ଉପାନ୍ତ ଚୁଡାମଣିପୁର ହୋମିଓପ୍ୟାଥି ଡାକ୍ତରଖାନାରେ ନାହାନ୍ତି ଡାକ୍ତର : ସ୍ୱାସ୍ଥ୍ୟସେବା ଠପ୍…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ସର୍ଦ୍ଦାରବନ୍ଧ, ଶ୍ୟାମନଗର ପ୍ରଭୃତି ଆଦିବାସୀ ଅଧ୍ୟୁସୀତ ଗ୍ରାମପଞ୍ଚାୟତର ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଚୁଡାମଣିପୁର ଠାରେ ଏକ ହୋମିଓପାଥିକ ଡାକ୍ତରଖାନା ଖୋଲାଯାଇଥିଲା । ମାତ୍ର ଉକ୍ତ ଡାକ୍ତରଖାନାରେ ଆଜକୁ ପ୍ରାୟ ୭ବର୍ଷ ଧରି କୌଣସି ସ୍ଥାୟୀ ଡାକ୍ତର ନ ଥିବା ଯୋଗୁଁ ସ୍ୱାସ୍ଥ୍ୟ ସେବା ଏକ ପ୍ରକାରର ଠପ୍ ହୋଇଯାଇଛି । ଫଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ସଠିକ୍ କାର୍ଯ୍ୟକାରୀ ହୋଇ ପାରୁନାହିଁ । ଫଳରେ ସେଇ ଅଞ୍ଚଳର ଗରିବ ଜନସାଧାରଣ ସାଧାରଣ ରୋଗ ନିମନ୍ତେ ଚିକିତ୍ସା ପାଇଁ ଖର୍ଚ୍ଚାନ୍ତ ହେବା ସଂଗେ ସଂଗେ ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଜିକେଭଟ୍ଟର ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡୁଛି । ଏହି ସମସ୍ୟା ସଂପର୍କରେ ବାଲେଶ୍ୱରସ୍ଥିତ ହୋମିଓପାଥିକ୍ ଇନିସ୍ପେକ୍ଟର ଡ. ନନ୍ଦକିଶୋର ଭୂୟାଁଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଜିଲାରେ ଏବେ ୫୭ଟି ହୋମିଓପାଥି ଡାକ୍ତରଖାନା ଥିବା ବେଳେ ତନ୍ମଧ୍ୟରୁ ୨୨ଟି ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନାହାନ୍ତି । ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଚୁଡାମଣିପୁର ଓ ଭୋଗରାଇ ବ୍ଲକ ଅନ୍ତର୍ଗତ ସୁକଷଣ୍ଡାରେ ଥିବା ଡାକ୍ତରଖାନାରେ ଦୀର୍ଘ ୭ବର୍ଷ ଧରି କୌଣସି ଡାକ୍ତର ନ ଥିବାରୁ ଏପରି ସମସ୍ୟା ଦେଖା ଦେଇଛି । ସେଥିପାଇଁ ବସ୍ତା ବ୍ଲକ ଅନ୍ତର୍ଗତ ପଣିଷାପଡା ଡାକ୍ତରଖାନାର ଡା. ସରୋଜ କୁମାର ଜେନାଙ୍କୁ ଅତିରିକ୍ତ ଦାୟିତ୍ୱ ଚୁଡରମଣିପୁର ପାଇଁ ଦିଆଯାଇଥିଲେ ସୁଦ୍ଧା ସେ ସବୁ ସମୟରେ ଏଠାରେ ଉପସ୍ଥିତ ହୋଇ ପାରୁନାହାନ୍ତି । ସର୍ଦ୍ଦାରବନ୍ଧ ସରପଞ୍ଚ ଦିଲ୍ଲିପ ସାମଲ ଯଥାଶୀଘ୍ର ଡାକ୍ତର ନିଯୁକ୍ତି ପାଇଁ ଦାବୀ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା