ଉପଖଣ୍ଡ ସ୍ତରୀୟ ଦୁର୍ଗା ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଖଣ୍ଡ ସ୍ତରୀୟ ଦୁର୍ଗା ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କରାଯାଇଥିଲା । ଏଥିରେ ବ୍ରହ୍ମପୁର ସହରର ସମସ୍ତ ପୂଜା କମିଟିର ସଦସ୍ୟଙ୍କୁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୁର୍ଗା ପୂଜା କିଭଳି ଶାନ୍ତି ଶୃଙ୍ଖଳାରେ ପାଳନ କରାଯିବ । ସେଥିପାଇଁ ପ୍ରଶାସନ ତରଫରୁ ସମସ୍ତ ପୂଜା କମିଟିର ସଦସ୍ୟ ମାନଙ୍କୁ କୁହାଯାଇଛି । ଏହାସହ ପ୍ରଶାସନ ତରଫରୁ ପାଣି ଯୋଗାଣ, ବିଦ୍ୟୁତ କରଣ ଯୋଗାଇବା, ସମସ୍ତ ପୂଜା ମଣ୍ଡପରେ ସିସିଟିଭି ଲଗାଇବା, ପରିଷ୍କାର ପରିଚ୍ଛନ୍ନ କରିବା ଆଦି ନିରାପତ୍ତା ବ୍ୟବସ୍ଥା ରଖିବା ଏବଂ ସମସ୍ତ ପୂଜା ମଣ୍ଡପରେ ସ୍ଵେଚ୍ଛା ସେବକ ରଖିବା ପାଇଁ କୁହାଯାଇଛି । ଭସାଣି ତାରିଖ ସର୍ବସମ୍ମତି କ୍ରମେ ଆସନ୍ତା ଅକ୍ଟୋବର ୯/୨୦୧୯ ରିଖ ଦିନ ଅପରାହ୍ନ ୪ଟାରୁ ଆରମ୍ଭ ହୋଇ ରାତି ୯ ଘଣ୍ଟା ସମୟ ମଧ୍ୟରେ ଶେଷ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ବ୍ରହ୍ମପୁର ସହରର ବିଭିନ୍ନ ଜାଗାରେ ୪ ଗୋଟି ଅସ୍ଥାୟୀ ପୋଖରୀ ନିର୍ମାଣ କରିବା ପାଇଁ ମହାନଗର ନିଗମକୁ କୁହାଯାଇଛି । ଏହାସହ ଟ୍ରାଫିକ ସମସ୍ୟା ଦୂରୀକରଣ ନିମନ୍ତେ ଏସଡ଼ିପିଓଙ୍କୁ ଅରୁରୋଧ କରାଯାଇଛି । ଚଳିତ ବର୍ଷ ଦୁର୍ଗା ପୂଜା ସହରରେ ୪୪ ଗୋଟି ହେବ ବୋଲି ପୂଜା କମିଟିର ସଦସ୍ୟ ମାନେ ଅବଗତ କରାଇଛନ୍ତି । ଏହି ବୈଠକରେ ୪୪ ଗୋଟି ପୂଜା କମିଟିର ସଭାପତି, ସମ୍ପାଦକ ଉପସ୍ଥିତ ଥିବା ବେଳେ ଉପଖଣ୍ଡ ପୋଲିସ ଅଧିକାରୀ, ବ୍ରହ୍ମପୁର ମଣ୍ଡଳ ଅଗ୍ନିଶମ ଅଧିକାରୀ, ବିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ଉପଖଣ୍ଡ ସ୍ତରୀୟ ସମସ୍ତ ଅଧିକାରୀ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା