ଛତ୍ରପୁର (ସମୃଦ୍ଧ ଓଡିଶା) ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଗଞ୍ଜାମ ଜିଲ୍ଲା ଚାଷୀଙ୍କ ବଳକା ଧାନ କିଣିବା ଦାବୀ ନେଇ ଚାଷୀମାନେ ନିଜ ନିଜ ଆଦାୟ ଧାନ ବସ୍ତାକୁ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି ରୁଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ, ଉପଦେଷ୍ଟା ପ୍ରଫୁଲ ସାମନ୍ତରା, ନୀଳକଣ୍ଠ ଦାଶ, ପ୍ରଭାତ ପାଣିଗ୍ରାହୀ, କାଳିଆ ନାହାକ, ଅଇଠା ସାହୁ, ନିରଂଜନ ସ୍ୱାଇଁ, ମଧୁ ସୁଦନ ସେଠି, ହୀନ ଖୁଣ୍ଟିଆଙ୍କ ନେତୃତ୍ୱରେ ଆନ୍ଦୋଳନ କରାଯାଇଛି । ସୂଚନା ଅନୁଯାୟୀ କରୋନା ଭୁତାଣୁ ସଂକ୍ରମଣରୁ ସୁରକ୍ଷା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଭଲ କାମ କରୁଥିବାରୁ ଧନ୍ୟବାଦ ଜ୍ଞାପନ କରାଯାଇ ଚାଷୀଙ୍କ କଥା କିଏ ବୁଝୁ ନ ଥିବା ଅଭିଯୋଗ କରାଯାଇଛି । ଚାଷୀମାନେ ମୁଣ୍ଡ ଝାଳ ତୁଣ୍ଡରେ ମାରି ବର୍ଷଯାକର ଆଦାୟ ଧାନ ବିକ୍ରି କରିବାକୁ ଅନେଇ ବସିଥାନ୍ତି । ମାତ୍ର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ସେମାନଙ୍କ ଦୁଃଖ ବୁଝୁନାହାନ୍ତି ବୋଲି ଅଭିଯୋଗ କରାଯାଇଛି । ଯାହା ଫଳରେ ଚାଷୀ ବହୁ ହଇରାଣ ହରକତର ସମ୍ମୁଖୀନ ହେଉଛନ୍ତି । ଚାଷୀମାନେ ଧାନ ବିକିଲେ ଋଣ ଶୁଝିବେ, ପୁଣି କୃଷି ଋଣ ଆଣିଲେ ଏ ବର୍ଷ ଚାଷ କାମ ଆରମ୍ଭ କରିବେ ଓ ପରିବାର ପୋଷଣ କରିବେ । ଗଞ୍ଜାମ ଜିଲ୍ଲା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା । ଏହି ଜିଲ୍ଲାରେ ବାଚସ୍ପତି ଓ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବହୁ ଅଭିଜ୍ଞ ବିଧାୟକ/ବିଧାୟିକା ମାନେ ପ୍ରତିନିଧିତ୍ୱ କରିଥିଲେ ସୁଦ୍ଧା ଜିଲ୍ଲାର ଚାଷୀଙ୍କ କଥା କିଏ ବୁଝୁ ନ ଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି । କରୋନା ଯୋଗୁ ଲକ୍ ଡାଉନ୍ ଜାରୀ କରାଯାଇଥିବା ଫଳରେ ପନିପରିବା ଓ ଲଙ୍କା ଚାଷୀମାନେ ଅତି କମ୍ ଦରରେ ବିକ୍ରି କରି କ୍ଷତି ସହିଲେଣି ତ ଆଉ କେତେକ ଚାଷୀ ଆଦାୟ ପନିପରିବା ଚାଷ ଜମିରେ ହିଁ ପଚି ନଷ୍ଟ ହୋଇଛି । ଗଞ୍ଜାମ ଜିଲ୍ଲାରେ ୧ ଲକ୍ଷ ୩୪ ହଜାର ୪୦୦ଜଣ ଚାଷୀ ଧାନ କିଣିବା ପାଇଁ ପଞ୍ଜିକରଣ କରିଥିବା ବେଳେ ମାତ୍ର ୮୦,୧୭୭ ଜଣ ଚାଷୀଙ୍କର ଧାନ କିଣାଗଲା । ପ୍ରାୟ ୪୪ ହଜାର ଚାଷୀ ୪ ମାସ ସମୟ ମଣ୍ଡିରେ ଧାନ ବିକ୍ରି କରିବେ ବୋଲି ଅପେକ୍ଷା କରି ହତାଶ ହୋଇ ଆନ୍ଧ୍ରର ବେପାରୀମାନଙ୍କୁ ୭୭ କେ.ଜି. ଧାନକୁ ୧୦୫୦ ଟଙ୍କା ଦରରେ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିଲେ । ସମବାୟ, ଯୋଗାଣ ଓ ରାଜସ୍ୱ କର୍ମଚାରୀ ମାନଙ୍କ ମିଳିତ ସର୍ଭେ କରାଯାଇ ମାର୍ଚ୍ଚ ୨୧ ତାରିଖରେ ୧୩ହଜାର ଅଧିକ ଚାଷୀଙ୍କ ଧାନ ବିକିବାକୁ ରହିଛନ୍ତି ବୋଲି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ମାତ୍ର ମାର୍ଚ୍ଚ ୨୨ତାରିଖରେ ଟୋକେନ୍ ଆସିଲା ପରେ କରୋନା ଯୋଗୁଁ ଜନତା କରଫୁ ଓ ଲକ ଡ଼ାଉନ୍ ହେବା ଯୋଗୁଁ ହଠାତ୍ ୨୭.୩.୨୦ ପରେ ଧନ କିଣା ବନ୍ଦ କରିଦେଲେ । ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଧାନ କିଣିବା ପାଇଁ ସରକାର ଘୋଷଣା କରିଥିଲେ । ଫଳରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ପ୍ରାୟ ୧୦ ହଜାରରୁ ଅଧିକ ଚାଷୀ ଟୋକେନ ଧରି ମଣ୍ଡିରେ ଧାନ ବିକିବା ପାଇଁ ଅନେଇ ବସିଛନ୍ତି । ସେମାନେ ଧାନ ବିକ୍ରି କରିଲେ ଋଣ ଶୁଝିବେ, ପୁଣି କୃଷି ଋଣ ଆଣିଲେ ଏ ବର୍ଷ ପାଇଁ ଚାଷ କାମ ଆରମ୍ଭ କରିବେ ଏବଂ ପରିବାର ପାଷଣ କରିବେ । ଏ ସଂପର୍କରେ ରୁଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଯୋଗାଣ କମିଶନରଙ୍କୁ ବାରମ୍ବାର ଜଣାଯାଇଥିଲେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ ନ କରି ଜିଲ୍ଲାପାଳ ଦିନ ଗଡ଼େଇ ଗଡ଼େଇ ଚାଲିଛନ୍ତି ଫଳରେ ଚାଷୀମାନେ ବହୁତ ହଇରାଣ ହେଉଛନ୍ତି ବୋଲି ଅଭିଯୋଗ କରାଯାଇଛି । ରବି ଫସଲ ବିକ୍ରି ପାଇଁ ମଣ୍ଡି ଖୋଲା ଯାଇନାହିଁ । କରୋନା ପ୍ରଭାବ ଯୋଗୁଁ କ୍ଷତିଗ୍ରସ୍ତ ଚାଷୀଙ୍କ ରୁଣ ଆଦାୟ ନ କରି ଚଳିତ ବର୍ଷର ଧାନ ଚାଷ ପାଇଁ କୃଷି ଋଣ ଦେବା ପାଇଁ ନିର୍ଦ୍ଦେଶ ଦେବା ସହ ଚାଷୀଙ୍କ ବଳକା ଧାନ କିଣିବା ପାଇଁ ନିର୍ଦ୍ଦେଶ ଦିଆଯାଉ ଏବଂ ରବି ଫସଲ ମୁଗ, ବିରି, ଚିନାବାଦାମ, ଲଙ୍କା ମରିଚ କିଣିବା ପାଇଁ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଚାଷୀମାନେ ଉପକୃତ ହେବେ ବୋଲି ମହାସଭା ପକ୍ଷରୁ ଦାବୀ କରାଯାଇଛି । ଏନେଇ ଏକ ଦାବୀ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଜରିଆରେ ପ୍ରଦାନ କରାଯାଇଛି । ସୂଚନା ଯେ ଏହି ବିକ୍ଷୋଭରେ ଛତ୍ରପୁର ବ୍ଲକର ବିପୁଳିଙ୍ଗି ଗ୍ରାମର ପ୍ରଭାତ କୁମାର ପାଣିଗ୍ରାହୀ ନାମକ ଏକ ଚାଷୀଙ୍କ ୨୦୦ ବସ୍ତା ଧାନ ରହିଥିବା ଯୋଗୁଁ ତାଙ୍କ ଧାନ ଜାଣିଶୁଣି ସୋସାଇଟି ସେକ୍ରେଟାରୀ କିଣି ନ ଥିଲା । ଯାହା ଫଳରେ ସେ ସରକାରଙ୍କୁ ଧାନ ବିକ୍ରି କରିବାରେ ବଞ୍ଚିତ ହୋଇ ଥିବାରୁ ଆଜି ତାଙ୍କ ଧାନ ତୁରନ୍ତ ଜିଲ୍ଲା ପ୍ରଶାସନ କିଣୁ ବୋଲି ଦାବି ନେଇ ହାତରେ ବିଭିନ୍ନ ପ୍ଲା କାର୍ଡ଼ ଓ ଫିନାଇଲ ଧରି ବିକ୍ଷୋଭ ପ୍ରଦର୍ଶନ କରାଯାଇ ଯଦି ଦାବୀ ପୁରଣ ନ କରାଯାଏ ତେବେ ଆଗାମୀ ଦିନରେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଥିବା ମଧ୍ୟ ସେମାନଙ୍କ ପ୍ଲା କାର୍ଡ଼ରେ ଉଲ୍ଲେଖ କରାଯାଇଥିବା ଜଣାପଡିଛି । ଏହି ଆନ୍ଦୋଳନାରେ ବହୁ ଚାଷୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା