

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଏସଏମଆଇଟିର ବିଭିନ୍ନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାମ୍ମୁ କାଶ୍ମୀରର ପୁଲୱାମା ଠାରେ ଆତଙ୍କବାଦୀ ଆକ୍ରମଣରେ ଶହିଦ ହୋଇଥିବା ୪୪ ଜଣ ଯବାନଙ୍କ ଆମର ଆତ୍ମାର ସଦଗତି କାମନା କରି କ୍ୟାଣ୍ଡେଲ ଜଳାଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଏହି ଅବସରରେ ଏକ ରାଲି କରାଯାଇଥିଲା । ଏହି ରାଲି ସ୍ଥାନୀୟ ଭାବାନଗର ଛକ ନିକଟରୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ କାମାପଲ୍ଲୀ ସ୍ୱର୍ଗତ ବୃନ୍ଦାବନ ନାୟକଙ୍କ ଷ୍ଟେଚ୍ୟୁ ନିକଟରେ ପହଞ୍ଚିଥିଲେ । ଏହାପରେ ଦେଶ ମାତୃକା ନିମନ୍ତେ ପ୍ରାଣବଳି ଦେଇଥିବା ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ଶିଖର ଗ୍ରାମର ପ୍ରସନ୍ନ କୁମାର ସାହୁ ଏବଂ କଟକ ଜିଲ୍ଲା ନିଆଳି ଅଂଚଳର ମନୋଜ ବେହେରାଙ୍କ ସମେତ ସମସ୍ତ ଯବାନଙ୍କ ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଏସଏମଆଇଟି ସଭାପତି ଭଗବାନ ଗନ୍ତାୟତ, ଏସଏମଆଇଟି ଯୁକ୍ତ ଦୁଇ ବିଜ୍ଞାନ କଲେଜ ନିର୍ଦ୍ଦେଶିକା ପ୍ରଜ୍ଞା ପଣ୍ଡା, ଅଧ୍ୟକ୍ଷା ସୋନାଲି ଗନ୍ତାୟତ, ସମ୍ପାଦକ ପ୍ରମୋଦ ପଣ୍ଡା ପ୍ରମୁଖ ସହିଦ ପରିବାରକୁ ନିଜର ସମବେଦନା ଜଣାଇବା ସହ ହୀନମାନ କାର୍ଯ୍ୟ ନିମନ୍ତେ ଅଧର୍ମୀ ପାକିସ୍ତାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଚିତ ଜବାବ ଦେବାର ସମୟ ଆସି ସାରିଛି ବୋଲି କହିଥିଲେ । ଏଥିରେ ମିଥୁନ କୁମାର ସାହୁ, ଦୀପକ ଜେନା, ବଳରାମ ପାଣିଗ୍ରାହୀଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା






