ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ପରିଷଦର ଛତ୍ରପୁର ବ୍ଲକ ଅନ୍ତର୍ଗତ ୧୯ନଂ ଜିଲ୍ଲା ପରିଷଦ ସଭ୍ୟ ପଦବୀ ପାଇଁ ଉପନିର୍ବାଚନ ଆସନ୍ତା ୨୭ତାରିଖରେ ଅନୁଷ୍ଠିତ ହେଉଥିବା ବେଳେ ନାମାଙ୍କନ ପତ୍ର ଦାଖଲ ଶେଷ ଦିବସରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ମାନେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ବିଜେଡି ପକ୍ଷରୁ ଛତ୍ରପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଆଜି ନାମାଙ୍କନ ପତ୍ର ପ୍ରଦାନ କଲେ ପ୍ରମୋଦ କୁମାର ପ୍ରଧାନ । ଏହି ଜୋନ ୬ଟି ପଞ୍ଚାୟତ ତଥା ଚମାଖଣ୍ଡି, ଲକ୍ଷ୍ମୀପୁର, ଶ୍ରୀରାମଚନ୍ଦ୍ରପୁର, ସୁନ୍ଦରପୁର, ନରେନ୍ଦ୍ରପୁର ଓ ଟାଙ୍ଗଣାପଲ୍ଲୀକୁ ନେଇ ଗଠିତ । ଏହି ଆସନଟି ଅନୁସୂଚିତ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ଏହି ଜୋନରୁ ପୂର୍ବରୁ ବର୍ତ୍ତମାନର ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ବିଜୟୀ ହୋଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହୋଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ସୁବାଷ ଚନ୍ଦ୍ର ବେହେରା ବିଧାୟକ ହେବା ପରେ ସେହି ଆସନଟି ଖାଲି ପଡିଛି । ତେଣୁ ଏହି ଉପନିର୍ବାଚନ ଅନୁଷ୍ଠିତ କରାଯାଉଛି । ଏହି ନିର୍ବାଚନ ନିମନ୍ତେ ବିଭିନ୍ନ ଦଳରୁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବ୍ୟକ୍ତିମାନେ ହେଲେ ବିଜେଡିରୁ ପ୍ରମୋଦ କୁମାର ପ୍ରଧାନ, ବିଜେପି ପକ୍ଷରୁ ରଞ୍ଜିତ ପ୍ରଧାନ, କଂଗ୍ରେସ ପକ୍ଷରୁ ରବୀନ୍ଦ୍ର ସେଠି ଓ ସିପିଆଇରୁ ଭାଗିରଥି ପ୍ରଧାନ ନିଜର ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ନିଜର ପ୍ରାର୍ଥୀପତ୍ର ଛତ୍ରପୁର ଉପଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଛନ୍ତି । ଏହି ଅବସରରେ ସବୁ ରାଜନୈତିକ ଦଳ ପକ୍ଷରୁ ବହୁ ବରିଷ୍ଠ ନେତାମାନେ ଉପସ୍ଥିତ ରହିଥିବା ବେଳେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ଲକ ଅଧକ୍ଷ ଧନଞ୍ଜୟ ରେଡି, ବିଜେଡି ନେତା ଦୁର୍ଗା ପଣ୍ଡା, ସରପଞ୍ଚ ପିତାମ୍ବର ପଣ୍ଡା, ଟି. ଗୋପି, ରାଜୁ ବାବୁ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା