ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍କଳ ସମ୍ମିଳନୀ ରାଜ୍ୟର ଚତୁପାଶ୍ୱର୍ ଅନ୍ୟ ରାଜ୍ୟକୁ ଲାଗି ରହିଥିବା ଅଂଚଳ ସହିତ ଭାଷା -ସାହିତ୍ୟ-ସଂସ୍କୃତି-ପରମ୍ପରା ତଥା ବନ୍ଧୁତାକୁ ଉଦ୍ଜୀବିତ କରିବା ପାଇଁ ଓଡିଆ ଚାଟଶାଳୀ ଖୋଲିବା ଏକ ନିରନ୍ତର ପ୍ରକ୍ରିୟା ବୋଲି କର୍ମକର୍ତ୍ତାମାନେ କହିଆସୁଥିଲାବେଳେ ଆଜି ପଶ୍ଚିମବଂଗର ନବଗଠିତ ଝାଡଗ୍ରାମ ଜିଲା ଶାଖା କମିଟି ଗଠିତ ହୋଇଛି । ଦୁଇ ରାଜ୍ୟ ସରକାର ଏପରି ଚାଟଶାଳିକୁ ସ୍ୱିକୃତୀ ଦେବା ସହିତ ଓଡିିଶା ସରକାର ଚାଟଶାଳୀରେ ଆବଶ୍ୟକ ସମସ୍ତ ସରଞ୍ଜାମ ଯୋଗାଇବାକୁ ନୂତନ କମିଟି ନିବେଦନ କରିଛି । ରାଜ୍ୟର ଉତ୍ତର ଉପାନ୍ତରେ ପଶ୍ଚିମବଂଗ ଓ ଝାଡଖଣ୍ଡ ରାଜ୍ୟରେ ଓଡିଶାର କେତେକାଞ୍ଚଳ ବିଛିନ୍ନାଞ୍ଚଳଭାବେ ରହିଯାଇଛି । ଭାଷାକୁ ଭିତ୍ତି କରି ୮୩ବର୍ଷ ପୂର୍ବେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହୋଇଥିଲେ ମଧ୍ୟ ଏବେବି ବିଭିନ୍ନ ଉପାନ୍ତ ଅଂଚଳରେ ଓଡିଆ ଭାଷା, ଲୋକ କଥା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ବନ୍ଧୁତା ରହି ଆସିଛି । ଏବେ ବି ଏହି ଦୁଇରାଜ୍ୟର ଉପାନ୍ତ ଲୋକଙ୍କ ସହିତ ଓଡିଶା ରାଜ୍ୟର ଉତ୍ତର ଉପାନ୍ତ ଅଂଚଳର ଲୋକଙ୍କ ନିବିଡ ସଂପର୍କ ରହି ଆସିଛି ବୋଳି ଆଜି କେନ୍ଦ୍ରୀୟ ଉତ୍କଳ ସମ୍ମିଳନୀର ଅନ୍ୟତମ କର୍ମକର୍ତ୍ତା ନିରଞ୍ଜ ନ ରାଉତ ଓ ଜଳେଶ୍ୱର ଶାଖା ସଭାପତି ଡ. ଶ୍ରୀକାନ୍ତ ଚରଣ ପାତ୍ର ସେଠାରେ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବା ବେଳେ କହିଛନ୍ତି । ଡ. ଶ୍ରୀକାନ୍ତ ଚରଣ ପାତ୍ରଙ୍କ ଅଧ୍ୟକ୍ଷତାରେ ପଶ୍ଚିମବଂଗ ରାଜ୍ୟର ଝାଡଗ୍ରାମ ଜିଲ୍ଲା କମିଟି ଅନ୍ତର୍ଗତ ନୟାଗ୍ରାମ ବ୍ଲକ ଅଧିନ ବିବେକାନନ୍ଦ ବିଦ୍ୟାଳୟ, ବାଲି ଗେଡିଆ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ପୂର୍ବରୁ ପୂର୍ବ ମେଦିନୀପୁର ଜିଲାର କମିଟି ଏଗ୍ରାଠାରେ ଓ ପଶ୍ଚିମ ମେଦିନୀପୁର ଜିଲା କମିଟି ବେଲ୍ଦାଠାରେ ଗଠିତ ହୋଇଥିବା ସଂପର୍କରେ ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ କମିଟି ସଦସ୍ୟ ନିରଞ୍ଜନ ରାଉତ ବୈଠକରେ ପ୍ରକାଶ କରିଥିଲେ । ଡ. ପାତ୍ର ଅଧ୍ୟକ୍ଷତା କରି ଏକ ବିଶାଳ ସମବେତ ଜନତାଙ୍କୁ ଉତ୍କଳ ସମ୍ମିଳନୀର ଆଭିମୁଖ୍ୟ, ଉଦ୍ଦେଶ୍ୟ ଓ କମିଟିର ଆବଶ୍ୟକତା ସଂପର୍କରେ କହିଥିଲେ । ପଶ୍ଚିମବଂଗରେ କାର୍ଯ୍ୟକରୁଥିବା ୧୩୪ ଚାଟଶାଳି ସମୁହର ସୁପର ଭାଇଜର ସୁବାଷ ବେରା ସଂଯୋଜନା କରି ବନ୍ଧୁତା ଓ ଭାଇଚାରା କିପରି ବିଚ୍ଛିନ୍ନାଞ୍ଚଳରେ କାର୍ଯ୍ୟ କରିଆସୁଛି ତାହା କହିଥିଲେ । ଏଥିରେ କଲ୍ୟାଣ ମାହାତ ଯୋଗ ଦେଇ ଓଡିଶା ଓ ପଶ୍ଚିମବଂଗ ରାଜ୍ୟର ଥିବା ବନ୍ଧୁତା ସଂପର୍କରେ କହିଥିଲେ । ବୈଠକରେ ସର୍ବସମ୍ମତ ଭାବେ ସଭାପତି ପ୍ରବୀର କୁମାର ଗିରି, ଉପସଭାପତି ହରେକୃଷ୍ଣ ମାହାତ ଓ ବଳରାମ ବେହେରା, ସାଧାରଣ ସଂପାଦକ ଭାବେ ପ୍ରବୀର ମାହାତ, ଯୁଗ୍ମ ସଂପାଦକ ଭାବେ ତରୁଣ ରାୟ ଓ ସୀତାରାମ ଗିରି, କୋଷାଧ୍ୟକ୍ଷଭାବେ ପ୍ରଶାନ୍ତ ଗିରି ମନୋନୀତ ହୋଇଛନ୍ତି । ଏହା ବ୍ୟତୀତ ୧୦ଜଣକୁ ନେଇ ଏକ ପରିଷଦ ଓ ଅନ୍ୟ ୧୨ ଜଣିଆ କାର୍ଯ୍ୟକାରୀ କମିଟି ମଧ୍ୟ ଗଠିତ ହୋଇଛି । ପଶ୍ଚିମବଂଗ ରାଜ୍ୟରେ ଖୋଲା ହେବାକୁ ଥିବା ବିଦ୍ୟାଳୟ ଗୁଡିକରେ ସମସ୍ତ ପାଠ୍ୟପୁସ୍ତକ, ଚକ୍, ଡଷ୍ଟର, କଳାପଟା ଯୋଗାଇ ଦେବାକୁ ସଭାପତି ଶ୍ରୀ ଗିରି ଉତ୍କଳ ସମ୍ମିଳନୀର କର୍ମକର୍ତ୍ତାଙ୍କୁ ନିବେଦନ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା