ଏଣିକି ଇ – ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ୱର – ଗାଡିଚାଳକମାନଙ୍କୁ ଆଉ ସାଙ୍ଗରେ ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ ସାର୍ଟିଫିକେଟ ଭଳି କାଗଜପତ୍ର ନେଇ ଯିବାକୁ ପଡିବନାହିଁ ।ସେମାନଙ୍କ ନିକଟରେ ଡିଜିଲକର କିମ୍ବା ଏମ୍‍ପରିବହନରେ ଥିବା କାଗଜପତ୍ରର ଇଲେକ୍‍ଟ୍ରୋନିକ ଫର୍ମାଟକୁ କର୍ତ୍ତୃପକ୍ଷ ଗ୍ରହଣ କରିବେ ।ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରସେନ ସାର୍ଟିଫିକେଟ ଓ ଅନ୍ୟାନ୍ୟ କାଗଜାଦପତ୍ରର ଡିଜିଲକର କିମ୍ବା ଏମ୍‍ପରିବହନ ବ୍ୟବସ୍ଥାରେ ଥିବା ଇଲେକ୍‍ଟ୍ରୋନିକ୍‍ ଫର୍ମାଟକୁ ଗ୍ରହଣ କରିବାକୁ ବାରମ୍ବାର କୁହାଯାଉଛି ।ପରିବହନ କମିଶନର ସଞ୍ଜୀବ କୁମାର ପଣ୍ଡା ଏ ନେଇ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଜାରିକରିବା ସହିତ ମୋଟରଯାନ ଆଇନ୍‍ ୧୯୮୮ ଅନୁଯାୟୀ ଡ୍ରାଇଭିଂ ଲାଇସେନ୍ସ ଓ ରେଜିଷ୍ଟ୍ରସନ ସାର୍ଟିଫିକେଟ ଭଳି କାଗଜପତ୍ରକୁ ଇଲେକ୍‍ଟ୍ରୋନିକ ବ୍ୟବସ୍ଥାକୁ ଗ୍ରହଣ ପାଇଁ କହିଛନ୍ତି ।କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଏ ନେଇ ରାଜ୍ୟମାନଙ୍କୁ ମାର୍ଗଦର୍ଶିକା ଜାରି ହୋଇଛି । ଏଥିରେ ଇଲେକ୍‍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରାଳୟର ଡିଜିଲକର ପ୍ଲାଟଫର୍ମ ଓ ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟର ଏମ୍‍ପରିବହନ ଆପ୍‍ରେ ନାଗରିକମାନେ ସେମାନଙ୍କର ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ ସାର୍ଟିଫିକେଟ ଓ ଅନ୍ୟାନ୍ୟ ସାର୍ଟିଫିକେଟ ଆଦିକୁ ଇଲେକ୍‍ଟ୍ରୋନିକ ଫର୍ମାଟରେ ରଖିପାରିବେ ।ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ୍‍ ୨୦୦୦ ଅନୁଯାୟୀ ଏହି ଇଲେକ୍‍ଟ୍ରୋନିକ ଫର୍ମାଟ ସାର୍ଟିଫିକେଟ ଗୁଡିକୁ ଅସଲି ସାର୍ଟିଫିକେଟ ଭାବେ ବିବେଚନା କରାଯିବ ।ମୋଟର ଯାନ ଆଇନ୍‍ ୧୯୮୮ ଓ କେନ୍ଦ୍ରୀୟ ମୋଟର ଯାନ ଆଇନ୍‍ ୧୯୮୯ ଅନୁଯାୟୀ କର୍ତ୍ତୃପକ୍ଷ ଚାହିଁଲେ ଗାଡିଚାଳକ ଓ ମାଲିକମାନେ ସେମାନଙ୍କ ଗାଡିର କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସ ଆଦି ଦେଖାଇବାକୁ ବାଧ୍ୟ ।କେନ୍ଦ୍ରର ମାର୍ଗନିର୍ଦ୍ଦେଶିକାରେ ଆହୁରି କୁହାଯାଇଛି ଯେ ନୂତନ ଗାଡିର ବୀମା କିମ୍ବା ପୁରୁଣା ଗାଡିର ବୀମା ନବୀକରଣ ଆଦି ପ୍ରତିଦିନ ବାହାନ ଡାଟାବେସ୍‍ର ବୀମା ସୂଚନା ବୋର୍ଡରେ ଅପ୍‍ଲୋଡ ହେଉଥିବାବେଳେ ତାହା ଏମ୍‍ପରିବହନ ଓ ଇ-ଚାଲାଣ ଆପ୍‍ରେ ଉପଲବ୍ଧ ହେବ ।ଏହି ଦୁଇ ଆପ୍‍ରେ ଯାନର ପଞ୍ଜିକରଣ ସଂକ୍ରାନ୍ତୀୟ ସମସ୍ତ ପଞ୍ଜିକରଣ ଓ ବୀମା ସୂଚନା ରହୁଥିବାରୁ ଏହାର କାଗଜପତ୍ର (ହାର୍ଡ କପି) ଦେଖାଇବାର ଆବଶ୍ୟକତା ନଥିବା ମାର୍ଗଦର୍ଶିକାରେ କୁହାଯାଇଛି ।କିନ୍ତୁ ଗାଡି ତନଖି ସମୟରେ ସାଧାରଣ ଲୋକେ ସେମାନଙ୍କ କାଗଜପତ୍ର ଡିଜିଲକର ଓ ଏମ୍‍ପରିବହନ ଭଳି ଆପ୍‍ରେ ଥିବା ଦର୍ଶାଇଲେ ବି ଏହାକୁ ଟ୍ରାଫିକ ପୁଲିସ୍‍ କିମ୍ବା ପରିବହନ ଅଧିକାରୀ ଗ୍ରହଣ କରୁନଥିବାର ଅଭିଯୋଗମାନ ଆସୁଛି ।କିନ୍ତୁ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ପରେ ଏବେ ଆଞ୍ଚଳିକ ପରିବହନ ଅଧିକାରୀମାନେ ଇଲେକ୍‍ଟ୍ରୋନିକ୍‍ ଫର୍ମରେ ଥିବା କାଗଜପତ୍ରକୁ ଗ୍ରହଣ କରିବାବୁ ବାଧ୍ୟ ବୋଲି ବାଣିଜ୍ୟ ଓ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।