…….ଉତ୍କଳର ମଣି ଉତ୍କଳମଣି…….

ଉତ୍କଳର ଆମ ମଉଡ ମଣି ସେ
ଚିର ବନ୍ଦନୀୟ ଯିଏ
ଚିର ସ୍ମରଣୀୟ ଗୋପବନ୍ଧୁ ଦାସ
ଗରିବଙ୍କ ବନ୍ଧୁ ସିଏ ।
ତ୍ୟାଗ ବଳିଦାନେ ସରି ନୁହେଁ କେହି
ମଣିଷ ଜନମ ପାଇ
ପଞ୍ଚ ଇନ୍ଦ୍ରିୟକୁ ଦମନ କଲେ ସେ
ଦୁଃଖୀ ଜନଙ୍କର ସାଇ ।
ଶୈଶବ କାଳରୁ ମାତାଙ୍କୁ ହରାଇ
ମାତୃହରା ହୋଇଥିଲେ
ମାଟି ମାଆ ପାଇଁ ନିଜକୁ ଉତ୍ସର୍ଗୀ
ସେବାକୁ ଆଦରି ନେଲେ ।
ପିତା ଦଇତାରୀ ମାତା ସ୍ଵର୍ଣ୍ଣମୟୀ
ଜାତ ତାଙ୍କରି କୋଳରେ
ଅକ୍ଟୋବର ମାସ ନଅ ତାରିଖରେ
ଜନ୍ମ ପୁରୀ ଜିଲ୍ଲାରେ ।
ତୁଳସୀ ପରିକା ବାସନା ତାଙ୍କର
ମହକିଲା ବାସନାରେ
ବାଲ୍ୟକାଳୁ କଲେ ଲେଖନୀ ଚାଳନା
ଇନ୍ଦ୍ରଧନୁ ପତ୍ରିକାରେ ।
ଦେଶ ଭବିଷ୍ୟତ ଉଜ୍ଜ୍ୱଳ ପାଇଁକି
ସଂକଳ୍ପ ସେ ନେଇଥିଲେ
ସତ୍ୟବାଦୀ ନାମେ ବନ ବିଦ୍ୟାଳୟ
ପ୍ରତିଷ୍ଠା ସେ କରିଗଲେ ।
ଉତ୍କଳ ର ମଣି ଆଖ୍ୟା ସେ ପାଇଲେ
ସଭିଙ୍କ ହୃଦରେ ଵାସ
ଜନତାଙ୍କ ପାଇଁ କାନ୍ଦେ ଯାର ପ୍ରାଣ
ସେ ତ ଗୋପବନ୍ଧୁ ଦାସ ।
ସମାଜ ପତ୍ରିକା ତାଙ୍କରି ନାମରେ
ଘରେ ଘରେ ପରିଚିତ
ସତ୍ୟବାଦୀ ପ୍ରେସ ନାମରେ ବିଖ୍ୟାତ
ଥିଲେ ସେ ଦେଶ ଭକତ ।
ଇଂରେଜ ଵିରୁଦ୍ଧେ ପ୍ରଚାର କରି ସେ
କାରାବରଣ କରିଲେ
କାରା ବାସେ ଥାଇ କଲମ ଚଳାଇ
କାଳଜୟୀ ହୋଇଗଲେ ।
କାରାକବିତା, ବନ୍ଦୀର ଆତ୍ମକଥା
ତାଙ୍କରି ଦ୍ଵାରା ରଚିତ
ଆଧୁନିକ ପଞ୍ଚସଖା ମଧ୍ୟେ ଜଣେ
ହୋଇଥିଲେ ସେ ବିଖ୍ୟାତ ।
ମିଶୁ ମୋର ଦେହ ଏ ଦେଶ ମାଟିରେ
ଥିଲା ତାଙ୍କ ମୁଖ ବାଣୀ
ସଭିଙ୍କ ମୁଖରେ ଆଜିବି ବାହାରେ
ସତ୍ୟ ତ ନୁହେଁ କାହାଣୀ ।
ଜୀବନ ଚର୍ଯ୍ୟା ତ ନିଜ ପାଇଁ ନୁହେଁ
ଅନ୍ୟ ପାଇଁ ବି ମହାନ
ଚାଲି ଚାଲି ପୁଣି ଘରେ ଘରେ ବୁଲି
ଦେଖିଲେ ଲୋକ କଷଣ ।
ସାଇକେଲେ ଯାଇ ବୁଲି ପାରିବେନି
ମନରେ କଳ୍ପନା କଲେ
ଅଭିନୟ କରି କରଜ ନାମରେ
ଭ୍ରମ ତାଙ୍କ ଦୂରେଇଲେ ।
ଦୁଃଖୀ ଦରିଦ୍ରର କଷଣ ଦେଖିଲେ
କେବେ ସହି ନ ପାରନ୍ତି
ଜନ୍ମିତ ପୁତ୍ରର ମୃତ୍ୟୁକୁ ବି ସିଏ
ତିଳେ ବି ଖାତିର ନାସ୍ତି ।
ଗୋଟେ ସନ୍ତାନର ଜନକ ନୁହେଁ ସେ
ମୁଖେ ସିଏ କହୁଥାନ୍ତି
କୋଟିଏ ଲୋକଙ୍କ ଜନକ ସାଜି ସେ
ସେବା କାର୍ଯ୍ଯେ ଲାଗି ଯାନ୍ତି ।
ବନ୍ୟା ବାତ୍ୟା ଆଉ ମରୁଡି ପଡ଼ିଲେ
ସାହାଯ୍ୟ ହାତ ବଢାନ୍ତି
କୁଳର ପ୍ରଦୀପ ଲିଭି ଗଲେ ମଧ୍ୟ
ଅବଶୋଷ ନ କରନ୍ତି ।
ମଣି ମୁକ୍ତା ଠାରୁ ମୂଲ୍ୟବାନ ହୀରା
ଓଡ଼ିଶା ଆଜିବି ଝୁରେ
ଏମିତି ବ୍ୟକ୍ତିତ୍ଵ ବିରଳ ଜଗତେ
ମାଟି ମାଆ ଗର୍ବ କରେ ।
ଉଣେଇଶ ଅଠେଇସ ମସିହାର
ତାରିଖ ଜୁନ ସତର
ଜୀବନର ଦୀପ ଲିଭି ଯାଇଥିଲା
ଆମ ଏ ବୀର ପୁତ୍ରର ।
ଓଡ଼ିଶା ମାଟିର ଚିର ସ୍ମରଣୀୟ
ଅଭୁଲା ତାଙ୍କର ସ୍ମୃତି
ପ୍ରତି ଓଡ଼ିଆର ମଉଡ ମଣି ସେ
ଧନ୍ୟ ତାଙ୍କ ଜନ ପ୍ରୀତି ।

ଲେଖକ – ସରିତା ରାଣୀ ମହାନ୍ତି, ବାଲିଆପାଳ,
ବାଲେଶ୍ଵର