ଇସ୍ପାତ ଓ ଖଣି ମନ୍ତ୍ରୀ କହିଲେ ‘ପଥର କାରିଗରମାନଙ୍କୁ କଞ୍ଚାମାଲ ଯୋଗାଇ ଦିଆଯିବ’

ଭୁବନେଶ୍ୱର(ସମୃଦ୍ଧଓଡିଶା)ରାଜ୍ୟର ପଥର କାରିଗରମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କଞ୍ଚାମାଲ ଯୋଗାଇଦେବା ସକାଶେ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ । ପଥର ଶିଳ୍ପୀମାନଙ୍କ ପାଇଁ ‘ଓଡ଼ିଶା ଆର୍ଟିସାନ୍‌ ଗ୍ରେଡ୍‌ ଷ୍ଟୋନ ପଲିସି-୨୦୨୧’ ପ୍ରଣୟନ କ୍ରମେ ବିଭିନ୍ନ ସୁବିଧା ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣିମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ପ୍ରକାଶ କରିଛନ୍ତି । ଆଜି ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଭାସ୍କର ପଦ୍ମବିଭୂଷଣ ଶିଳ୍ପୀଗୁରୁ ସୁଦର୍ଶନ ସାହୁ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟର ଶିଳ୍ପୀ ଓ କାରିଗରମାନଙ୍କୁ ଉପଯୁକ୍ତ ସହଯୋଗ କରିବା ନିମନ୍ତେ ଅନୁରୋଧ କରିଥିବାବେଳେ ମନ୍ତ୍ରୀ ଶ୍ରୀ ଜେନା ଏହା ପ୍ରକାଶ କରିଛନ୍ତି ।ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ପଥର ଖୋଦେଇ କାର୍ଯ୍ୟରତ କାରିଗରମାନଙ୍କ ଠାରୁ ବାର୍ଷିକ ଆବଶ୍ୟକତାର ତଥ୍ୟ ସଂଗ୍ରହ କରାଯିବ ଓ ଏହି କାର୍ଯ୍ୟରେ ନିୟୋଜିତ ଜିଲ୍ଲାୱାରୀ କାରିଗରଙ୍କ ସଂଖ୍ୟା ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପ୍ରଦାନ କରାଯିବ । କାରିଗରୀ ପଥର ଥିବା ସ୍ଥାନଗୁଡ଼ିକ ଚିହ୍ନଟ କରାଯିବ ଏବଂ ଓର୍‌ସାକ୍‌ ଜରିଆରେ ସେହି ସ୍ଥାନଗୁଡ଼ିକର ଜିଓ ରେଫରେନ୍ସ ମ୍ୟାପ୍‌ ପ୍ରସ୍ତୁତ କରାଯିବ । ପଥର ଶିଳ୍ପୀ ଓ କାରିଗରମାନଙ୍କ କଞ୍ଚାମାଲଜନିତ ସମସ୍ୟା ଦୂର ହେବ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି । ପଦ୍ମବିଭୂଷଣ ଶ୍ରୀ ସାହୁ ଆଲୋଚନା ସମୟରେ ରାଜ୍ୟ ଶିଳ୍ପୀ ମହାସଂଘ ବାବଦରେ ସୂଚନା ଦେବା ସହିିତ ପଥର କାରିଗରମାନଙ୍କ ସମସ୍ୟା ନେଇ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।
ରିପୋର୍ଟ : ରଜତ ମହାପାତ୍ର ଓ ସୂର୍ଯ୍ୟ ମିଶ୍ର, ସୂଚନା ଅଧିକାରୀ