

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ମହା ପରାକ୍ରମୀ ପୁରୁଷ ଇଂରାଜୀ ଶାସକଙ୍କ ନିଦ ହଜାଇ ଦେଇଥିବା ଭାରତ ଜନନୀଙ୍କ ବରେଣ୍ୟ ବୀର ସୁପୁତ୍ର ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ପୂଣ୍ୟ ଜୟନ୍ତୀ ଅବସରରେ ସ୍ଥାନୀୟ ସୁବାଷ ବୋଷ ମାର୍ଗ ସ୍ଥିତ ତାଙ୍କର ପୂର୍ଣ୍ଣ ଅବୟବରେ ଉତ୍କଳ ସମ୍ମିଳନୀ ତରଫରୁ ମାଲ୍ୟାର୍ପଣ କରାଯାଇଛି । ସମ୍ମିଳନୀର ସଭାପତି ଡ଼ ସୁବ୍ରତ କୁମାର ସାହୁଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବଙ୍କ ସମେତ ସୂର୍ଯ୍ୟ କାନ୍ତ ପାତ୍ର, ଡାକ୍ତର ସମରେନ୍ଦ୍ର କୁମାର ସାହୁ, ଡାକ୍ତର ସାଗର ରଂଜନ ତ୍ରିପାଠୀ, ଭୀଷ୍ମାଚାର୍ଯ୍ୟ ଚୌଧୁରୀ, ସୁରେଶ ଚନ୍ଦ୍ର ତ୍ରିପାଠୀ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ମାଲ୍ୟାର୍ପଣ କରି ସ୍ମୃତି ଚାରଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ୧୮୯୭ ମସିହା ଜାନୁଆରୀ ୨୩ରେ କଟକ ଠାରେ ସେ ଜନ୍ମଗ୍ରହଣ କରିଥିଲେ । ପ୍ରାତଃ ସ୍ମରଣୀୟ ସୁବାଷ ଚନ୍ଦ୍ର ବୋଷଙ୍କ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ବାଧିନତା ଦେବି’ ଏବଂ ଦିଲ୍ଲୀ ଚଲୋ ଡ଼ାକରାରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା । ଯଦ୍ୱାରା ତତ୍ କାଳୀନ ପରାଧୀନ ଭାରତରେ ଏକ ଉତେଜନା ପୂର୍ଣ୍ଣ ଉନ୍ମାଦନା ଭାରତୀୟମାନଙ୍କ ମନରେ ଜାଗ୍ରତ ହୋଇଥିଲା । ତାଙ୍କ ଦ୍ୱାରା ଗଠିତ ଆଜାଦ୍ ହିନ୍ଦ୍ ସରକାରର ଭୟରେ ଇଂରାଜୀ ସରକାର ଭାରତକୁ ସ୍ୱାଧୀନତା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲା । କିନ୍ତୁ ୧୯୪୫ ମସିହା ୧୮ ଅଗଷ୍ଟ ରେ ହଠାତ୍ ତାଙ୍କର ଅନ୍ତର୍ଦ୍ଧାନକୁ ବିମାନ ଦୁର୍ଘଟଣା ଜନିତ ମୃତ୍ୟୁ ବରଣ କରିଥିବା ଘୋଷଣା କରାଯାଇଥିଲା । କିନ୍ତୁ ଏବେ ମଧ୍ୟ ଆଜାଦ୍ ହିନ୍ଦ୍ ସେନାନୀ ତାଙ୍କର ମୃତ୍ୟୁ ବରଣ କରିଥିବା ବିଷୟକୁ ସ୍ୱୀକାର କରୁନାହାନ୍ତି । ଭାରତର ସ୍ୱାଧୀନତା ପାଇଁ ତାଙ୍କର ବଳିଦାନ ଅତୁଳନୀୟ ଏବଂ ଅବିସ୍ମରଣୀୟ ବୋଲି ସଭାପତିଙ୍କ ସମେତ ଅନ୍ୟ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଶେଷରେ ଦୀନବନ୍ଧୁ ଶ୍ରୀପଲ୍ଲବ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା