ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପ୍ରବାସୀ ଓଡ଼ିଆଙ୍କ ପାଇଁ କ୍ବାରେଣ୍ଟିନ୍ ନିମୟ ପରିବର୍ତ୍ତନ କରିଛନ୍ତି ଓଡ଼ିଶା ସରକାର । ଏବେ ପ୍ରବାସ ଫେରନ୍ତା ଓଡ଼ିଆମାନେ ୧୪ ଦିନିଆ କ୍ବାରେଣ୍ଟିନ୍ରେ ରହିବେ। ଏହି ନିୟମକୁ ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷ ଏବଂ ଜିଲ୍ଲାପାଳମାନେ ଏହାକୁ ପ୍ରଣୟନ କରିବେ। ଏ ସଂକ୍ରାନ୍ତରେ ସ୍ବତନ୍ତ୍ର ରିଲିଫ୍ କମିସନର୍ଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ଆଦେଶନାମା ଅନୁସାରେ, ଗ୍ରାମାଞ୍ଚଳକୁ ଆସୁଥିବା ପ୍ରବାସ ଫେରନ୍ତାମାନେ ବାଧ୍ୟତାମୂଳକ ଭାବେ ୭ ଦିନ ସରକାରୀ କ୍ବାରେଣ୍ଟିନ୍ରେ ରହିବେ । ଏହା ପରେ ଲକ୍ଷଣ ନ ଥିବା ପ୍ରବାସ ଫେରନ୍ତାମାନେ ଆହୁରି ୭ ଦିନ ହୋମ୍ କ୍ବାରେଣ୍ଟିନ୍ରେ ରହିବେ । କିନ୍ତୁ, କାହାଠରୁ ଯଦି କୋଭିଡ୍-୧୯ ସଂକ୍ରମଣ ଆଶଙ୍କା ଥିବ ସ୍ଥାନୀୟ କର୍ତ୍ତୃପକ୍ଷମାନେ ସେମାନଙ୍କର କ୍ବାରେଣ୍ଟିନ୍ ଅବଧି ବଢ଼ାଇ ପାରିବେ । ଯଦି ପ୍ରବାସୀ ଫେରନ୍ତାମାନଙ୍କ ଠାରେ କୌଣସି ଲକ୍ଷଣ ପ୍ରକାଶ ପାଏ, ସେମାନଙ୍କୁ କୋଭିଡ୍ କେୟାର୍ ସେଣ୍ଟର୍/ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯିବ । ଏହାସହ ଓଡ଼ିଶା ବାହାରୁ ଆସୁଥିବା ସମସ୍ତ ବ୍ୟକ୍ତି ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଥିବା ଗାଇଡ୍ଲାଇନ୍ ଅନୁସାରେ ବାଧ୍ୟତାମୂଳକ ଭାବେ ୧୪ ଦିନିଆ ହୋମ୍ କ୍ବାରେଣ୍ଟିନ୍ରେ ରହିବେ । ଯଦି କାହାର ଏ ଭଳି ସୁବିଧା ନ ଥାଏ, ତେବେ ସେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିର୍ଦେଶମତେ ସରକାରୀ କ୍ବାରେଣ୍ଟିନ୍ରେ ରହିବେ । ଅନ୍ୟପଟେ ସରକାରୀ କର୍ମଚାରୀ, ପ୍ରଫେସ୍ନାଲ୍, ବ୍ୟବସାୟୀ ଏବଂ ଅନ୍ୟ କୌଣସି ବ୍ୟକ୍ତି ଯଦି ୭୨ ଘଣ୍ଟା ପାଇଁ ଓଡ଼ିଶା ଆସନ୍ତି, ସେମାନଙ୍କୁ କ୍ବାରେଣ୍ଟିନ୍ରେ ରହିବାକୁ ପଡ଼ିବ ନାହିଁ । ସେହିଭଳି, ସରକାରୀ କର୍ମଚାରୀ, ପ୍ରଫେସ୍ନାଲ୍, ବ୍ୟବସାୟୀ ଏବଂ ଅନ୍ୟ କୌଣସି ବ୍ୟକ୍ତି ଓଡ଼ିଶାରୁ ଅନ୍ୟ କୌଣସି ରାଜ୍ୟକୁ ଯାଇ ଯଦି ୭୨ ଘଣ୍ଟା ମଧ୍ୟରେ ଫେରିଆସନ୍ତି, ତେବେ ସେମାନଙ୍କୁ ମଧ୍ୟ କ୍ବାରେଣ୍ଟିନ୍ରେ ରହିବାକୁ ପଡ଼ିବ ନାହିଁ । ଏବଂ ନିର୍ଦ୍ଧାରିତ କ୍ବାରେଣ୍ଟିନ୍ ସମୟସୀମା ଅତିବାହିତ କରିସାରିଥିବା କୌଣସି ପ୍ରବାସ ଫେରନ୍ତାଙ୍କୁ ମଧ୍ୟ ଆଉ କ୍ବାରେଣ୍ଟିନ୍ରେ ରହିବେ ନାହିଁ ।
ରିପୋର୍ଟ : ଆକାଶ ମିଶ୍ର