ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କ ଉପରେ ପୁଣିଥରେ ଆକ୍ରମଣନେଇ ଉଦବେଗ …

ଭୁବନେଶ୍ୱର (ସମୃଦ୍ଧ ଓଡିଶା ) ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କ ଉପରେ ପୁଣିଥରେ ଆକ୍ରମଣ ହୋଇଛି । ରାୟଗଡ଼ା ଜିଲ୍ଲା କାଶୀପୁରରେ ଆୟୋଜିତ ହୋଇଥିବା ଏକ ସଭା ମଞ୍ଚରେ ତାଙ୍କୁ ଆକ୍ରମଣ କରାଯାଇଛି । ଖୋଦ୍‌ ଖାରବେଳ କହିଛନ୍ତି, “ବାରମ୍ବାର ଆକ୍ରମଣ କରିଥିବା ଲୋକ ବିଜେଡି ସମର୍ଥକ।” କେବଳ ଏତିକି ନୁହେଁ, ସେହି ସମୟର ଭିଡିଓକୁ ଖାରବେଳ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି । ଖାରବେଳ ଆହୁରି ମଧ୍ୟ କହିଛନ୍ତି, “ସଭା ଚାଲିଥିବା ସମୟରେ ମୋ ଉପରକୁ ୨ରୁ ୩ଜଣ ଯୁବକ ଆକ୍ରମଣ କରିଥିଲେ । ସେ ନିଜକୁ ବିଜେଡି ଦଳର ବୋଲି କହିଥିଲେ । ତାଙ୍କ ବିନା ଅନୁମତିରେ ମୁଁ କାହିଁକି ସେଠାକୁ ଆସିଛି ଓ ବିଜେଡି ବିରୋଧରେ କହୁଛି ବୋଲି ସେହି ଯୁବକମାନେ କହିଥିଲେ । ଏଥିସହ ସେମାନେ ମୋତେ ବିଧା, ଚାପୁଡ଼ା ମାରିବା ପରେ ମାଇକ୍ ଷ୍ଟାଣ୍ଡ ଉଠାଇ ମାରିବାକୁ ଉଦ୍ୟମ କରିଥିଲେ । ବିଜେଡି ବିରୋଧରେ କହିଲେ ହାଣି ଦେବୁ ବୋଲି ଧମକ ମଧ୍ୟ ଦେଇଥିଲେ । ଏଭଳି ଘଟଣା ପାଇଁ ଆମେ ସଭା ପୂର୍ବରୁ ସୁରକ୍ଷା ପାଇଁ ପୋଲିସ ମାଗିଥିଲୁ, କିନ୍ତୁ ପୋଲିସ ଆସିବାକୁ କହି ଆସିନଥିଲେ । ଏହା ପୂର୍ବରୁ ମଧ୍ୟ କେନ୍ଦ୍ରାପଡ଼ାରେ ହୋଇଥିବା ଏକ ରାଲିରେ ଖାରବେଳଙ୍କ ଉପରକୁ ଆକ୍ରମଣ ହୋଇଥିଲା ।

ରିପୋର୍ଟ : ଆକାଶ ମିଶ୍ର