୟର ଵିଵାଦେ ତୃତୀୟଶ୍ଚ ଲାଭ”,ଫଳରେ ସର୍ବେକ୍ଷଣରେ ଟ୍ରୁଡୋଙ୍କଲୋକପ୍ରିୟତା କମିଯିବାର(୩୦ %)ସୂଚନାଆସିଲାଣି,ଅଧିକନ୍ତୁ କାନାଡା ବିରୋଧୀଦଳ ଟ୍ରୁଡୋଙ୍କ ଅଭିଯୋଗର ଠୋସ୍ ପ୍ରମାଣ ମାଗିଲେଣି । ପୁଣି ଭାରତର ଅନମନୀୟତା ଦେଖି ଟ୍ରୁଡୋ ନରମିବାର ସମ୍ବାଦ ଆସୁଛି,ମାତ୍ର ଜଷ୍ଟିନଙ୍କ ପାଇଁ ସବୁଆଡୁ କ୍ଷତି,ଆସନ ତ ଯାଇ ପାରେ ତା’ସାଙ୍ଗକୁ ବଦନାମ ମାହାଳିଆ !ଧନଶାଳୀ/ବିକାଶଶୀଳ ଦେଶ ହେଲେ ମଧ୍ୟ ଆନ୍ତର୍ଜାତିୟ ସ୍ତରରେ ସେମିତି କିଛି ପ୍ରଭାବ ନାହିଁ କାନାଡ଼ାର, ଫ୍ରାନ୍ସ, ବ୍ରିଟେନ୍, ଜର୍ମାନୀ ତୁଳନାରେ । ଖାଲି ଭାରତୀୟ ଛାତ୍ରମାନେ କାନାଡା ଅର୍ଥନୀତିର ଅଭିବୃଦ୍ଧିରେ ଏକ ବଡ଼ ଅଂଶୀଦାର,ଏବେ କାନାଡାରେ ରହୁଥିବା ୮ଲକ୍ଷ ଛାତ୍ରମାନଙ୍କ ମଧ୍ୟରୁ ୪୦% ଭାରତର, ଯୋଉମାନେ ଭାରତ ସରକାରଙ୍କ ମାର୍ଗଦର୍ଶିକାକୁ ଅପେକ୍ଷା କରିଛନ୍ତି । ପୁଣି ଭାରତ ଏବେ ବିଶ୍ଵରେ ବିଶ୍ଵଗୁରୁ କହିଲେ ଚଳେ, ସେ ସମୟରେ ଟ୍ରୁଡୋଙ୍କ ଏ ବାଚାଳାମୀ ନିଜ ଗୋଡ଼ରେ କୁରାଢ଼ୀ ମାରିବା କହିଲେ ଅସମୀଚିନ ହେବନାହିଁ !
ଲେଖକ : ଜୟନ୍ତ ପଟ୍ଟନାୟକ ୯୦୯୦୧ ୯୦୦୬୯