ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ଏବେ ଧାନ ଫସଲ କ୍ଷେତରେ ଅଭାବନୀୟ ପରିସ୍ଥିତି ଦେଖା ଯାଇଥିବାରୁ ଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ଜିଲ୍ଲାର ପ୍ରାୟ ୭୮ ପ୍ରତିଶତ ଜମିରେ ଧାନ ତଳି ନଷ୍ଟ ହୋଇଯାଇଥିବା ଜଣାପଡିଛି । ତେଣୁ ଏ ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ କୁହାଯାଇଛି । ତୁରନ୍ତ ଗଞ୍ଜାମ ଜିଲ୍ଲାକୁ ମରୁଡ଼ି ପ୍ରପୀଡ଼ିତ ଜିଲ୍ଲା ଭାବେ ଘୋଷଣା କରିବାକୁ ଋଷିକୂଲ୍ୟା ରୟତ ମହାସଭା ମଞ୍ଚ ପକ୍ଷରୁ ଦାବୀ କରାଯାଇଛି । ଫସଲ ବୀମା ଭୁକ୍ତ କରିବା, କୃଷି ଋଣ ଛାଡ କରିବା, ଧାନ କ୍ଷେତରେ ନଷ୍ଟ ହୋଇଯାଇ ଥିବା ଧାନ ତଳିର କ୍ଷତିପୂରଣ ପ୍ରଦାନ କରିବା, ବୋର୍ୱେଲ୍ ଗୁଡିକର କାର୍ଯ୍ୟକ୍ଷମ କରାଇବା ଆଦି ଦାବୀ ନେଇ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଦୃଢ଼ ଦାବୀ କରାଯାଇଛି । ଏ ନେଇ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଅନୁଷ୍ଠିତ ଏକ ପ୍ରେସମିଟ୍ରେ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ବିଭିନ୍ନ ଦାବୀ ସମ୍ବଳିତ ଏକ ଇସ୍ତାହାର ପ୍ରକାଶ କରାଯାଇଛି । ଅନୁଷ୍ଠିତ ଏହି ଖବରଦାତା ସମ୍ମିଳନୀରେ ଋଷିକୂଲ୍ୟା ରୟତ ମହାସଭାର ସମ୍ପାାଦକ ସିମାଞ୍ଚଳ ନାହାକ, ଉପଦେଷ୍ଠା ତଥା ଆଇନଜୀବୀ ରାଜେନ୍ଦ୍ର ଦାଶ, ଟି.କିଷ୍ଣା ରାଓ, ଶରତ ଚନ୍ଦ୍ର ପଟ୍ଟନାୟକ, କିଶୋର ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । ଏଥିରେ ପ୍ରକାଶ କରାଯାଇଛି ଯେ, ବହୁ ଅଞ୍ଚଳରୁ ପୋଡି ଯାଇଥିବା ଧାନ ତଳିର ନମୂନା ସଂଗ୍ରହ ହୋଇଛି । ଯେହେତୁ ଗଞ୍ଜାମ ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ମାତ୍ର ୩୫ ପ୍ରତିଶତ ଜମିକୁ ଜଳସେଚନ ସୁବିଧା ରହିଛି । ବର୍ଷା ହେଉ ନ ଥିବା ବେଳେ ସ୍ଵର୍ଗକୁ ଆଶ୍ରା କରି ଚଳୁଥିବା ଚାଷୀମାନେ ଆଜି ଦୁର୍ଦ୍ଦଶାର ଦୁର୍ଦ୍ଦିନରେ ସଢୁଛନ୍ତି । ଧାନ ତଳିଗୁଡ଼ିକ ପୋଡି ନଷ୍ଟ ହୋଇଗଲାଣି । ଶ୍ରାବଣମାସ ଶେଷ ହେବାକୁ ଯାଉଥିବା ବେଳେ ଜମିରେ ଉପଯୁକ୍ତ ପାଣି ନ ଥିବାରୁ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ । ବର୍ତ୍ତମାନ ଜିଲ୍ଲାର ୨୨ଟି ବ୍ଲକ ମଧ୍ୟରୁ ଅଧିକାଂଶ ଅଞ୍ଚଳର ଧାନ ଜମି ଫାଟି ଆଁ କରି ରହିଛି, ବୋଲି ଅଭିଯୋଗର ସହ କୃଷକ ନେତାମାନେ ଉଦବେଗ ପ୍ରକାଶ କରିଛନ୍ତି । ଗଞ୍ଜାମ ଜିଲ୍ଲା ପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ପୂର୍ବକ ଏ ଦିଗରେ ସର୍ବେକ୍ଷଣ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଦୃଢ଼ ଦାବୀ କରାଯାଇଛି । ଏହାସହ ଦାବି ପୂରଣ ଯଥାଶୀଘ୍ର କରା ନ ଗଲେ ଚାଷୀକୁଳ ପକ୍ଷରୁ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା