ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସହ ଗଞ୍ଜାମ ଜିଲ୍ଲାର ସମ୍ପର୍କ ଥିଲା ଆବେଗିକ । ଗଞ୍ଜାମ ଥିଲା ଉତ୍କଳମଣିଙ୍କ ପ୍ରିୟ ପ୍ରବାସ । ୧୯୦୨ ମସିହାରେ ଉତ୍କଳମଣି, ପ୍ରଥମ ଥର ପାଇଁ ରମ୍ଭା ଗଞ୍ଜାମ ସମ୍ମିଳନୀରେ ଯୋଗଦାନ କରିଥିଲେ, ସେହିବର୍ଷ ଶେଷ ବେଳେ ବ୍ରହ୍ମପୁର ଉତ୍କଳ ସିନେମା ନିକଟସ୍ଥ ପଞ୍ଚଦେଉଳ ଠାରେ ଅନୁଷ୍ଠିତ ଗଞ୍ଜାମ ଜାତୀୟ ସମିତି ବୈଠକରେ ଯୋଗ ଦେଇଥିଲେ । ୧୯୧୪ର ଉତ୍କଳ ସମ୍ମିଳନୀର ପାରଳାଖେମୁଣ୍ଡି ଅଧିବେଶନରେ ଯୋଗଦାନ କରି ଗଞ୍ଜାମ ବାସୀଙ୍କ ପ୍ରଦେଶ ଗଠନ ଉଦ୍ୟମକୁ ପ୍ରଶଂସା କରି ଲେଖିଥିଲେ –
ଧନ୍ୟ ହେ ଗଞ୍ଜାମ ବାସୀ ଓଡ଼ିଆ ସକଳ
ଧନ୍ୟ ତୁମ୍ଭ କଉଶଳ ଧନ୍ୟ ତୁମ୍ଭ ବଳ ।
୧୯୧୩ ମସିହାରେ ବ୍ରହ୍ମପୁରରୁ ଶଶିଭୂଷଣ ରଥ ଯେବେ ଆଶା ପତ୍ରିକା ପ୍ରକାଶ କଲେ ସେତେବେଳେ ଗୋପବନ୍ଧୁ ଆଶାର ସମ୍ପାଦନା ମଣ୍ଡଳୀରେ କାର୍ଯ୍ୟରତ ଥିଲେ । ଗୋପବନ୍ଧୁ ଦାସଙ୍କ ସମାଜ, ସତ୍ୟବାଦୀ ପ୍ରଥମେ ବ୍ରହ୍ମପୁର ଆଶା ପ୍ରେସରୁ ପ୍ରକାଶ ପାଇଥିଲା । ଶଶିଭୂଷଣ ରଥ ଏବଂ ଭଞ୍ଜନଗରର ଶ୍ରୀବତ୍ସ ପଣ୍ଡାଙ୍କୁ ଗୋପବନ୍ଧୁ ଦୀକ୍ଷା ଗୁରୁ ରୂପେ ମାନ୍ୟ କରୁଥିଲେ । ଉତ୍କଳ ସମ୍ମିଳନୀ, ଖଦୀ ପ୍ରଚାର, ସ୍ଵାଧୀନତା ସଂଗ୍ରାମ ଆଦି କାର୍ଯ୍ୟକ୍ରମରେ ଗୋପବନ୍ଧୁ ଗଞ୍ଜାମର ବ୍ରହ୍ମପୁର, ଦିଗପହଣ୍ଡି, ପାରଳାଖେମୁଣ୍ଡି, ଚିକିଟି, ପାତ୍ରପୁର, ଭଞ୍ଜନଗର, ବୁଗୁଡ଼ା, ଆସିକା, ବାଲିପଦର, କବିସୂର୍ଯ୍ୟ ନଗର, ଖଲିକୋଟ, ଛତ୍ରପୁର ଆଦି ଅନେକ ସ୍ଥାନ ବୁଲି ଜାତୀୟ ବାର୍ତ୍ତା ପ୍ରଚାର କରିଛନ୍ତି । ସତ୍ୟବାଦୀ ବନବିଦ୍ୟାଳୟରେ ଗଞ୍ଜାମର ବହୁ ଛାତ୍ର ପାଠ ପଢିଥିଲେ । ପାରଳାଖେମୁଣ୍ଡି, ଚିକିଟି, ଦିଗପହଣ୍ଡି, ମଞ୍ଜୁଷା ରାଜା ସତ୍ୟବାଦୀ ବନବିଦ୍ୟାଳୟ ପାଇଁ ଆର୍ଥିକ ସାହାଯ୍ୟ କରୁଥିଲେ । ଗୋପବନ୍ଧୁଙ୍କ ମୃତ୍ୟୁଶଯ୍ୟା ନିକଟରେ, ଦୀନବନ୍ଧୁ ବେହେରା ନାମକ ଛାତ୍ର ଜଣକ ଉପସ୍ଥିତ ଥିଲେ, ଯିଏ କି ଭଞ୍ଜନଗର ନିକଟସ୍ଥ ଗ୍ରାମର । ୧୯୨୧ ମହାତ୍ମାଗାନ୍ଧୀ ଯେବେ ବ୍ରହ୍ମପୁର ଆସି ବାରାକ୍ସ ମଇଦାନରେ ଭାଷଣ ଦେଉଥିଲେ, ଗୋପବନ୍ଧୁଜୀ ଗାନ୍ଧିଜୀଙ୍କ ହିନ୍ଦୀ ଭାଷଣକୁ ଓଡ଼ିଆରେ ଲୋକଙ୍କୁ ଶୁଣାଇଥିଲେ । ଗୋପବନ୍ଧୁଙ୍କୁ ଘରେ ଆଶ୍ରୟ ଦେଇଥିବାରୁ, ଭଞ୍ଜନଗରର ଶ୍ରୀବତ୍ସ ପଣ୍ଡାଙ୍କ ଉପରେ ବ୍ରିଟିଶ ପ୍ରଶାସନ ମକଦ୍ଦମା ରୁଜୁ କରିଥିଲେ । ଗୋପବନ୍ଧୁଙ୍କ ସମାଜ ଖବରକାଗଜର ପ୍ରାଚୀନ ପୃଷ୍ଠା ମାନଙ୍କରେ ସେ ଅନେକ ଗଞ୍ଜାମ ପ୍ରସଙ୍ଗ ଲେଖିଛନ୍ତି । ଗଞ୍ଜାମ ଓ ଗୋପବନ୍ଧୁ ପ୍ରସଙ୍ଗ ଲେଖିଲେ ଏମିତି ଶହଶହ କଥା ଅଛି । ଆଜି ତାଙ୍କ ପବିତ୍ର ଜନ୍ମ ତିଥିରେ ଆମର ଭକ୍ତିପୂତ ଶ୍ରଦ୍ଧାଂଜଳି । ପାରିବୁନି ଶୁଝି କେବେ ତୁମ୍ଭ ଋଣ ପ୍ରଣାମ ଘେନ ହେ ନର ନାରାୟଣ । ତଥ୍ୟ ଡଃ ଅନନ୍ତରାମ କର କୈାଣ୍ଡିନ୍ୟ, ନିମଖଣ୍ଡି ପେଣ୍ଠ, ଭୀଷ୍ମଗିରି, ଗଞ୍ଜାମ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା