ଇମ୍ଫା ପକ୍ଷରୁ ବଂଶୀଧର ଇଲା ପଣ୍ଡା ସାରସ୍ୱତ ସାଧନା ସମ୍ମାନ-ଓଡିଶାର ୧୪ ଜଣ ବିଶିଷ୍ଟ କଳାକାରଙ୍କୁ ସମ୍ମାନିତ …

ରାୟଗଡ଼ା (ସମୃଦ୍ଧ ଓଡିଶା) ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ୍‍ ମେଟାଲ୍‍ସ୍‍ ପବ୍ଲିକ୍‍ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହୋଇଯାଇଛି ବଂଶୀଧର ଇଲା ପଣ୍ଡା ସାରସ୍ୱତ ସାଧନା ସମ୍ମାନ ସମାରୋହ । ରାୟଗଡା ଜିଲ୍ଲା ଥେରୁବାଲି ସ୍ଥିତ ଇଂଫା କ୍ଲବ୍‍ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପିସିସିଏଫ୍‍(କେନ୍ଦୁପତ୍ର) ଡଃ. ଅଜୟ ମହାପାତ୍ର, ଇଂପାକ୍ଟର ଅଧ୍ୟକ୍ଷା ପାରମିତା ମହାପାତ୍ର, ପ୍ରଖ୍ୟାତ ଲେଖକ ମନ୍ମଥ କୁମାର ଶତପଥୀ, ଶିକ୍ଷାବିତ୍‍ ଡଃ. ଦୁଷ୍ମନ୍ତ କୁମାର ମହାନ୍ତି ଇଂଫା କର୍ପୋରେଟ୍‍ ଏଫେୟାର୍ସ ଉପସଭାପତି ଅଶୋକ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଓଡିଶାର କୃତୀବିତ୍‍ ପ୍ରତିଭାଧାରୀ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ଇଣ୍ଡିଆନ୍‍ ମେଟାଲ୍‍ସ୍‍ ପବ୍ଲିକ୍‍ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରଖ୍ୟତ ନୃତ୍ୟ, ସଙ୍ଗୀତ, ପାଲା ଗାୟକ, ନାଟ୍ୟକାର, ଅଭିନୟ, ଲୋକନୃତ୍ୟ, ବାଦ୍ୟଶିଳ୍ପୀ ପ୍ରଭୃତି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୪ ଜଣ ବିଶିଷ୍ଟ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପ୍ରତ୍ୟେକ କଳାକାରଙ୍କ ୫୧ ହଜାର ଟଙ୍କା ସମ୍ମାନରାଶି ପ୍ରଦାନ କରାଯାଇଛି । ଥେରୁବାଲି ଇଂଫା ପରିସରରେ ଆୟୋଜିତ ଏହି ଉତ୍ସବରେ ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଶେଷରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଓଡିଶୀ ନୃତ୍ୟ, ଦାଣ୍ଡିଆ ନୃତ୍ୟ ପ୍ରଭୃତି ମନୋରଞ୍ଜନ କାର୍ଯ୍ୟକ୍ରମକୁ ବେଶ୍‍ ଉପଭୋଗ କରିଥିଲେ । ଓଡିଶାର ପ୍ରଖ୍ୟାତ ବିରଳ କଳାଶିଳ୍ପୀ ପ୍ରତିଭାଙ୍କୁ ଚିହ୍ନଟ କରି ସ୍ୱୀକୃତୀ ପ୍ରଦାନ କରିବା ସହ ଏହି କଳା ବିକାଶ କରିବା କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ଆୟୋଜକ କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଈମ୍ଫାର ବରିଷ୍ଠ ମହା ପ୍ରବନ୍ଧକ ଶ୍ରୀ କେ. ଭି. ରାଓ ଉପସ୍ଥିତ ଥିବା ବେଳେ ଈମ୍ଫା କମ୍ପାନୀର ଅନ୍ୟାନ୍ୟ ଅଧିକାରୀ ଓ ତାଙ୍କ ପରିବାର ବର୍ଗ ଏବଂ ଶ୍ରମିକ ସଂଗଠନର କର୍ମକର୍ତ୍ତା ସ୍ଥାନୀୟ ଅଞ୍ଚଳର ଭଦ୍ରବ୍ୟକ୍ତି ଓ ଲୋକ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ତୁଷାର କୁମାର ସାହୁ