‘ସୁନିଆ’ ହେଉଛି ଓଡ଼ିଶାର ରାଜକୀୟ ନବବର୍ଷ। କାରଣ, ଏହିଦିନ ଓଡ଼ିଶାର ରାଜାମାନଙ୍କର ରାଜତ୍ୱର ନୂଆ ବର୍ଷ ଗଣନା ହୋଇଥାଏ। ଏବେ ରାଜତନ୍ତ୍ର ନ ଥିଲେ ମଧ୍ୟ ରାଜ ପରିବାରମାନଙ୍କରେ ଏ ପର୍ବ ପାଳିତ ହୋଇଆସୁଛି। ବିଶେଷକରି ଏହିଦିନ ଓଡ଼ିଶାର ଗଜପତି ମହାରାଜାଙ୍କର ନୂତନ ଅଙ୍କ ପ୍ରଚଳନ ଏକ ଉତ୍ସବ ରୂପେ ପାଳିତ ହେଉଛି।‘ସୁନିଆ’ ଶବ୍ଦର ଉଦ୍ଭବ କିପରି ଭାବରେ ହୋଇଛି, ସେ ସଂପର୍କରେ ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ ହେବାପରି ତଥ୍ୟ ମିଳେ ନାହିଁ। କିନ୍ତୁ ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ ଅନୁସାରେ, ‘ସୁନିଆ’ର ଅର୍ଥ ‘ସ୍ୱର୍ଣ୍ଣମୁଦ୍ରା’, ‘ମଉଡ଼’, ବା ‘ମୋହର’। ଏହିଦିନ ଗୋଟିଏ ସୁନା ମୋହର ଉପରେ ଗଜପତି ମହାରାଜାଙ୍କ ରାଜତ୍ୱର ନୂତନ ଅଙ୍କ ଖୋଦନ କରାଯାଏ। ତାହାକୁ ‘ଅଙ୍କକଟା’ କୁହାଯାଏ। ଏଣୁ ‘ସୁନିଆ’ ଶବ୍ଦଟି ସୁନା ବା ସ୍ୱର୍ଣ୍ଣମୁଦ୍ରା ସହିତ ସଂପର୍କିତ ବୋଲି ଅନେକେ ମତ ପୋଷଣ କରନ୍ତି।ଏହିଦିନ ଗଜପତି ମହାରାଜାଙ୍କର ନୂତନ ଅଙ୍କର ପ୍ରଚଳନ ହୁଏ। ସୁନା ମୋହର ଉପରେ ଏହି ନୂତନ ଅଙ୍କ ଖୋଦିତ ହୁଏ। ଏହା ‘ଅଙ୍କକଟା’ ଭାବରେ ଖ୍ୟାତ। ଏଣୁ ‘ସ୍ୱର୍ଣ୍ଣମୁଦ୍ରା’ରୁ ‘ସୁନିଆ’ ହୋଇଛି ବୋଲି କୁହାଯାଏ। କୃଷ୍ଣ ସିଂହଙ୍କ ‘ମହାଭାରତ’ରେ ଏହାର ପ୍ରମାଣ ଅଛି। ‘ସଭାପର୍ବ’ର ବର୍ଣ୍ଣନାରେ କୁହାଯାଇଛି- “ସହସ୍ରେ ସୁନିଆରେ ଶିକାଟାଏ ଅଛି। / ସବୁ ରତ୍ନମାନଙ୍କେ ଭୂଷିତ ହୋଇଛି।” ସେହିପରି, ‘ଶାନ୍ତିପର୍ବ’ରେ ଉଲ୍ଲେଖ ଅଛି- “ନାଗର ଘେନି ଯେବେ ଆସିବ ସୁନିଆ। / ତାକୁ ଦେଖିଲେ ହୋଇବି ମୁଁ ନିଆଁ।” ଏ ଦୃଷ୍ଟିରୁ ‘ସୁନିଆ’ର ଅର୍ଥ- ସ୍ୱର୍ଣ୍ଣମୁଦ୍ରା, ମଉଡ଼ ବା ମୋହର ବୋଲି ‘ଭାଷାକୋଷ’ରେ କୁହାଯାଇଛି। ଏହିଦିନ ରାଜା ବା ଜମିଦାରମାନଙ୍କର ଅଭିଷେକ ହୋଇଥାଏ। ପୁରୀ ଶ୍ରୀନଅରରେ ମଧ୍ୟ ଗଜପତି ମହାରାଜାଙ୍କର ଅଭିଷେକ ହୁଏ। ପୂର୍ବେ ଏହିଦିନ ରାଜକର୍ମଚାରୀ ଓ ପ୍ରଜାମାନେ ରାଜାଙ୍କୁ ଧନ, ରତ୍ନ ଆଦି ନାନା ଉପହାର ଦେବାର ବିଧି ବା ପରମ୍ପରା ପ୍ରଚଳିତ ଥିଲା। ତାହା ‘ସୁନିଆ ଭେଟି’ ଭାବରେ ପ୍ରସିଦ୍ଧ ହୋଇଥିଲା।ଆଉ ଗୋଟିଏ ମତ ହେଉଛି- ଏହି ଦିନ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ଜନ୍ମଦିନ। ଏ ସଂପର୍କରେ ଉଲ୍ଲେଖନୀୟ ଯେ ୧୯୫୫ରେ ଭାରତ ସରକାରଙ୍କ ପକ୍ଷରୁ ‘କ୍ୟାଲେଣ୍ଡର ରିଫର୍ମ କମିଟି’ର ଏକ ରିପୋର୍ଟ ପ୍ରକାଶ ପାଇଥିଲା। ସେଥିରେ ଭାଦ୍ରପଦ ମାସର, ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ଜନ୍ମଦିନ ବୋଲି କୁହାଯାଇଛି। ଗଜପତି ମହାରାଜାଙ୍କ ପରମ୍ପରା ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହିତ ଭକ୍ତି ଓ ସେବା ସୂତ୍ରରେ ଯୋଡ଼ା ହୋଇଛି। ଏଣୁ ଏହି ଦିନଟି ସେ ଦୃଷ୍ଟିରୁ ରାଜକୀୟ ନବବର୍ଷ ରୂପେ ପାଳିତ ହୋଇ ଆସୁଛି। ଓଡ଼ିଶାର ସମସ୍ତ ରାଜା ମଧ୍ୟ ଏହି ସୂତ୍ରରେ ଶ୍ରୀଜଗନ୍ନାଥଙ୍କ ସହ ଯୋଡ଼ି ହୋଇଛନ୍ତି। ପୌରାଣିକ ପରମ୍ପରା ଅନୁସାରେ, ଆଷାଢ଼ ଶୁକ୍ଳ ଏକାଦଶୀଠାରୁ ଚାରିମାସ ହେଉଛି ‘ଚାତୁର୍ମାସ୍ୟା’। ବିଶ୍ୱବ୍ରହ୍ମାଣ୍ଡର କର୍ତ୍ତା ଭଗବାନ ବିଷ୍ଣୁ ଏହି ସମୟରେ ବିଶ୍ରାମ ନିଅନ୍ତି। ଏଥିପାଇଁ ତିନିଟି ଦିନ ଧାର୍ଯ୍ୟ କରାଯାଇଛି। ଗୋଟିଏ- ହରିଶୟନ, ଏହାର ତିଥି ଆଷାଢ଼ ଶୁକ୍ଳ ଏକାଦଶୀ। ଦ୍ୱିତୀୟଟି- ପାଶ୍ୱର୍ପରିବର୍ତ୍ତନ, ଏହାର ତିଥି ଭାଦ୍ରବ ଶୁକ୍ଳ ଏକାଦଶୀ। ଏବଂ ତୃତୀୟଟି- ଦେବ ଉତ୍ଥାପନ, ଏହାର ତିଥି କାର୍ତ୍ତିକ ଶୁକ୍ଳ ଏକାଦଶୀ। ଏହି ତିନି ଏକାଦଶୀ ମଧ୍ୟରେ ପାର୍ଥକ୍ୟ ଦୁଇ ଦୁଇ ମାସ। ଏଣୁ ଆଷାଢ଼ ଶୁକ୍ଳ ଏକାଦଶୀରେ ନିଦ୍ରା ଯାଇଥିବା ବିଷ୍ଣୁ, ଦୁଇମାସ ପରେ ଭାଦ୍ରବ ଶୁକ୍ଳ ଏକାଦଶୀରେ କଡ଼ ଲେଉଟାନ୍ତି। ସେ ନିଦ୍ରାତ୍ୟାଗ କରନ୍ତି ଆଉ ଦୁଇ ମାସ ପରେ, କାର୍ତ୍ତିକ ଶୁକ୍ଳ ଏକାଦଶୀରେ। ଏଣୁ ଭାଦ୍ରବ ଶୁକ୍ଳ ଏକାଦଶୀ ଏପରି ଏକ ସନ୍ଧିଲଗ୍ନ- ଯେଉଁଠାରୁ ଭଗବାନ ବିଷ୍ଣୁଙ୍କର କ୍ରମଜାଗରଣର ପର୍ବ ଆରମ୍ଭ ହୁଏ। ଏ ଦୃଷ୍ଟିରୁ ଭାଦ୍ରବ ଶୁକ୍ଳ ଏକାଦଶୀ ତିଥି ପରମ ପୁଣ୍ୟପ୍ରଦ। ତେଣୁ ତାହାର ପରଦିନ, ଦ୍ୱାଦଶୀର ପୁଣ୍ୟ ତିଥିରେ ସୁନିଆ ପର୍ବ ପାଳିତ ହେବାର ବିଶେଷ ତାତ୍ପର୍ଯ୍ୟ ରହିଛି ବୋଲି ମନେହୁଏ। ଭଗବାନ ବିଷ୍ଣୁଙ୍କ ‘ବାମନାବତାର’ ସହିତ ଏହାର ଏକ ସଂଯୋଗସୂତ୍ର ରହିଛି। ଭାଦ୍ରବମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି, ଶ୍ରବଣା ନକ୍ଷତ୍ର ଓ ଅଭିଜିତ୍ ମୁହୂର୍ତ୍ତରେ, ଏକ ଦିବ୍ୟ ଜ୍ୟୋତିର୍ମୟ ବାଳକ ରୂପରେ ‘ବାମନାବତାର’ଙ୍କର ଆବିର୍ଭାବ ଘଟିଥିଲା। ‘ବାମନ ପୁରାଣ’ର ବର୍ଣ୍ଣନା ଅନୁସାରେ, ତାହାପରେ ତାଙ୍କର ଜାତସଂସ୍କାର ବା ଅଭିଷେକ କରାଯାଇଥିଲା। ସେହି ଅବସରରେ ବ୍ରହ୍ମା ତାଙ୍କୁ କୃଷ୍ଣସାର ମୃଗର ଚର୍ମ ଓ ଦେବଗୁରୁ ବୃହସ୍ପତି ଯେଜ୍ଞାପବୀତ ଉପହାର ଦେଇଥିଲେ। ଋଷିମାନଙ୍କ ମଧ୍ୟରୁ, ବ୍ରହ୍ମାପୁତ୍ର ମରୀଚି ପଳାଶଦଣ୍ଡ, ଅଙ୍ଗିରା ରେଶମବସ୍ତ୍ର, ପୁଲହ ଆସନ ଓ ପୁଲସ୍ତ୍ୟ ହରିଦ୍ରାବର୍ଣ୍ଣର ବସ୍ତ୍ର ଉପହାର ଦେଇଥିଲେ। ତାହାପରେ ସେହି ବାମନ, ବଳିଙ୍କଠାରୁ ଛଳରେ ଦାନ ଗ୍ରହଣ କରିବାପାଇଁ ତାଙ୍କ ଯଜ୍ଞସ୍ଥଳକୁ ଯାତ୍ରା କରିଥିଲେ। ଏହିଦିନ ଶ୍ରୀମନ୍ଦିରରେ ମଧ୍ୟ ବାମନଜନ୍ମ ନୀତି ଅନୁଷ୍ଠିତ ହୁଏ। ସୁବର୍ଣ୍ଣ ନିର୍ମିତ ବାମନ ବିଗ୍ରହଙ୍କୁ ପଞ୍ଚାମୃତରେ ସ୍ନାନ କରାଯାଇ, ନବବସ୍ତ୍ର, ଅଧିବାସ ହୋଇଥିବା ପବିତ୍ରା ଓ ଅଳଙ୍କାର ଆଦି ଲାଗି କରାଯାଏ। କେତେକ ଏହାକୁ ବଳିବାମନ ବେଶ ବୋଲି ମଧ୍ୟ କହିଥାନ୍ତି। ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀକ୍ଷେତ୍ରରେ ଏହି ପର୍ବକୁ ପାଳନ କରାଯାଏ। ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଏହି ପର୍ବକୁ ପାଳନ କରାଯାଏ। ପୌରାଣିକ କଥାକୁ ଯଦି ଦେଖିବା ତେବେ ଏହି ଦିନ ଭଗବାନ ବିଷ୍ଣୁ ନିଜର ୫ମ ଅବତାର ନେଇଥିଲେ। ଏହିଦିନ ବାମନ ରୂପରେ ଧରାପୃଷ୍ଠରେ ଅବତରଣ କରିଥିଲେ। ନୃସିଂହ ଜନ୍ମ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପରି ଶ୍ରୀ ମନ୍ଦିରରେ ଏହି ବାମନ ଉତ୍ସବକୁ ପାଳନ କରାଯାଏ। ଏହିଦିନ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବାମନ ବେଶରେ ସଜ୍ଜା ଯାଇଥାଏ। ଯଦି ନୀତି ନିୟମକୁ ଧ୍ୟାନ ଦେବା ତେବେ ମନ୍ଦିରରେ ଜନ୍ମୋତ୍ସବ ନୀତି ଓ ଦ୍ୱିପ୍ରହର ଧୂପ ଶେଷ ହେବା ପରେ ଜଗନ୍ନାଥ ମହାପ୍ରଭୁ ବାମନ ବେଶ ଧାରଣ କରନ୍ତି।ତାଙ୍କ ସାଙ୍ଗରେ ସଜ୍ଜିତ ହୁଅନ୍ତି ଭଉଣୀ ସୁଭଦ୍ରା ଓ ବଡ଼ ଭାଇ ବଳଭଦ୍ର। ଭାଇ ଭଉଣୀ ଯଥାକ୍ରମେ ରାଜବେଶ ଓ ସାଧାରଣ ବେଶରେ ଦର୍ଶନ ଦିଅନ୍ତି। ଏହିଦିନ ମହାପ୍ରଭୁଙ୍କ ଶ୍ରୀଭୂଜର ବାମ ହସ୍ତରେ ଛତା ଓ ଡାହାଣ ହସ ତାରେ କୁଶବଟୁ ଗଡ଼ୁ ଧରି ଏକ ବାମନ ରୂପୀ ନୈଷ୍ଠିକ ବ୍ରାହ୍ମଣ ବେଶରେ ସଜାଯାଇଥାଏ। ତେବେ ଏହାକୁ ନେଇ ଲେଖା ବି ରହିଛି ଯେ- ରଥେତୁଂ ବାମନଂ ଦୃଷ୍ଟ୍ଵା ପୁନର୍ଜର୍ନ୍ମେ ନ ବିଦ୍ୟତେ। : ଆଜି ମଙ୍ଗଳବାର, ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ୨୬, ସେପ୍ଟେମ୍ବର ୨୦୨୩ ରେ ଶ୍ରୀନଅର ଠାରେ ସୁନିଆ ଅବସର ରେ ଅନୁଷ୍ଠିତ ଗଜପତି ଙ୍କ ପାରମ୍ପରିକ ଅଭିଷେକ ଏବଂ ଅଙ୍କ ୬୭ ସାଲ ୧୪୩୧ ମୁଦ୍ରା ପ୍ରଚଳନ।
ଲେଖକ : ଦାମୋଦର ପାଢ଼ୀ, ଅବସରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ