


ସୋରଡ଼ା(ସମୃଦ୍ଧ ଓଡିଶା)ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ନଦୀବନ୍ଧ ନିର୍ମାଣକୁ ଆଦିବାସୀଙ୍କ ବିରୋଧ I ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ଥିବା ସୋରଡ଼ା ବ୍ଲକର ପିପଳପଙ୍କା ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ଜଳଭଣ୍ଡାରକୁ ଅଖିଳ ଭାରତ କିଶାନ ମଜଦୂର ସଭା ପକ୍ଷରୁ ବିରୋଧ କରାଯାଇଛି । ସଂଗଠନ ପକ୍ଷରୁ ଆଜି ସୋରଡ଼ା ଠାରେ ଆୟୋଜିତ ବିଶାଳ ଗଣ ବିକ୍ଷୋଭ ଜରିଆରେ ସ୍ଥାନୀୟ ଚାଷୀ, ଆଦିବାସୀ ଓ ସାଧାରଣ ଲୋକେ ବିରୋଧ କରି ରାଜ୍ୟ ସରକାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଋଷିକୂଲ୍ୟା ନଦୀରେ ଏବେ ବର୍ଷର ଚାରି ମାସ ଜଳାଭାବ ଦେଖାଦେଉଥିବା ବେଳେ ଉପର ମୁଣ୍ଡରେ ନଦୀବନ୍ଧ କଲେ ତାହା ସମ୍ପୂର୍ଣ୍ଣ ଶୁଖିଯିବ ଏବଂ ତଳ ମୁଣ୍ଡରେ ଏହାକୁ ନିର୍ଭର କରି ଚାଷ କରୁଥିବା ହଜାର ହଜାର ପରିବାର ଜଳ ପାଇବାରୁ ବଞ୍ଚିତ ହେବେ ବୋଲି କୁହାଯାଇଛି । ଏହାବ୍ୟତୀତ ନଦୀବନ୍ଧ ନିର୍ମାଣ ଫଳରେ ଗାଜଲବାଡି ଓ ଗୋଛା ପଞ୍ଚାୟତର କୋଡ଼ିଏଟି ଗ୍ରାମର ହଜାର ହଜାର ଲୋକେ ନିଜର ଭିଟାମାଟିରୁ ବଞ୍ଚିତ ହେଉଥିବାରୁ କୌଣସି ପରିସ୍ଥିତିରେ ବି ଏହି ପ୍ରକଳ୍ପକୁ ହେବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଇଥିଲା । ଉପରୋକ୍ତ ଦାବି ବ୍ୟତିତ ବ୍ଳକର ଗରିବ ଓ ଭୂମିହୀନଙ୍କୁ ଜମି ଓ ଜଙ୍ଗଲ ଉପରେ ଅଧିକାର ପ୍ରଦାନ, ବିଦ୍ୟୁତକରଣ, ସୋରଡ଼ା ଜଳଭଣ୍ଡାରର ବଳକା ଜମିକୁ ଦଖଲରେ ଥିବା ଚାଷୀଙ୍କୁ ପଟ୍ଟା ପ୍ରଦାନ, ବନୀକରଣ ନାଁରେ ଜଙ୍ଗଲ ବିଭାଗର ଗରିବ ଲୋକଙ୍କ ଉପରେ ଜୁଲମ ବନ୍ଦ କରିବା, ଚାଷଜମିରେ ବଳପୂର୍ବକ ବୃକ୍ଷ ରୋପଣ ନକରିବା, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତାର ସର୍ବନିମ୍ନ ତିନି ହଜାର ଟଙ୍କାକୁ ବୃଦ୍ଧି କରିବା ଇତ୍ୟାଦି ଦାବି ନେଇ ସ୍ଥାନୀୟ ତହସିଲଦାରଙ୍କୁ ସ୍ମାରକପତ୍ର ଦିଆଯାଇଥିଲା ସର୍ବଭାରତୀୟ ଚାଷୀ ମୂଲିଆ ସଂଗଠନ ଅଖିଳ ଭାରତ କିଷାନ ମଜଦୁର ସଭା (AIKMS)ର ସର୍ବଭାରତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କେନ୍ଦ୍ରର ବିଜେପି ଓ ଆରଏସଏସର ସରକାର ଏବଂ ରାଜ୍ୟର ବିଜେଡି ସରକାରଙ୍କ ଜନ ବିରୋଧି ଏବଂ କର୍ପୋରେଟ୍ ସପକ୍ଷବାଦୀ ନୀତିକୁ ସମାଲୋଚନା କରି ଏହି ଉଭୟ ସରକାର ରାଜ୍ୟର ଗରିବ ଲୋକଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇ ଦେବାରେ ବିଫଳ ହୋଇଛନ୍ତି ବୋଲି କହିଥିଲେ । ଏଆଇକଏଏମଏସ୍ ବ୍ଳକ୍ ସଭାପତି କାଳୀଚରଣ ନାୟକ ସଭାପତିତ୍ବ କରିଥିବା ବେଳେ ବ୍ଳକ୍ ସମ୍ପାଦକ ସଂଗ୍ରାମ ନାୟକ, ଆଦିବାସୀ ନେତା ଉଗ୍ରସେନ ପ୍ରଧାନ, ସାମସନ୍ ଗମାଙ୍ଗ ତଥା ସଂଗଠନର ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଯୁବନେତା ଲକ୍ଷ୍ମୀ ନୃସିଂହ ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା