ଏଫ.ଆର.ସି. ମାଧ୍ୟମରେ ବେସରକାରୀ ବିଦ୍ୟାଳୟ ଅଭିଭାବକଙ୍କ ଉପରେ ଲଗାମ ଲଗାଇବାକୁ ଯାଉଛନ୍ତି ସରକାର : ଓପାଫ

ଭୁବନେଶ୍ୱର (ଆକାଶ ମିଶ୍ର)-ଓଡ଼ିଶା ଘରୋଇ ବ୍ୟବସାୟିକ ବିଦ୍ୟାଳୟଗୁଡ଼ିକ ମନଇଚ୍ଛା ଫି ଓ ଅନ୍ୟାନ୍ୟ ବୋଝ ଛାତ୍ରଛାତ୍ରୀଙ୍କ ଉପରେ ଲଦି ଅଭିଭାବକମାନଙ୍କୁ ବିଭିନ୍ନ ଭାବରେ ଶୋଷଣ କରୁଥିବାରୁ ଏହାର ଅବସାନ ଘଟାଇବା ପାଇଁ ଏହିସବୁ ବିଦ୍ୟାଳୟମାନଙ୍କ ନିମନ୍ତେ ସ୍ୱତନ୍ତ୍ର ଆଇନ୍ ବା ରେଗୁଲେସନ୍ ପ୍ରଣୟନ ନିମନ୍ତେ ଓଡ଼ିଶା ପ୍ୟାରେ ଫୋରମ୍  (  ଓପାଫ ) ଦାବି କରିଆସୁଅଛି  । ଓଡ଼ିଶା କ୍ଷେତ୍ରରେ ଏହି ଫି ନିର୍ଦ୍ଧାରଣ ନେଇ ମାଲିମକଦ୍ଧମା ହୋଇ ଶେଷରେ ମାନ୍ୟବର ସୁପି୍ରମକୋର୍ଟ ଏବଂ ଓଡ଼ିଶା ହାଇକୋର୍ଟ କେତେଗୁଡ଼ିଏ ନିର୍ଦ୍ଧେଶନାମା ଜାରି କରିଛନ୍ତି  । ସେହି ନିର୍ଦ୍ଧେଶନାମାକୁ ଠିକଣା ଭାବରେ କାର୍ଯ୍ୟକାରୀ ନ କରି ଓପାଫର ଦାବିକୁ ଏଡାଇବା ପାଇଁ ରାଜ୍ୟ ସରକାର ତରବରିଆ ଭାବେ ଏକ ଫି ରେଗୁଲେଟୋରୀ କମିଟି (ଏଫ୍.ଆର.ସି.) ଗଠନ କରିଦେଲେ  । ଏଥିରେ ସବୁ ପକ୍ଷଙ୍କ କଥାକୁ ଶୁଣିବାର ବା ଜାଣିବାର ବ୍ୟବସ୍ଥା ନକରି କେବଳ ଘରୋଇ ବ୍ୟବସାୟୀମାନଙ୍କର କିପରି ଅଧିକ ଲାଭ ହେବ, ସେହି ଅନୁସାରେ ସୁପି୍ରମକୋର୍ଟ ଓ ହାଇକୋର୍ଟଙ୍କ ନିର୍ଦ୍ଧେଶକୁ ବେଖାତିର କରି ଯେଉଁ ନୀତି ପ୍ରଣୟନ କରିଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ  । ଫି ନିର୍ଦ୍ଧାରଣ  ସୁପାରିଶ୍ କମିଟି କୌଣସି ସ୍କୁଲ୍ର ଆୟବ୍ୟୟ, ଗଚ୍ଛିତ ରାଶି, ଆବଶ୍ୟକ ଓ ଅନାବଶ୍ୟକ ଖର୍ଚ୍ଚ, ବାର୍ଷିକ ଅଟକଳ ଖର୍ଚ୍ଚର ଇତ୍ୟାଦିକୁ ଅନୁଧ୍ୟାନ ନକରି ପ୍ରଭାବଶାଳୀ ସ୍କୁଲ୍ର ପ୍ରତିନିଧିଙ୍କ ପ୍ରରୋଚନାରେ ଏକତରଫା ଭାବେ ଔପଚାରିକ ନିନିିଶାନେଇଛି, ଯାହାକି ଅଭିଭାବକମାନଙ୍କୁ କୌଣସି ଆଶ୍ୱସ୍ତି ମିଳିବାତ ଦୂରର କଥା କିନ୍ତୁ ବୋଝ ଉପରେ ଲଳିତା ବିଡ଼ା ଭଳି ପ୍ରତିବର୍ଷ ରିଆଡ୍ମିଶନ୍ ଫି, ଆଡ୍ମିସନ୍ ଫି, ଏକ୍ଜାମିନେସନ୍ ଫି, ବିଭିନ୍ନ ଆକ୍ଟିଭିଟି ଫି ବାବଦରେ ଅଲଗାଅଲଗା ଫି ସଂଗ୍ରହ ପାଇଁ ସ୍କୁଲ୍ କକ୍ଷମାନଙ୍କୁୁ ଅନୁମତି ଦିଆଯାଇଛି  । ଓପାଫ ର ଯୁକ୍ତି ହେଲା ସମୁଦାୟ ଏକାଡେମିକ୍ ଖର୍ଚ୍ଚ ଉପରେ ଟୁ୍ୟସନ୍ ଫି ନିର୍ଦ୍ଧାରଣ ହେବା ପରେ ଅନ୍ୟାନ୍ୟ ବାବଦରେ କୌଣସି ଫି ଆଦାୟ କରିବାର ଯଥାର୍ଥତା ନାହିଁ  । ବରଂ ଏହା ବର୍ମାନ ଫିଠାରୁ ବହୁଗୁଣ ବଢ଼ିବାର ସମ୍ଭାବନାକୁ ଦୂରେଇ ଦିଆଯାଇନପାରେ  । ଅପରପକ୍ଷେ ଫି ନିର୍ଦ୍ଧାରଣ ପ୍ରକୃତ ଆବଶ୍ୟକତାର ଅନୁଧ୍ୟାନ ଓ ଅନାବଶ୍ୟକ ଖର୍ଚ୍ଚକୁୁ ନିୟନ୍ତ୍ରଣ ପଲିସି ନ କରି କଞ୍ଜୁମର ପ୍ରାଇସ୍ ଇଣ୍ଡେକ୍ସ ସହ ଯୋଡ଼ିବା ଏବଂ ତା’ ସହ ଅତ୍ୟଧିକ ୫% କେଉଁ କାରଣରୁ ଯୋଡ଼ାଯାଉଛି, ତାହା ଜଣାପଡୁନାହିଁ  । କଞ୍ଜୁମର ପ୍ରାଇସ୍ ଇଣ୍ଡେକ୍ସ ସହ ସ୍କୁଲ୍ ଫି ନିର୍ଦ୍ଧାରଣର କି ସମ୍ପର୍କ ଅଛି, ତାହା ଦୟାକରି ଶିକ୍ଷା ନିର୍ଦ୍ଧେଶାଳୟ  ସ୍ପଷ୍ଟିକରଣ ଦେବା ଉଚିତ୍  । ଏହି ପରିପ୍ରେକ୍ଷୀରେ ଓପାଫ ପ୍ରଥମେ ଏହି ଏଫ୍.ଆର.ସି. କମିଟିକୁ ବାତିଲ୍ କରିବାକୁ ଦାବି କରୁଚି  ।  କାରଣ ଏହି କମିଟିର କୌଣସି ସାମ୍ବିଧାନିକ ବା ଆଇନ୍ଗତ ମର୍ଯ୍ୟାଦା ନାହିଁ  । ସୁପି୍ରମକୋର୍ଟଙ୍କ ନିର୍ଦ୍ଧେଶକ୍ରମେ ରାଜ୍ୟ ସରକାର ଜଷ୍ଟିସ୍ କେ.ପି. ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଯେଉଁ କମିଟି କରିଥିଲେ ସେମାନେ ଦେଇଥିବା ନିର୍ଦ୍ଧେଶକୁ କାର୍ଯ୍ୟକାରୀ କରାଗଲା ନାହିଁ   । ବରଂ ସରକାରଙ୍କ ତଥାକଥିତ ଏଫ୍.ଆର.ସି. କମିଟି ସେହି ନିର୍ଦ୍ଧେଶକୁ ଅକାମୀ କରିଦେଇଛନ୍ତି  । ଓପାଫ ପକ୍ଷରୁ ସରକାରଙ୍କୁ ଏହାର ବାରମ୍ବାର ପ୍ରତିବାଦ କରାଯାଉଥିଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ନ ଦେଇ ଏଫ୍.ଆର.ସି. କମିଟି ମାଧ୍ୟମରେ ଘରୋଇ ବ୍ୟବସାୟୀକ ବିଦ୍ୟାଳୟର ମାଲିକମାନଙ୍କୁ ସମସ୍ତ ପ୍ରକାର ସୁବିଧା ଦେବାପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି  । ଓଡ଼ିଶାରେ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଧ୍ୱଂସ କରାଯାଉଥିବାରୁ  ସଚେତନ ଅଭିଭାକମାନେ ପିଲାମାନଙ୍କ ଭବିଷ୍ୟତ ପାଇଁ ଘରୋଇ ବ୍ୟବସାୟିିକ ସ୍କୁଲ୍ଗୁଡ଼ିକ ନିକଟରେ ପହକୁ ବାଧ୍ୟ ହେଉଛନ୍ତି  । କିନ୍ତୁ କୌଣସି ନିୟମ ବା ଆଇନ୍ ନଥିବାରୁ ସେମାନେ ମନଇଚ୍ଛା ପିଲାମାନଙ୍କୁ ଶୋଷଣ କରୁଛନ୍ତି  । ଗୁଣାତ୍ମକ ଶିକ୍ଷାର ଯେଉଁ କଥା କୁହାଯାଉଛି, ତାହା ଅଧିକାଂଶ ବିଦ୍ୟାଳୟରେ ବସ୍ତୁତଃ ନାହିଁ  । ଅଭିଭାବକମାନେ ଟୁ୍ୟସନ୍ ମାଧ୍ୟରେ ବିଦ୍ୟାଳୟର ଅଭାବକୁ ପୂରଣ କରିବାକୁ ଉଦ୍ୟମ କରୁଛନ୍ତି  । ଯେହେତୁ ସାରା ରାଜ୍ୟରେ ଏବେ ପ୍ରାୟ ୬ ହଜାରରୁ ଊଦ୍ଧ୍ୱର୍ ଘରୋଇ ବ୍ୟବସାୟିକ ବିଦ୍ୟାଳୟ ରହିଛି ଓ ସେଗୁଡ଼ିକରେ ପ୍ରାୟ ୧୨ଲକ୍ଷରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି  । କିନ୍ତୁ ଏହି ପିଲାମାନଙ୍କର ଓ ସେମାନଙ୍କ ଅଭିଭାବକମାନଙ୍କର ସତେ ଯେପରି ମୌଳିକ ଶିକ୍ଷା ଅଧିକାର ନେଇ କୌଣସି ଆଇନ୍ ନାହିଁ  ।  ଅଭିଭାବକ କୌଣସିଠାରେ ଏହାର ପ୍ରତିବାଦ କଲେ, ସେମାନଙ୍କୁ ବିଦ୍ୟାଳୟ ଭିତରକୁ ପ୍ରବେଶ ଅନୁମତି ଦିଆଯାଉନାହିଁ  । ଏ ସଂକ୍ରାନ୍ତରେ ଅଭିଯୋଗ କଲେ, ସ୍ଥାନୀୟ ଡି.ସି.ପି. କହୁଛନ୍ତି, ଯେ, ଆପଣଙ୍କ ପିଲାର ଯାହାକିଛି ହୋଇଗଲେ ବି (ଏପରିକି ଧର୍ଷଣ, ମୃତୁ୍ୟ), ଆପଣମାନେ ବିଦ୍ୟାଳୟ ଭିତରକୁ ଯିବା ଉଚିତ୍ ନୁହେଁ  । ଗୋଟିଏ ପକ୍ଷରେ  ସରକାର ଆଇନ୍ କରିବେ ନାହିଁ ଏବଂ ଅନ୍ୟ ପକ୍ଷରେ ଅଭିଭାବକ କୌଣସିଠାରେ କିଛି ପ୍ରତିବାଦ ବି କରିପାରିବେ ନାହିଁ  । ସ୍କୁଲ୍ ମାଲିକମାନଙ୍କ ଇଚ୍ଛା ଓ ମର୍ଜ୍ଜି ଅନୁସାରେ ଅଭିଭାବକମାନଙ୍କୁ ଚାଲିବା ବ୍ୟତିତ ଅନ୍ୟ ଉପାୟ ନାହିଁ ବୋଲି ପରୋକ୍ଷରେ ସରକାର ଜଣାଇ ଦେଉଛନ୍ତି  । ଓଡ଼ିଶାରେ ପ୍ରତିବର୍ଷ ଏହି ଘରୋଇ ବ୍ୟବସାୟିକ ବିଦ୍ୟାଳୟ ସଂଖ୍ୟା ବଢୁଥିବାରୁ ଏଥିରେ ଅଧ୍ୟୟନ କରୁଥିବା ଲକ୍ଷଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ନ୍ୟାୟ ପାଇଁ ଆନ୍ଦୋଳନ ବ୍ୟତୀତ ଅନ୍ୟ କିଛି ନାହିଁ   । ସରକାରଙ୍କ ଜ୍ଞାତସାରରେ ଓ ପ୍ରୋତ୍ସାାହନ କ୍ରମେ ଘରୋଇ ବିଦ୍ୟାଳୟମାନେ ବ୍ୟବସାୟିକ ଫାଇଦା ପାଇଁ ଶୋଷଣ ନୀତି ଅବଲମ୍ବନ କରି ଘରୋଇ ଶିକ୍ଷା ବ୍ୟବସ୍ଥାକୁ ଏକ ଲାଭଖୋର ଉଦ୍ୟୋଗରେ ପରିଣତ କରିଛନ୍ତି  । ଓପାଫ ଏହାର ପ୍ରତିବାଦ କରିବା ସହିତ ରାଜ୍ୟ ସରକାର ଅନ୍ୟ ରାଜ୍ୟମାନଙ୍କ ପରି ତୁରନ୍ତ ଏ ସଂକ୍ରାନ୍ତରେ ଆବଶ୍ୟକୀୟ ଆଇନ୍ ଓ ନିୟମ ପ୍ରଣୟନ ନିମନ୍ତେ ଦାବି କରୁଛି  ।ଏହି ସାମ୍ବାଦିକ ସମ୍ମିଳନୀରେ ଓପାଫର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ଦାସ, ସଭାପତି ଡଃ ଗଗନ ବିହାରୀ ରାଉତ, କାର୍ଯ୍ୟକାରୀ ସଭାପତି ସଂଯୁକ୍ତା ପାଣିଗ୍ରାହୀ, ଉପସଭାପତି ମଧୁସୁଦନ ବିଶ୍ୱାଳ, ନନ୍ଦକିଶୋର ମଲ୍ଲିକ, ସତ୍ୟାଶିଷ ସ୍ୱାଇଁ, ମିତାରାଣୀ ସାହୁ, ଅକ୍ଷୟ କୁମାର ସାହୁ, କ୍ଷୀତିଶ ସାହୁ, ବିଶ୍ୱଜିତ୍ ପଟ୍ଟନାୟକ, ଦେବଦତ ମହାନ୍ତି, ସନ୍ଦୀପ କାନୁନ୍ଗୋ, ଶାରଦା ପ୍ରସନ୍ନ ମହାନ୍ତି, ଦିନେଶ ମହାନ୍ତି, ପି.କେ. ପଣ୍ଡା, ଜେ.ଏସ୍.ପି. ବଳ ପ୍ରମୁଖ କର୍ମକର୍ତା ଉପସ୍ଥିତ ଥିଲେ  ।