ଏସଏଚଜି ଗ୍ରୁପ ପକ୍ଷରୁ ମାସ୍କ ଓ ଫିନାଇଲ ବୋତଲ ବଣ୍ଟନ…

ଛତ୍ରପୁର (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଷେଧକ ମୂଳକ ଭାବେ ମେ’ ୩ ତାରିଖ ଯାଏଁ ଲକଡାଉନ ଜାରୀ କରିବା ସହ ଘରୁ କେହି ବାହାରକୁ ନ ବାହାରିବାକୁ ଓ ମାସ୍କ ବାଧ୍ୟତାମୂଳକ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । ସେଥିପାଇଁ ବିଭିନ୍ନ ସଂଗଠନ, ସମାଜସେବୀ ଓ ରାଜନୈତିକ ଦଳ ପକ୍ଷରୁ ମାସ୍କ, ହାତ ଧୋଇବାକୁ ସାବୁନ, ଖାଦ୍ୟ ସାମଗ୍ରୀ ଆଦି ସହାୟତା ଯୋଗାଇ ଦିଆଯାଉଛି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସମସ୍ତ ସ୍ୱେଚ୍ଛାସେବୀ ସଂଗଠନ ସକ୍ରିୟ ହୋଇଛନ୍ତି । ଏପରିକି ସ୍ୱୟଂ ସହାୟକ ଗୋଷ୍ଠୀମାନେ ମଧ୍ୟ ସକ୍ରିୟ ହୋଇ ସେମାନଙ୍କ ଅଞ୍ଚଳରେ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି । ଛତ୍ରପୁର ବ୍ଲକରେ ୧୬୩୦ଟି ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟ କରୁଥିବା ବେଳେ ଓଡିଶା ଜୀବିକା ମିଶନ ତତ୍ୱାବଧାନରେ ଏମାନେ କରୋନା ପାଇଁ ଲୋକଙ୍କୁ ସଚେତନତା କରାଇବା ସହ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦେଉଥିବା ଜଣାପଡିଛି । ଏଥିସହ ଏ ସବୁ ଗ୍ରୁପର କର୍ମକର୍ତ୍ତାମାନେ କରୋନା ଭୁତାଣୁ ସଂକ୍ରମଣରୁ କିପରି ଲୋକମାନେ ପ୍ରତିଷେଧକ ମୂଳକ ବ୍ୟବସ୍ଥା କରିବେ ସେ ସମ୍ପର୍କରେ ଘର ଘର ବୁଲି ସଚେତନତା କରାଇବା ସହ ନିରାଶ୍ରୟ, ଗରିବ ଓ ଖଟିଖିଆ ଶ୍ରେଣୀର ଲୋକମାନଙ୍କୁ ମାସ୍କ ପ୍ରଦାନ କରୁଛନ୍ତି । ପଞ୍ଚାୟତ ସ୍ତରରେ ଗ୍ରୁପର କର୍ମକର୍ତ୍ତାମାନେ ଲୋକଙ୍କ ପାଖକୁ ପନିପରିବା ଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ଯୋଗାଇ ଦେଉଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ପ୍ରଶାସନର ସହାୟତାରେ ଗରିବ ଓ ଦିନମଜୁରିଆ ଲୋକମାନଙ୍କୁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ସେମାନଙ୍କ ଘରେ ପ୍ରଦାନ କରୁଛନ୍ତି । ବ୍ଲକର ସମସ୍ତ ଏସଏଚଜି ଗ୍ରୁପ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ୧୫୩୦ ମାସ୍କ ଓ ୫୦୦ ବୋତଲ ଫିନାଇଲ ଗତକାଲି ଛତ୍ରପୁର ବିଡ଼ିଓ ଅମ୍ବିକା ପ୍ରସାଦ ଦାସଙ୍କୁ ପ୍ରଦାନ କରିଛନ୍ତି । ଏହା ବ୍ଲକର ମନରେଗା କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକ ଏବଂ ଲକଡାଉନ ଅବଧି ସାରିବା ପରେ ବାହାର ରାଜ୍ୟରୁ ଛତ୍ରପୁର ବ୍ଲକର ବିଭିନ୍ନ ପଞ୍ଚାୟତକୁ ଆସିବାକୁ ଥିବା ବ୍ୟକ୍ତି ବିଶେଷ ମାନଙ୍କ ନିମନ୍ତେ ସହାୟତା ହେବ ବୋଲି ଗ୍ରୁପର କର୍ମକର୍ତ୍ତାମାନେ କହିଛନ୍ତି । ଏହାସହ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସଫା ସୁତୁରା କରିବା ପାଇଁ ଫିନାଇଲ ବ୍ୟବହାରରେ ଆସିବ ବୋଲି ଓଡିଶା ଜୀବିକା ମିଶନର ବ୍ଲକ ସଂଯୋଜିକା ମାନିନୀ ଜେନା ସୂଚନା ଦେଇଛନ୍ତି । ଏହି ମାସ୍କ ଓ ଫିନାଇଲ ବଣ୍ଟନ ବେଳେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ ଧନଞ୍ଜୟ ରେଡ୍ଡୀ, ଛତ୍ରପୁର ତହସିଲଦାର ନୀଳମାଧଵ ଭୋଇ, ଓଡିଶା ଜୀବିକା ମିଶନର ବ୍ଲକ ସଂଯୋଜିକା ମାନିନୀ ଜେନା, ଏମବିକେ ମାଧୁରୀ ରେଡ୍ଡୀ, ମହାସଂଘର ସମ୍ପାଦିକା ଏନ. ପଦ୍ମାବତୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା