ଉତ୍ତର-ଆଧୁନିକ ଓଡ଼ିଆ ସାହିତ୍ୟ ଓ ଓଡ଼ିଆ ଅସ୍ମିତା ଆଲୋଚନାଚକ୍ର : ନୂଆ ସମାଜ ଗଠନ କରିବାର ଦାୟିତ୍ଵ ସାହିତ୍ୟିକଙ୍କର

ରାଉରକେଲା(ସମୃଦ୍ଧଓଡିଶା) ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ଶାଖା ଓ ଓଡ଼ିଆ ବିଭାଗ, ରାଉରକେଲା କଲେଜର ମିଳିତ ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଂଗଠନ ସମ୍ପାଦକ କୁଞ୍ଜବିହାରୀ ରାଉତଙ୍କ ଆବାହକତ୍ଵ ଓ ଓଡ଼ିଆ ବିଭାଗର ମୁଖ୍ୟ ପ୍ରଧ୍ୟାପିକା ରଶ୍ମିପ୍ରଭା ମଥାନଙ୍କ ସୁସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ପ୍ରଫେସର ଡ. ରବୀନ୍ଦ୍ର କୁମାର ଜେନା ଅଧ୍ୟକ୍ଷତା କରିଥିଲାବେଳେ ମୁଖ୍ୟଅତିଥି ଭାବେ ମ୍ୟୁନିସିପାଲ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସନାତନ ପ୍ରଧାନ, ବିଷୟ ବିଶେଷଜ୍ଞ ଭାବେ କଟକ ଟାଙ୍ଗି କଲେଜର ପ୍ରାକ୍ତନ ପ୍ରାଧ୍ୟାପକ ଡ. ଗୋବିନ୍ଦ ଲେଙ୍କା, ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଦସ୍ୟ ତଥା କବି ରାଜୀବ ପାଣି, ଗାନ୍ଧୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଡ. ସୁରେନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗଦେଇ ଆଲୋଚ୍ୟ ବିଷୟ ‘ଉତ୍ତର-ଆଧୁନିକ ଓଡ଼ିଆ ସାହିତ୍ୟ ଓ ଓଡ଼ିଆ ଅସ୍ମିତା ‘ ସମ୍ପର୍କରେ ଆଲୋଚନା କରିଥିଲେ। ଆଲୋଚ୍ୟ ବିଷୟ ସମ୍ପର୍କରେ ଆଲୋଚନା କରି ମୁଖ୍ୟଅତିଥି ଡ. ପ୍ରଧାନ କହିଲେ ଯେ ଭାରତବର୍ଷରେ ଯେତେ ପ୍ରାଚୀନ ସାହିତ୍ୟ ରହିଛି ତାହା କାଳଜୟୀ। ଓଡିଆ ଅସ୍ମିତା କେବଳ ଭାଷାରେ ନୁହେଁ, ନିଜ ଭିତରେ ଥିବା ଅହଂରେ ଅଛି। ନୂଆ ସମାଜ ଗଠନ କରିବାର ଦାୟିତ୍ଵ ସାହିତ୍ୟିକଙ୍କର। ବିଷୟ ବିଶେଷଜ୍ଞ କବି ଶ୍ରୀ ପାଣି ତାଙ୍କ ବକ୍ତବ୍ୟରେ କହିଲେ ଯେ ଅସ୍ମିତା ହେଉଛି ଆମର ପରିଚୟ, ଯାହା ଗୋଟେ ଜାତିକୁ, ବ୍ୟକ୍ତିକୁ ପରିଚୟ ଦିଏ। ନିଜ ଭିତରେ ନିଜର ସ୍ବାଭିମାନ ହିଁ ଅସ୍ମିତା। ମଣିଷ ସହ ମଣିଷ ଯୋଡିବା ଅସ୍ମିତା। ସାହିତ୍ୟ ଆମ ଚେତନାକୁ ଉତ୍ତରିତ କରୁଛି। ଆଧୁନିକ ହେଉଛି ଚେତନା ଓ ବ୍ୟକ୍ତି ହେଉଛି ଚେତନାର ବାହାକ। ଅନ୍ୟ ତମ ବିଷୟ ବିଶେଷଜ୍ଞ ଡ. ଲେଙ୍କା ତାଙ୍କ ବକ୍ତବ୍ୟରେ କହିଲେ ଆନ୍ତର୍ଜାତିକ ସ୍ତରରେ ଉତ୍ତର-ଆଧୁନିକତା ବାମାବାଦ, ନବବାମବାଦ, ଉତ୍ତର-ସଂରଚନାବାଦ, ବିଘଟନବାଦ, ପରିବେଶବାଦ ଯେତିକି ପ୍ରଭାବ ପକାଇଛି, ଓଡ଼ିଆ ସାହିତ୍ୟରେ ଉତ୍ତର-ଆଧୁନିକତା ସେହି ସଘନ ପ୍ରଭାବ ଦ୍ବାରା ଏତେ ପ୍ରଭାବିତ ନୁହେଁ, କେତେକ କ୍ଷେତ୍ରରେ ବିଶେଷକରି ଉତ୍ତର ବାମବାଦ, ବାମାବାଦ, ପ୍ରକୃତିବାଦ, ପରିବେଶବାଦ ଆଦି ଦ୍ଵାରା କିଛି ମାତ୍ରାରେ ପ୍ରଭାବିତ। ସ୍ଥାନୀୟ ସମସ୍ୟା ଜର୍ଜର ଓଡ଼ିଆ କବିତା ବିଶ୍ବାୟନ, ଆଞ୍ଚଳିକତା, ମାନବିକତା, ଦାଦନ ସମସ୍ୟା, ଚାଷୀ ମୃତ୍ୟୁ, ଶିଳ୍ପାୟନ ଯୋଗୁଁ ଜଙ୍ଗଲ ଅବକ୍ଷୟ, ବିସ୍ଥାପନ ଓ ଆଦିବାସୀ ନିଷ୍ପେଷଣ, ନାରୀ ନିର୍ଯାତନା, ଶିଶୁମୃତ୍ୟୁ, କୁପୋଷଣ, ଦାରିଦ୍ର୍ୟ, ତୃତୀୟ ଲିଙ୍ଗୀ ଓ ସମଲିଙ୍ଗୀର ଗୁରୁତ୍ବ, ପରଂପରାର, ସଂସ୍କୃତି ପ୍ରତି ଅନୁରାଗ ପ୍ରଭୃତି ପ୍ରତି ଉତ୍ତର ଆଧୁନିକ ଓଡ଼ିଆ ସାହିତ୍ୟର ସ୍ରଷ୍ଟା ସଂବେଦନଶୀଳ ହୋଇଛନ୍ତି ଏବଂ ଏହାଦ୍ୱାରା ଓଡ଼ିଆ ଅସ୍ମିତା ପ୍ରକଟିତ ଓ ପ୍ରଶସ୍ତ ହୋଇପାରିଛି। ସେହିପରି ବିଷୟ ବିଶେଷଜ୍ଞ ଡ. ବେହେରା ତାଙ୍କ ବକ୍ତବ୍ୟରେ ଅସ୍ମିତାର ଗୈାରବ ଓ ଗରିମା ସମ୍ପର୍କରେ ଆଲୋଚନା କରିଥିଲେ। ଏହା ସହ ପ୍ରାକ୍ ଆଧୁନିକତା, ମଧ୍ୟବର୍ତ୍ତୀ ଆଧୁନିକତା ଓ ଉତ୍ତର ଆଧୁନିକତା ତଥା କବିତାରେ ଉତ୍ତର ଆଧୁନିକତା ସମ୍ପର୍କରେ ବିଭିନ୍ନ ତଥ୍ୟ ଭିତ୍ତିକ ଆଲୋଚନା କରିଥିଲେ । ପ୍ରାରମ୍ଭରେ ସଂଯୋଜିକା ଶ୍ରୀମତୀ ମଥାନ ସ୍ବାଗତ ଭାଷଣ ଓ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାକ୍ ସୂଚନା ପ୍ରଦାନ କରିଥିଲା ବେଳେ ପରିଷଦର ରାଉରକେଲା ଶାଖାର ସଂଯୋଜକ ତଥା ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଅଧ୍ୟକ୍ଷତା କରି ଡ. ଜେନା କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଏହା କିପରି ଛାତ୍ର-ଛାତ୍ରୀଙ୍କ ପାଇଁ ଉପଯୋଗୀ ତାହା ବ୍ୟକ୍ତ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତଙ୍କ ସଭାପତିତ୍ବ ଓ ରାଉରକେଲା କଲେଜର ଅଧ୍ୟାପିକା ପ୍ରିୟଙ୍କା ପଲାଇ ତଥା ସୁଶୀଳାବତୀ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ସିମରନ୍ ମହାପାତ୍ରଙ୍କ ସଂଯୋଜନାରେ ଅପର୍ଣ୍ଣା ପାହାରୀ, ସୋନାଲି ମହାନନ୍ଦ, ସୈାମ୍ୟରଞ୍ଜନ ମହାନ୍ତି, ପୂଜା କୁସୁମ, କରିସ୍ମା ନାୟକ, ଜ୍ୟୋସ୍ନା ଏକ୍କା, ତ୍ରିଲୋଚନ ସ୍ବାଇଁ ଓ ବାମରାରୁ ଆସିଥିବା କବୀ ରେବତୀ ନାୟକ କବିତା ପାଠ କରିଥିଲେ। ଶେଷରେ ଅପର୍ଣ୍ଣା ପାହାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପିକା ଲକ୍ଷ୍ମୀ ମାଝୀ, ମହାଶ୍ବେତା ସାହୁ, ଲିପିକା କେରକେଟା, ଶେଫାଳି ବାରିକ, ଭାରତୀ ଖମାରୀ, ଗାଳ୍ପିକ କାଶୀନାଥ ନନ୍ଦୀ, ଜଗନ୍ନାଥ ରାଉତ, ମହେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଲିପ୍ସା ବଳିୟାରସିଂହ, ହିମାଂଶୁ ନାୟକ, ଅଭିଷେକ ପରିଡ଼ା, ଛବିଳ ସେଠୀ, ବିକି ନାଗ, ତପସ୍ଵିନୀ କୁମ୍ଭାର, ଅନୁଶ୍ରୀ ରାଉତ, ଲକ୍ଷ୍ମୀପ୍ରିୟା ସାହୁ, ଶ୍ରୀୟା ବାଗ, ସୁଶ୍ରୀ ରେଖା ବେହେରା, ସିନ୍ତା ପାତର, ମନୀଷା ନାଗ, ସ୍ବପ୍ନା ପ୍ରଧାନ, ସରସ୍ଵତୀ ମାଣିକପୁରୀ, ଆଶାପୂରା ରାଉତ, ଅରୁଣ ଟେଟେ, ପ୍ରକାଶ ଓଝା ପ୍ରମୁଖ ଓଡ଼ିଆ ବିଭାଗର ଛାତ୍ର-ଛାତ୍ରୀ।

ରିପୋର୍ଟ : ରଜତ ମହାପାତ୍ର