ଜଳେଶ୍ୱର (ସମୃଦ୍ଧ ଓଡିଶା) ଦକ୍ଷିଣ-ପୂର୍ବ ରେଳ ପଥର ଖଡଗପୁର ଡିଭିଜନ ଅଧିନରେ ଓଡିଶାର ଲକ୍ଷ୍ମଣନାଥ ଠାରୁ ରାଣିତାଲ ପର୍ଯ୍ୟନ୍ତ ରହିଛି । ଏ ସମସ୍ତ ଷ୍ଟେସନର ଆଧୁନିକ କରଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ତୃତୀୟ ରେଳ ଲାଇନ୍ର ସମ୍ପ୍ରସାରଣ କାର୍ଯ୍ୟ ଚାଲୁ ରହିଛି । ଓଡିଶାର ପ୍ରବେଶଦ୍ୱାର ଲକ୍ଷ୍ମଣନାଥ ରେଳ ଷ୍ଟେସନ ଅବହେଳିତ ଅବସ୍ଥାରେ ରହିଥିବା ବେଳେ ବହୁ ଦାବି ପରେ ଏହାର ୧ନଂ, ୨ଓ ୩ ନଂ ପ୍ଲାଟଫର୍ମର ସମ୍ପ୍ରସାରଣ ଓ ଆଧୁନିକୀ କରଣ କାର୍ଯ୍ୟ ଶେଷ ହୋଇଛି । ଏହି ଉପଲକ୍ଷେ ଆଜି ଷ୍ଟେସନ ପରିସରରେ ଆୟୋଜିତ ସଭାରେ ଖଡଗପୁର ଡିଭିଜନ୍ର ରେଳ ପ୍ରବନ୍ଧକ (ଡିଆର୍ଏମ୍) ମନୋରଂଜନ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ସୂଚନା ଦେବାକୁ ଯାଇ ଖଡଗପୁର-ଭଦ୍ରକ ମଧ୍ୟରେ ଥିବା ୨୬ଟି ଷ୍ଟେସନର ଆଧୁନିକୀ କରଣ ଲାଗି କାର୍ଯ୍ୟ ଆରମ୍ଭ ହୋଇଛି । ୩କୋଟି ୮୦ଲକ୍ଷ ଟଙ୍କା ବ୍ୟୟରେ ଲକ୍ଷ୍ମଣନାଥ ଷ୍ଟେସନର ୩ଟି ପ୍ଲାଟଫର୍ମର ନବିକରଣ କରାଯାଇଛି । ଏହି ଷ୍ଟେସନରେ ସିସି ଟିଭି ଲଗାଯିବା ସହିତ ପୂର୍ବ ଏକ ପାଦଚଲା ସେତୁ ନିର୍ମାଣ କରାଯିବା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ରେଳ ଷ୍ଟେସନଟି ଯାତୀୟ ରେଳଷ୍ଟେସନ ସୋପାନ ୬ରେ ଥିବା ବେଳେ କୋଭିଡ୍ ପୂର୍ବରୁ ପ୍ରତିଦିନ ହାରାହାରୀ ୨୫୯ଜଣ ଯାତ୍ରୀ ଯାତାୟାତ କରୁଥିବା ବେଳେ ୫୪୭୧ଟଙ୍କା ରାଜସ୍ୱ ମିଳୁଥିଲା । କିନ୍ତୁ ଏବେ କୋଭିଡ୍ ପରେ ପ୍ରତିଦିନ ହାରାହାରୀ ୨୭ଜଣ ଯାତ୍ରୀଙ୍କ ଠାରୁ ୬୭୧ ଟଙ୍କା ରାଜସ୍ୱ ମିଳୁଥିବା ସେ କହିଥିଲେ । କିନ୍ତୁ ପୂର୍ବରୁ ୬ଯୋଡା ପାସେଞ୍ଜର ଟ୍ରେନ ମଧ୍ୟରୁ ୪ଟି ଚାଲିଛି । ଆସନ୍ତା ଦିନରେ ଲକ୍ଷ୍ମଣନାଥ ଷ୍ଟେସନକୁ ଅଧିକ ଉନ୍ନତ ମାନର ଷ୍ଟେସନ କରାଯିବ ବୋଲି କହିଥିଲେ । ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସାଂସଦ ପ୍ରତାପ ଷଡଙ୍ଗୀ ଭାରତୀୟ ରେଳବାଇ ପୃଥିବୀରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ବୋଲି କହିଥିଲେ । ରେଳବାଇର ସୁବିଧା ସୁଯୋଗ ଯାତ୍ରୀମାନଙ୍କୁ ମିଳିବା ଉଚିତ୍ ଅନ୍ୟପକ୍ଷରେ ରେଳ ବ୍ୟବହାରକାରୀମାନେ ରେଳବାଇ ସମ୍ପତ୍ତିର ସୁରକ୍ଷା ପ୍ରତି ଯତ୍ନବାନ ହେବା ଉଚିତ୍ ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ବିଧାୟକ ଅଶ୍ୱିନୀ ପାତ୍ର ଓ ଖଡଗପୁର ରେଳ ଡିଭିଜନ୍ର ବାଣିଜ୍ୟ ପ୍ରବନ୍ଧକ ରାଜେଶ କୁମାର ଯୋଗ ଦେଇ ଏହି ଷ୍ଟେସନ ଉପରେ ନିର୍ଭର କରୁଥିବା ସମସ୍ତ ଯାତ୍ରୀମାନେ ଏହାର ଫାଇଦା ଉଠାଇ ପାରିବେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଡିଓଏମ୍, ବରିଷ୍ଠ ଡିଇଏନ୍, ବରିଷ୍ଠ ଡିସିଏମ୍, ବରିଷ୍ଠ ଡିଏସ୍ଟିଇ, ବରିଷ୍ଠ ଡିଇଇ, ସହକାରୀ ବାଣିଜ୍ୟିକ ମ୍ୟାନେଜର, ଲକ୍ଷ୍ମଣନାଥ ଷ୍ଟେସନ ମ୍ୟାନେଜର ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବହୁ ନେତୃସ୍ଥାନୀୟ ବ୍ୟକ୍ତି ଓ ଜନସାଧାରଣ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି ପରିଡା