ରାସଗୋବିନ୍ଦପୁର ଏୟାର୍ଷ୍ଟ୍ରିପ୍ ଥିଲା ୨ୟ ବିଶ୍ୱଯୁଦ୍ଧର ପ୍ରମୁଖ ସ୍ଥାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ରବିଶ୍ୱରେ ୨ୟ ବିଶ୍ୱଯୁଦ୍ଧ କରାଳ ଛାୟା ଚାଲିଥିବା ବେଳେ ଓଡିଶାର ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ୍ ଥିଲା ପ୍ରମୁଖ ସ୍ଥାନ ଯାହା ଆଜିବି ମୁକସାକ୍ଷୀ ରହିଛି ବୋଲି ଓଡିଶାର ଜଳେଶ୍ୱର ଓ ପଶ୍ଚିମବଂଗର ଦାନ୍ତୁନ ସୀମାରେ ଥିବା ବାଇପାଟଣାଠାରେ ଆୟୋଜିତ ମାସିକ ଦଣ୍ଡଭୁକ୍ତି ସ୍ଥାନୀୟ ଇତିହାସ ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଛି । ଆଜି ସଂଧ୍ୟାରେ ବାଇପାଟଣାସ୍ଥିତ ହେରିଟେଜ୍ ସ୍କୁଲ ପରିସରରେ ପ୍ରତିମାସପରି ଚଳିତମାସ ଦଣ୍ଡଭୁକ୍ତି ଆତ୍ମଜନ୍, ସ୍ଥାନୀୟ ଇତିହାସ ଓ ସାହିତ୍ୟଚର୍ଯ୍ୟା ସମ୍ପର୍କୀତ ଆଲୋଚନାଚକ୍ରରେ ସଂଗଠନର ସଂପାଦକ ସନ୍ତୁ ଜେନା ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ଗବେଷକ ଡ. ଶ୍ରୀକାନ୍ତ ଚରଣ ପାତ୍ର ଯୋଗ ଦେଇ ୧୯୪୨ ମସିହାରେ ୨ୟ ବିଶ୍ୱଯୁଦ୍ଧ ସମୟରେ ରାସଗୋବିନ୍ଦପୁରର ଏୟାରଷ୍ଟ୍ରିପ୍ ପ୍ରମୁଖ ସ୍ଥାନ ଭାବେ ପରିଗଣିତ ହୋଇଥିଲା । ୩କିମି ଲମ୍ବ ବିଶିଷ୍ଟ ଏହାର ରନ୍ୱେ ଥିବା ବେଳେ ଏଠାରେ କେନ୍ଦ୍ର ସରକାରଙ୍କ ସାମରିକ ବିଭାଗର ୩୯.୬୫ଏକର ସ୍ଥାନ ଓ ରାଜ୍ୟ ସରକାରଙ୍କ ୧୩୦ଏକର ଜମି ରହିଛି । ଏହାକୁ ଏବେ ଏକ ସାମରିକ ଘାଟିଭାବେ ପ୍ରତିଷ୍ଠା କରିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ବତନ ସାଂସଦ ରବିନ୍ଦ୍ର କୁମାର ଜେନା କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ସୋର ଅଂଚଳର ଜୟନ୍ତ କୁମାର ମହାପାତ୍ର ନାମକ ବରିଷ୍ଠ ସେନା ଅଧିକାରୀ ସେଠାରେ ଏକ ସାମରୀକ ପ୍ରଶିକ୍ଷଣ ଏକାଡେମୀ ଖୋଲାଯିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ତାହା ଅଦ୍ୟାବଧି ହୋଇପରିନଥିବା କଥା ଡା. ପାତ୍ର କହିଥିଲେ । ମୁଖ୍ୟବକ୍ତା ଭାବେ ପଶ୍ଚିମବଂଗର ବିଶିଷ୍ଟ ସାମ୍ବାଦିକ ଅଖିଲ ବନ୍ଧୁ ମହାପାତ୍ର ଏସିଆର ସର୍ବବୃହତ୍ କଲେଇକୁଣ୍ଡା ସାମରିକଘାଟି ସହିତ ରାସଗୋବିନ୍ଦପୁର ଏୟାରଷ୍ଟ୍ରିପ୍ ସଂପର୍କ ଥିବାର ବହୁ ତଥ୍ୟ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବନ୍ତି ଜେନା, ପବିତ୍ର ପାତ୍ର., ଝଣ୍ଟା ଦାସ, ନିମାଇଁ ଦେ, ସୁବଲ ଚନ୍ଦ୍ର ଦେ, ଶୈଲେଶ ପଟ୍ଟନାୟକ, ରାଜଲକ୍ଷ୍ମୀ ଜେନା, ଅତନୁ ନନ୍ଦନ ମାଇତି ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ସୁବଲ ଚନ୍ଦ୍ର ଦେଙ୍କ ଓଡିଆ ଓ ବଂଗଳା ଭାଷା ମଧ୍ୟରେ ସୁ ସଂପର୍କ ଓ ଓଡିଶାର ପ୍ରସିଦ୍ଧ କବିମାନଙ୍କର ଅଳଙ୍କାର, ଚମ୍ପୁ, ଛନ୍ଦ, ଲାଳିତ୍ୟ ଓ କବିତା ସଂପର୍କରେ ବାଖ୍ୟା କରିଥିଲେ । ନିମାଇଁ ଚନ୍ଦ୍ର ଦେ, ଦେବାର୍ଘ ଘୋଷ, ଗୌରାଙ୍ଗ ପାତ୍ର ଓ ଝଣ୍ଟା ଦାସଙ୍କ କବିତା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।

ରିପୋର୍ଟ : ଭୂପତି କୁମାର ପରିଡ଼ା