

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଳକ ପୋଡାପଦର ଠାକୁରାଣୀ ମନ୍ଦିର ଛକଠାରେ ଋଷିକୂଲ୍ୟା ରୟିତ ମହାସଂଘ ପକ୍ଷରୁ ଗତ ୫ବର୍ଷର ଅଖା ଟଙ୍କା, ଗାଡି ଭଡା, ଲେବର ଖର୍ଚ୍ଚ ଫେରାଇବା ଦାବିରେ ରାସ୍ତା ଅବରୋଧ କରିବା ସହ ଟାଇର୍ ଜାଳି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଛତ୍ରପୁର ବ୍ଲକର ପୋଡାପଦର ଗ୍ରାମରେ ଧାନ ମଣ୍ଡି ଖୋଲିବାକୁ ନେଇ ଚାଷୀ ମାନେ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ । ଏହି ଗ୍ରାମର ୧୮୦ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି । ଏହି ଗ୍ରାମର ଧାନ କ୍ରୟ ପାଇଁ କୁମାର ବେଗ ପଲ୍ଲୀ ଗ୍ରାମର ମହିଳା ଗୋଷ୍ଠୀକୁ ଦାୟୀତ୍ୱ ଦିଆଯାଇଛି । ସେ ମଣ୍ଡିରେ ଧାନ କ୍ରୟ ନ କରି ବାଲିବଗଡ଼ ଠାରେ ଥିବା ମିଲରେ ଧାନ ଦେବାକୁ ଚାଷୀଙ୍କୁ କହୁଥିବା ତିବାଦରେ ଗ୍ରାମର ଶତାଧିକ ଚାଷୀ ଆଜି ସକାଳୁ ଗ୍ରାମ ରାସ୍ତାରେ ଧାରଣାରେ ବସିଥିଲେ । ବହୁ ସମୟ ପରେ ଅତିରିକ୍ତ ଯୋଗାଣ ଅଧିକାରୀ ପୀତବାସ ସେଠୀ ଓ ବ୍ଲକ ଯୋଗାଣ ନିରୀକ୍ଷକ ଜୟରାମ ଲେଙ୍କା ଚାଷୀଙ୍କ ସହିତ ଆଲୋଚନା କରି ଗ୍ରାମରୁ ଧାନ କ୍ରୟ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣାରୁ ହଟିଥିଲେ । ଏହି ଧାରଣାରେ ଶତାଧିକ ଚାଷୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

