ଜଳେଶ୍ୱର (ସମୃଦ୍ଧ ଓଡିଶା) ଏବେବି ଜଳେଶ୍ୱର ଓ ଆଖପାଖ ଅଂଚଳରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠିର ଲୋକେ ବ୍ରାଉନ୍ସୁଗର କାରବାର କରୁଥିବା ଅଭିଯୋଗ ହୋଇ ଆସୁଛି । ୱେଷ୍ଟଇଏଫ ଓ ଗୋଇନ୍ଦା ସଂସ୍ଥାର ରିପୋଟ ଅନୁଯାୟୀ ଜଳେଶ୍ୱରର ୩୨ଜଣ ସନ୍ଦିଗ୍ଧ କାରବାରୀ ରାଜ୍ୟ ଓ ରାଜ୍ୟ ବାହାରେ ବ୍ରାଉନ୍ ସୁଗର କିଣାବିକା କରିଆସୁଛନ୍ତି । ଏଥିରୁ କେତେକ ଧରା ପଡିଥିଲେ ମଧ୍ୟ ବହୁ ଅଭିଯୁକ୍ତ ସହିତ ମାଷ୍ଟାର ମାଇଣ୍ଡ ଆତ୍ମଗୋପନ କରିଛନ୍ତି । ନିକଟରେ ଜଳେଶ୍ୱରରେ ଯୋଗ ଦେଇଥିବା ଆଇଆଇସି ଧନେଶ୍ୱର ସାହୁ ଏପରି ଏକ ଆହ୍ୱାନର ସମ୍ମୁଖୀନ ହୋଇ ଗତ ବୁଧବାର ଭୋର ସମୟରେ ଚଢାଉ କରିଥିଲେ । ଏହି ଚଢାଉରେ ସେ ଶାସନବାଡ ଗ୍ରାମ ୱାର୍ଡ ନଂ ୭ର ସେକ୍ ବସିରୁଦ୍ଦିନଙ୍କ ପୁଅ ସେକ୍ ଜୈରୁଦ୍ଦିନ ଠାରୁ ୫୦ଗ୍ରାମ ବ୍ରାଉନ ସୁଗର ଜବତ୍ ହେବା ସହ ତାଙ୍କୁ ଗିରଫ କରାଯାଇଛି । ଏହି ଚଢାଉ ବେଳେ ଜଳେଶ୍ୱରର ଭାରପ୍ରାପ୍ତ ତହସିଲଦାର ଏକଜିକ୍ୟୁଟିଭ ମାଜିଷ୍ଟେଟ ଭାବେ ରହିଥିଲେ । ଏନ୍ଡିପିଏସ୍ ଏକ୍ଟ ଓ ଧାରା ୨୧(ବି) ଅନୁଯାୟୀ ଜଳେଶ୍ୱର ଥାନା କେସ୍ ନଂ ୧୧ ତା ୯-୧-୨୦ ମୂଳେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁଥିବା ଆଇଆଇସି ଧନେଶ୍ୱର ସାହୁ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି । ଜଳେଶ୍ୱରରେ ଏବେ ମଧ୍ୟ କେତେକ ସ୍ଥାନରେ ଏଭଳି କାରବାର ଚାଲୁଥିବା ସହିତ ଜଳେଶ୍ୱର ଅଂଚଳରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବ୍ରାଉନ ସୁଗର ଚୋରା ଚାଲାଣ ହେଉଥିବା ଜଣାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା