

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ଏସଏମଆଇଟି ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ ଦ୍ୱାରା ହିଂଜିଲିକାଟୁ ଥାନା ସାହି ଅନ୍ତର୍ଗତ ସ୍ଥାପିତ ବୃନ୍ଦାବନ ନାୟକ ଇଂଲିଶ ମିଡିଉମ ସ୍କୁଲ ପରିସର ମଧ୍ୟରେ ଫେବୃଆରୀ ୫ ତଥା ଗତକାଲି ଅନୁଷ୍ଠାନର ସଭାପତି ଡ଼. ଭଗବାନ ଗନ୍ତାୟତଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଅନୁଷ୍ଠାନର ସଭାପତି ଡ଼.ଗନ୍ତାୟତ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତ ବୃନ୍ଦାବନ ନାୟକଙ୍କ ଗୁଣଗାନ କରି କହିଥିଲେ ଯେ, ଏହି ଅଂଚଳର କର୍ମବୀର ସ୍ୱର୍ଗତ ବୃନ୍ଦାବନ ନାୟକଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଏସଏମଆଇଟି ପ୍ରତିଷ୍ଠାନ ଦ୍ୱାରା ଏଠାରେ ଇଂଲିସ ମିଡିୟମ ସ୍କୁଲ ୨୦୦୭ ମସିହାରେ ପ୍ରତିଷ୍ଠା କରାଯାଇ ଏହାର ନିଜସ୍ୱ ଜମି ଓ କୋଠାବାଡି, କୋମଳମତି ଛାତ୍ରଛାତ୍ରୀମାନଙ୍କ ପାଇଁ ଉପଯୁକ୍ତ ଶିକ୍ଷକ ଓ ସିବିଏସଇ ଶିକ୍ଷାଦାନ ପ୍ରଣାଳୀରେ ଶିକ୍ଷାଦାନ କରି ସଫଳ ହୋଇପାରିଛି । ଡ଼. ଗନ୍ତାୟତ କହିଲେ ଯେ, ସ୍ୱର୍ଗତ ନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭାଟକୁମରଡା ନିକଟସ୍ଥ ଏସଏମଆଇଟିର ଚଣ୍ଡିପଦର କ୍ୟାମ୍ପସଠାରେ ଅନୁରୂପ କିଡ଼ସ ସ୍କୁଲ ୨୦୧୫ ଶିକ୍ଷା ବର୍ଷରୁ ଆରମ୍ଭ କରାଯାଇଛି । ଯାହାଦ୍ୱାରା ଏହି ଅଞ୍ଚଳର ବହୁ ଦିନର ଆଶା ସଫଳ ହୋଇପାରିଛି । ଡ଼. ଗନ୍ତାୟତ କୋମଳମତି ଶିଶୁମାନଙ୍କ ବିକାଶ ଓ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ଵଳ କାମନା କରିଥିଲେ । ଆୟୋଜିତ ଏହି ଉତ୍ସବରେ ଅନୁଷ୍ଠାନର ସମ୍ପାଦକ ଜାମୁଲା ଶଙ୍କର ନାରାୟଣ ଓ ଯୁଗ୍ମ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଉଦବୋଧନ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ସି.ଏଚ. ଚନ୍ଦ୍ରଶେଖର ପୃଷ୍ଟି ଯୋଗ ଦେଇଥିଲେ । ସ୍କୁଲର ଅଧ୍ୟକ୍ଷ ଭାଲଚନ୍ଦ୍ର ଷଡ଼ଙ୍ଗୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଅନୁଷ୍ଠାନର ଶିକ୍ଷକ ସୁରେଶ ଚନ୍ଦ୍ର ମହାନ୍ତି, ବାଳକୃଷ୍ଣ ପାଣିଗ୍ରାହୀ, ମିସ. ଲିଲିରଣୀ ନାୟକ, ଶ୍ରୀମତୀ ରାଧାରାଣୀ ସାମନ୍ତରା, ନିରୁପମା ସାହୁ, ସରୋଜକାନ୍ତ ମହାପାତ୍ର, ରୁପାଲୀ ପଣ୍ଡା ପ୍ରମୁଖ ଉତ୍ସବକୁ ପରିଚାଳନାରେ ସହାୟତା କରିଥିଲେ . ଅନୁଷ୍ଠାନର କୃତି ଛାତ୍ରଛାତ୍ରୀମାନେ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା























