


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ସିଟି ହାଇସ୍କୁଲ ଖେଳ ପଡିଆରେ ଗତ ୧୬ ତାରିଖ ଦିନ ତ୍ରୟୋଦଶ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଏସଏଭି ପବ୍ଲିକ ସ୍କୁଲ ତରଫରୁ ପାଳିତ ହୋଇଯାଇଛି । ଏଥିରେ ଶଶୀ ଏଜୁକେସନଲ ଚାରିଟେବଲ ଟ୍ରଷ୍ଟର ସଭାପତି ଦେବୀ ପ୍ରସାଦ ସାହୁ ଏବଂ କାର୍ଯ୍ୟକାରୀ ସଭାପତି କେ.କୃଷ୍ଣମୁର୍ତ୍ତି ଯଥାକ୍ରମେ ମୁଖ୍ୟ ଅତିଥି ଏବଂ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ପରିଚାଳନା ସମିତିର ସମ୍ପାଦକ ପ୍ରଶାନ୍ତ କୁମାର ଦାସ, ଉପସଭାପତି ସୁଶ୍ରୀ ସୁମିତ୍ରା ନାୟକ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏକ ସୁନ୍ଦର ସନ୍ଧ୍ୟାକଳିନ ପରିବେଶରେ ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତାରେ ବିଦ୍ୟାଳୟର ପ୍ରାୟ ୭୦୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତା ଯଥା ଦୌଡ, ବେଙ୍ଗଡିଆଁ, ସଙ୍ଗୀତ ଚୌକି, ଚକଲେଟ ଦୌଡ଼, ଲେମ୍ବୁ ଚାମଚ, ଛୁଞ୍ଚି ସୁତା, ଗାଣିତିକ ଦୌଡ଼, ସଟଫୁଟ, ଡ଼ିସକସ ଥ୍ରୋ ରେ ଅଂଶ ଗ୍ରହଣ କରିଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କ୍ରୀଡା ପରିଚାଳନାରେ ସହଯୋଗ କରିଥିବା ବେଳେ ଅନ୍ୟାନ୍ୟ ଅଭିଭାବକ, ଅଭିଭାବିକାମାନେ ଶିଶୁ ମାନଙ୍କର କ୍ରୀଡାକୁ ଉପଭୋଗ କରୁଥିଲେ । ଏଥିରେ ଶ୍ରାବଣ ସ୍କୁଲର ମାନସିକ ଅନଗ୍ରସର ପିଲାମାନେ ମଧ୍ୟ ବିଭିନ୍ନ କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିଲେ । ଆସନ୍ତାକାଲି ଅନୁଷ୍ଠିତ ଉଦଯାପନ ଦିବସରେ ଅଭିଭାବକଙ୍କ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର କ୍ରୀଡା କାର୍ଯ୍ୟକ୍ରମ ରହିଅଛି । ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ସଭାପତି ଏବଂ କାର୍ଯ୍ୟକାରୀ ସଭାପତି ସ୍ୱର୍ଣ୍ଣ, ରୌପ୍ୟ, ବ୍ରୋଞ୍ଜ ମୁକୁଟ ପରିଧାନ ସହ ମେଡେଲ ପ୍ରଦାନ କରିଥିଲେ ବୋଲି ଦେବୀ ପ୍ରସାଦ ସାହୁ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା



