ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୁଲ ପାଟୱାରୀ ଛତ୍ରପୁର ସବଡିଭିଜନ ଅନ୍ତର୍ଗତ ୮ଟି ବ୍ଲକ ଅଧୀନ ୯୩୭ ଗାଁ ମଧ୍ୟରୁ ୮୧୩ ଗାଁ ତଥା ୮୭ ପ୍ରତିଶତ ଗାଁ ଗ୍ରୀନ୍ ଜୋନ୍ରେ ରହିଥିବା ବେଳେ ୯ଟି ସହରାଞ୍ଚଳର ୧୩୬ ୱାର୍ଡ ମଧ୍ୟରୁ ୬୪ ୱାର୍ଡ ତଥା ୪୭ ପ୍ରତିଶତ ୱାର୍ଡ ଗ୍ରୀନ୍ ଜୋନ୍ରେ ରହିଛି ବୋଲି ସୂଚନା ଦେଇଛନ୍ତି । ସେହିପରି ୮ଟି ବ୍ଲକର ୧୨୪ ଗାଁ ତଥା ୧୩ ପ୍ରତିଶତ ଗାଁ ରେଡ୍ ଜୋନ୍ରେ ରହିଥିବା ବେଳେ ୯ଟି ସହରାଞ୍ଚଳର ୭୨ଟି ୱାର୍ଡ ତଥା ୫୩ ପ୍ରତିଶତ ରେଡ୍ ଜୋନ୍ରେ ରହିଛି । ଗ୍ରାମାଞ୍ଚଳ ଓ ସହରାଞ୍ଚଳ ରେଡ୍ ଜୋନ୍ ଇଲାକାରେ ୪-ଟି(ଟ୍ରାକିଙ୍ଗ, ଟ୍ରେସିଙ୍ଗ୍, ଟେଷ୍ଟିଙ୍ଗ ଓ ଟ୍ରିଟ୍ମେଣ୍ଟ)କୁ ଗୁରୁତ୍ୱ ଦିଆଯାଇଛି ରେଡ୍ଜୋନ୍ ଗାଁ ଏବଂ ସହରାଞ୍ଚଳର ୱାର୍ଡ ଗୁଡିକୁ ଗ୍ରୀନ୍ ଜୋନ୍ କରିବା ଲାଗି ଏବଂ ଗ୍ରୀନ୍ ଜୋନ୍ରେ ଥିବା ଗାଁ ଏବଂ ୱାର୍ଡ ଗୁଡିକୁ ଗ୍ରୀନ୍ ଜୋନ୍ରେ ବଞ୍ଚିତ ରଖିବା ପାଇଁ ଉଦ୍ୟମ ଜାରି ରହିଛି । ଏହାସହ ଛତ୍ରପୁର ସବଡିଭିଜନ ଅନ୍ତର୍ଗତ ସମସ୍ତ ବ୍ଲକ ଓ ସହରାଞ୍ଚଳରେ କୋଭିଡ୍ ପରିଚାଳନା ଲାଗି ବିଭିନ୍ନ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ରେଡ୍ ଜୋନ୍ରେ ଥିବା ଗାଁ ଓ ୱାର୍ଡ ଗୁଡିକର ତଦାରଖ ନିମନ୍ତେ ପ୍ରତି ବ୍ଲକ ଓ ସହରାଞ୍ଚଳ ପାଇଁ ଜଣେ ଲେଖାଁଏ ଓଏସ୍ଡି ଅଫିରସମାନଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ଅଫିସରମାନେ ରେଡ୍ଜୋନ୍ ଇଲାକାରେ ଲୋକଙ୍କ ସ୍ୱାସ୍ଥ୍ୟ, ମେଡିକାଲ, ସାନିଟାଇଜର୍, ଅତ୍ୟାବଶ୍ୟକୀୟ ସାମଗ୍ରୀ, ସ୍ୱାବ୍ ଟେଷ୍ଟ ଆଦି କାର୍ଯ୍ୟ ଗୁଡିକୁ କିଭଳି ପରିଚାଳନା କରାଯାଉଛି ତାହା ତଦାରଖ କରିବେ କିଛି ସମସ୍ୟା ହେଲେ ବିଡିଓ, ତହସିଲଦାର, ସହରାଞ୍ଚଳର ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ କରିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ଦାୟିତ୍ୱ ଗୁଡିକୁ ସଠିକ୍ ଭାବେ କାର୍ଯ୍ୟ କରି ରେଡ୍ ଜୋନ୍ରୁ ତୁରନ୍ତ ଗ୍ରୀନ୍ ଜୋନ୍କୁ ଫେରାଇ ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସେହିପରି କୋଭିଡ୍ ମନିଟର ଏବଂ କୋଭିଡ୍ କେୟାର କମିଟି ମଧ୍ୟ ଏଦିଗରେ କାର୍ଯ୍ୟ କରି ଆସୁଛନ୍ତି । ଗ୍ରାମାଞ୍ଚଳରେ ୨୪୯୯ ଏବଂ ସହରାଞ୍ଚଳରେ ୧୩୬ ଜଣ ସମୁଦାୟ ୨୬୩୫ କୋଭିଡ୍ ମନିଟରଙ୍କୁ ନିଯୁକ୍ତି ଦିଆଯାଇଛି । ପଜିଟିଭ୍ ଚିହ୍ନଟ ହୋଇଥିବା ଇଲାକା ଗୁଡିକରେ ସ୍ଥିତି କିଭଳି ରହିଛି, ସେଥି ନିମନ୍ତେ କେଉଁ ପ୍ରକାର ପଦକ୍ଷେପ ନିଆଯିବାର ଅବଶ୍ୟକ ରହିଛି ସେ ସଂକ୍ରାନ୍ତରେ ଅଧିକାରୀମାନଙ୍କ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି । ଛତ୍ରପୁର ସବ୍ଡିଭିଜନ ଅନ୍ତର୍ଗତ ଛତ୍ରପୁର, ହିଞ୍ଜିଳି ଏବଂ ଖଲ୍ଲିକୋଟ ତିନୋଟି ଅଞ୍ଚଳରେ ସ୍ୱାବ୍ ଟେଷ୍ଟ କରିବା ପାଇଁ ସେଣ୍ଟର ରହିଛି । ଏଥିସହ ସବୁ ବ୍ଲକର ଗାଁସ୍ତରରେ ସ୍ୱାବ୍ ଟେଷ୍ଟ ପ୍ରକ୍ରିୟା ଜାରି ରହିଛି । ଯେଉଁମାନଙ୍କ ପଜିଟିଭ୍ କିମ୍ବା କରୋନା ଲକ୍ଷଣ ସନ୍ଦେହ ରହିଛି ସେମାନଙ୍କୁ ପଞ୍ଚାୟତ ଏବଂ ସହରାଞ୍ଚଳର ସଦର ମହକୁମାରରେ ଥିବା କୋଭିଡ୍ କେୟାର ହୋମ୍କୁ ଚିକିତ୍ସା ପାଇଁ ପଠାଯାଉଛି । କୋଭିଡ୍ କେୟାର ହୋମ୍ରେ ରୋଗୀଙ୍କୁ ଉତ୍ତମ ଖାଦ୍ୟ ସହ ଦୈନିକ ଦୁଇଥର ଡାକ୍ତର ରୋଗୀଙ୍କ ଚିକିତ୍ସା ସଂକ୍ରାନ୍ତରେ ପଚାରି ବୁଝିବାର ବ୍ୟବସ୍ଥା ରହିଛି । ୮ଟି ବ୍ଲକର ୧୬୮ କୋଭିଡ୍ କେୟରା ହୋମ୍ରେ ରୋଗୀଙ୍କ ପାଇଁ ୧୭୫୨ ଶଯ୍ୟା ଏବଂ ୯ଟି ସହରାଞ୍ଚଳରେ ୧୮୩ ଶଯ୍ୟାର ବ୍ୟବସ୍ଥା ରହିଛି । ଉପଖଣ୍ଡରେ ୩୧ଟି ପଞ୍ଚାୟତ ଆମ୍ବୁଲାନ୍ସ ସୁବିଧା ରହିଥିବା ବେଳେ ଜରୁରୀ କାଳୀନ ରୋଗୀଙ୍କ ନିମନ୍ତେ ପ୍ରତି ବ୍ଲକରେ ୨ଟି ଲେଖାଁଏ ଅକ୍ସିଜେନ୍ ଉପଲବ୍ଧ ରହିଥିବା ଆମ୍ବୁଲାନ୍ସ ଯୋଗାଇ ଦିଆଯିବ । ସର୍ବସଧାରଣଙ୍କ ନିମନ୍ତେ ୮୪୮୦୮୩୮୬୦୩ ଛତ୍ରପୁର ଉପଖଣ୍ଡ ପକ୍ଷରୁ ହେଲପଲାଇନ୍ ମୋବାଇଲ ନମ୍ବର ଜାରି କରାଯାଇଛି । ଆଜି ସୁଦ୍ଧା ଛତ୍ରପୁର ଉପଖଣ୍ଡରେ ୧୩୧୫ ସଂକ୍ରମଣ ହୋଇଥିବା ବେଳେ ୬୯୯ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୫୮୭ ଜଣ ଏକ୍ଟିଭ୍ କେସ୍ ରହିଛି ଏବଂ ୨୯ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେହିପରି ଉପଖଣ୍ଡରେ ୩୯ଟି କ୍ଲଷ୍ଟର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୮୧ ଜଣ ପ୍ରବାସୀ ସଙ୍ଗରୋଧରେ ରହିଛନ୍ତି । ପଜିଟିଭ୍ ଚିହ୍ନଟ ପରେ ଉକ୍ତ ଇଲାକାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଉଛି । ଆଜି ସୁଦ୍ଧା ଛତ୍ରପୁର ସବ୍ଡିଭିଜନ୍ ଅନ୍ତର୍ଗତ ଗ୍ରାମାଞ୍ଚଳରେ ୫୨ ଏବଂ ସହରାଞ୍ଚଳର ୧୨ ଟିସମୁଦାୟ ୬୪ଟି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ରହିଛି । ୧୩୪୬ ଜଣ ଏବଂ ଘରୋଇ ସଙ୍ଗରୋଧରେ ଅଛନ୍ତି । କୋଭିଡ୍୧୯ ପରିଚାଳନା ତଥା ମୁକିବାଲ ନିମନ୍ତେ ବିଭିନ୍ନ ସିନିଅର ଅଧିକାରୀଙ୍କ ଠାରୁ ଆରମ୍ଭ କରି ଗାଁ, ସହରାଞ୍ଚଳରେ ଅଙ୍ଗନବାଡି, ଆଶା କର୍ମୀ, ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ, ୱାର୍ଡ କମିଟି, ବ୍ଲକ ଓ ଏନ୍ଏସି ପ୍ରଶାସନ ଏବଂ ପୁଲିସ ପକ୍ଷରୁ ସଚେତନତା ଜାରି ରହିଛି । କରୋନା କଣ, ଏହାକୁ ପ୍ରତିହତ କରିବା ଲାଗି ସାମାଜିକ ଦୂରତା, ମାସ୍କ ପିନ୍ଧିବା, ହାତକୁ ବାରମ୍ବାର ଧୋଇବା, ଦୋକାନୀ, ଯାନାବାହନ ଚାଳକମାନଙ୍କୁ ମଧ୍ୟ କୋଭିଡ୍-୧୯ ନିୟମକୁ କଡାକଡି ପାଳନ କରିବା ଲାଗି ସଚେତନତା କରାଯାଉଛି । ଏହାସତ୍ତ୍ୱେ କିଛି ଅମାନିଆଙ୍କ ପ୍ରତି ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । କୋଭିଡ୍ ନିୟମ ଉଲ୍ଲଂଘନ ତଥା ମାସ୍କ ନପିନ୍ଧିବା, ସାମାଜିକ ଦୂରତାକୁ ଅବମାନନା, ବାହାରେ ଛେପ ପକାଇବା ଆଦି ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଆଜି ସୁଦ୍ଧା ଉପଖଣ୍ଡ ଅଧୀନରେ ୧୮ ଲକ୍ଷ ୧୬ ହଜାର ୪୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ଏଥିସହ କୋଭିଡ୍ କେୟାର ହୋମ୍ରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀଙ୍କ କରୋନା ଜନିତ ମୃତ୍ୟୁ ହେଲେ ୫୦ଲକ୍ଷ ଟଙ୍କା ଜୀବନବୀମା ପଲିସ୍ ଘୋଷଣା କରାଯାଇଥିବା ସହ ଆଶା ଓ ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ହେଲେ ସେମାନଙ୍କ ପାଇଁ ରାଜ୍ୟ ସରକାର ଏକ ସହୟତା ରାଶି ଘୋଷଣା କରିଛନ୍ତି । ଯେଉଁ ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ହେବେ ତାଙ୍କରି ୬୦ ବର୍ଷ ବୟସର ଅବସରକୁ ଛାଡି ବାକି ଚାକିରି ସମୟର ମାସିକ ୭୫୦୦ ଏବଂ ଆଶାକର୍ମୀଙ୍କ ପାଇଁ ୫ ହଜାର ଲେଖାଁଏ ମୃତକଙ୍କ ଉତ୍ତରାଧିକାରୀ ତଥା ନିକଟତ ସଂପର୍କୀୟଙ୍କୁ ରାଜ୍ୟ ସରକାର ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା