ଉତ୍କଳ ସମ୍ମିଳନୀର ପଶ୍ଚିମବଂଗ ଚାଟଶାଳୀ ଶିକ୍ଷକଙ୍କୁ ପ୍ରଶିକ୍ଷଣ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଛିନ୍ନାଞ୍ଚଳରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ବଞ୍ଚାଇ ରଖିବା ଲାଗି ଉତ୍କଳ ସମ୍ମିଳନୀ ପ୍ରଚେଷ୍ଟା ଜାରି ରଖିଛି । ପଡୋଶୀ ରାଜ୍ୟରେ ଓଡିଆ ଶିକ୍ଷା ଲାଗି ସହଯୋଗ କରିବାକୁ ରାଜ୍ୟର ତିନି ପ୍ରମୁଖ ଶିକ୍ଷା ସଚିବ ଅନ୍ୟ ରାଜ୍ୟ ସଚିବକୁ ଲେଖିଥିଲା ବେଳେ ଶିକ୍ଷକ ମାନଙ୍କୁ ମାସିକ ୫ ହଜାର ଟଙ୍କା ଓ ପାଠ୍ୟ ଉପକରଣ ଯୋଗାଇ ଦେବାକୁ ଦାବି ହୋଇଛି । ବିଛିନ୍ନାଞ୍ଚଳରେ ମାତ୍ର ୧୦ଭାଗ ଓଡିଆଙ୍କ ପ୍ରତି ଶିକ୍ଷାର ବ୍ୟବସ୍ଥା ଥିବା ବେଳେ ଏହାକୁ ଶତ ପ୍ରତିଶତ କରିବାଲାଗି ରାଜ୍ୟ ସରକାର ସହାୟତା ଯୋଗାଇବା ଉଚିତ୍ ବୋଲି ଆଜି ଉତ୍କଳ ସମ୍ମିଳନୀ ପକ୍ଷରୁ ପଶ୍ଚିମବଂଗରେ ଖୋଲାଯାଇଥିବା ଚାଟଶାଳୀ ଶିକ୍ଷକ ମାନଙ୍କୁ ପ୍ରଶିକ୍ଷଣ ଦେବା ଅବସରରେ ଉଦ୍ଘାଟନୀ ସଭାରେ ମତପ୍ରକାଶ ପାଇଛି । ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ପ୍ରଶିକ୍ଷଣ ଶିବିରର ଶିକ୍ଷାବିତ୍ ଡ. ଈଶ୍ୱର ଚନ୍ଦ୍ର ଜେନା ବିଚ୍ଛିନ୍ନାଞ୍ଚଳ ଓଡିଶାର ଓଡିଆ ଭାଷାକୁ ବଂଚାଇ ରଖିବା ଲାଗି ଉତ୍କଳ ସମ୍ମିଳନୀର ଉଦ୍ୟମ ସ୍ୱାଗତଯୋଗ୍ୟ ବୋଲି କହିଥିଲେ । ମୁଖ୍ୟ ଅତିଥିଭାବେ ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ ସଭାପତି ଡ. ଅଦୈତ୍ୟ କୁମାର ପାତ୍ର ଯୋଗ ଦେଇ ପଡୋଶୀ ରାଜ୍ୟର ବିଛିନ୍ନାଞ୍ଚଳରେ କେବଳ ଶିକ୍ଷକ ନିଯୁକ୍ତି କରି ଉତ୍କଳ ସମ୍ମିଳନୀର ସଦସ୍ୟମାନେ ଅଟକି ଯାଇନାହାନ୍ତି । ୨୦୦୯ ମସିହାରେ ଭାଷା ପ୍ରତିଷ୍ଠାନ, ରାଜ୍ୟ ସରକାର ଓ ଉତ୍କଳ ସମ୍ମିଳନୀ ଆନୁକୂଲ୍ୟରେ ଏପରି ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ ହୋଇଥିଲା । ଏଣିକି ପ୍ରତ୍ୟେକ ଗ୍ରୀଷ୍ମାବକାଶରେ ଏପରି ପ୍ରଶିକ୍ଷଣ ଦିଆଯିବ ବୋଲି ସେ କହିଥିଲେ । ପଶ୍ଚିମବଂଗର ପୂର୍ବ ମେଦିନୀପୁର ଜିଲାରେ ଥିବା ୨୭ଟି , ପଶ୍ଚିମ ମେଦିନୀପୁରରେ ଥିବା ୪୨ଟି ଓ ଝାଡଗ୍ରାମରେ ଥିବା ୬୪ଟି ଚାଟଶାଳୀର ଶିକ୍ଷୟତ୍ରୀମାନେ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିଲେ । ପଶ୍ଚିମବଂଗ ସରକାର ଆନ୍ଧ୍ର, ଛତିଶଗଡ, ଝାଡଖଣ୍ଡ ରାଜ୍ୟପରି ବିଛିନ୍ନାଞ୍ଚଳରେ ଥିବା ତାଙ୍କ ରାଜ୍ୟ ବିଦ୍ୟାଳୟଗୁଡିକରେ ଓଡିଆ ଶିକ୍ଷାର ପ୍ରଚଳନ କରିଥିବା ବେଳେ ପଶ୍ଚିମବଂଗ ସରକାର ଏପରି ସୁଯୋଗ ଓ ସହାୟତା ଦେଉନଥିବାରୁ ସେଠାରେ ଶିକ୍ଷୟିତ୍ରୀଭାବେ ନିଯୁକ୍ତି ପାେେଇଥିବା ବାଲେଶ୍ୱର, ମୟୂରଭଂଜର ଝିଅ ମାନଙ୍କୁ ଆସନ୍ତା ଦିନରେ ସୁବିଧା, ସୁଯୋଗ ଦିଆଯିବବୋଲି ଡ. ପାତ୍ର କହିଥିଲେ । କେନ୍ଦ୍ରିୟ କମିଟିର ସାଧାରଣ ସଂପାଦକ ଅନନ୍ତ ପ୍ରସଦ ଜେନା ଶିକ୍ଷକମାନଙ୍କର ସମୟାନୁବର୍ତ୍ତୀତା, କର୍ତ୍ତବ୍ୟବୋଧ ଓ ଅର୍ଥ ଲାଳସା ନୁହେଁ ବରଂ ମାତୃଭାଷାକୁ ବଂଚାଇ ରଖିବାକୁ ଆହ୍ୱାନ ଦେଇଥିଲେ । କେନ୍ଦ୍ରୀୟ କମିଟିର ଉପସଭାପତି ଉଷାରାଣି ମହାନ୍ତି, କୋଷାଧ୍ୟକ୍ଷ ବିମଳ ଶଡଙ୍ଗୀ ଓ ଜିଲା କମିଟି ସଦସ୍ୟ ରାଜେନ୍ଦ୍ର ବିଶ୍ୱାଳ ଯୋଗ ଦେଇ ଉତ୍କଳ ସମ୍ମିଳନୀର ଉଦ୍ଦେଶ୍ୟ ଓ କର୍ତ୍ତବ୍ୟ ସଂପର୍କରେ କହିଥିଲେ । ପ୍ରାରମ୍ଭରେ ଜଗନ୍ନାଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ, ହାଇସ୍କୁଲର ଛାତ୍ରୀଙ୍କ ଦ୍ୱାରା ବନ୍ଦେ ଉତ୍କଳ ସଂଗୀତ ଗାନ କରାଯାଇଥିଲା । ପ୍ରଶିକ୍ଷଣ ନେଉଥିବା ଶିକ୍ଷୟତ୍ରୀ ବିଣାପାଣି ଦାସ, ଝାନ୍ସୀରାଣୀ ସାହୁ, କାମିନିରାଣୀ ପତି, ସଂଜୁରାଣୀ ବେରା, ବିନ୍ଦୁଲତା ଗିରି, ଜ୍ୟୋତ୍ସାରାଣୀ ବେହେରା, ପ୍ରଣତି ଗିରି, ଆରତି ପ୍ରଧାନ, ଅଂଜଳି ଗିରି, ସନ୍ତୋଷ ବେରା, ସୁଶିଳା ଆଚାର୍ଯ୍ୟ ପ୍ରମୁଖ ସେମାନଙ୍କର ମାସିକ ପାରିଶ୍ରମିକ ୫ହଜାର ଟଙ୍କା ହେବା, ଛାତ୍ରଛାତ୍ରୀଙ୍କୁ ପୁସ୍ତକ ସହିତ ବର୍ଣ୍ଣୋବୋଧଡ, ସ୍ଲେଟ, ଖଡି, ବସିବାପାଇଁ ଦରି ଯୋଗାଇବା ସହିତ ଯୋଗ୍ୟ ଶିକ୍ଷକମାନଙ୍କୁ ସ୍ଥାୟୀ ଶିକ୍ଷକଭାବେ ନିଯୁକ୍ତି ଦେବାକୁ ଦାବି କରିଥିଲେ । ପ୍ରଶିକ୍ଷକଭାବେ ଶିକ୍ଷକ, ଶିକ୍ଷା ପ୍ରତିଷ୍ଠାନ ବାଲେଶ୍ୱର ଡାଏଟ୍ରୁ ପ୍ରଶାନ୍ତ କୁମାର ସେଠୀ, ଅରୁଣ କୁମାର ପ୍ରଧାନଙ୍କ ସହିତ ପୂର୍ବତନ ପ୍ରଧାନ ଶିକ୍ଷକ ରତ୍ନାକର ଦାସ,ଜାତୀୟ ଶିକ୍ଷକ ସଂଘର ଉପସଭାପତି ଇନ୍ଦୁମାଧବ ମହାନ୍ତି, ସୁଦର୍ଶନ ପ୍ରଧାନ, ଉତ୍କଳ ସମ୍ମିଳନୀର ତାଲିମ ଶିବିରର ନିର୍ଦ୍ଦେଶକ ନିରଞ୍ଜନ ରାଉତ ପ୍ରମୁଖ ପ୍ରଶିକ୍ଷକଭାବେ ଯୋଗ ଦେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା