ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ଛତ୍ରପୁର ସ୍ଥିତ ଗଞ୍ଜାମ ଏସପିଙ୍କ ସମ୍ମିଳନୀ ଗୃହରେ ଏସପି ବ୍ରିଜେଶ କୁମାର ରଏଙ୍କ ମାଇକ୍ରୋ ଫାଇନାନ୍ସ କମ୍ପାନୀର କର୍ମଚାରୀମାନଙ୍କୁ ନେଇ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁଯାୟୀ ଏହି ବୈଠକରେ ବିଭିନ୍ନ ସମୟରେ ମାଇକ୍ରୋ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ନିକଟସ୍ଥ ବ୍ୟାଙ୍କରୁ ଟଙ୍କା ନେଇ ଗଲାବେଳେ ଲୁଟର ଶିକାର ହେଉଥିବା ଓ କମ୍ପାନୀ କର୍ମଚାରୀମାନଙ୍କୁ ମରଣାନ୍ତକ ଆକ୍ରମଣ କରାଯାଉଥିବା, ସେହିପରି କମ୍ପାନୀର ଫିଲଡ ଷ୍ଟାଫ ଲୋକଙ୍କଠାରୁ ଜମା ଟଙ୍କା ସଂଗ୍ରହ କରି ଫେରୁଥିବା ବେଳେ ମଧ୍ୟ ଲୁଟର ଶିକାର ହେଉଥିବା ଘଟଣାଗୁଡ଼ିକୁ କିଭଳି ଏଡାଇ ଦିଆଯାଇ ପାରିବ ଓ କଣ ସବୁ ପ୍ରତିଶୋଧକମୂଳକ ପଦକ୍ଷେପ ନିଆଗଲେ ଏଭଳି ଘଟଣାକୁ ରୋକା ଯାଇପାରିବ ସେ ନେଇ ଗଞ୍ଜାମ ପୋଲିସ ଜିଲ୍ଲା ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଯାଇଛି । ଏନେଇ ଗଞ୍ଜାମ ଜିଲ୍ଲାରେ ଥିବା ୨୨ ମାଇକ୍ରୋ ଫାଇନାନ୍ସ କମ୍ପାନୀର କର୍ତ୍ତୃପକ୍ଷଙ୍କୁ ଡକାଇ ସେମାନଙ୍କ ସହ ଏସପି ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଗଲାବେଳେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । କୌଣସି ଅଘଟଣ ଘଟିଲେ କିମ୍ବା ଆଶଙ୍କା ଥିଲେ ତୁରନ୍ତ ସ୍ଥାନୀୟ ଥାନା ପୋଲିସକୁ ଖବର ଦେବାକୁ କୁହାଯାଇଛି । ଏଥିସହ ଏସପିଙ୍କ କାର୍ଯ୍ୟାଳୟରେ ଚାଲିଥିବା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମକୁ ୧୦୦ ନମ୍ବରରେ ଡାଏଲ କରି ଜଣାଇପାରିବେ ବୋଲି ସୂଚନା ଦିଆଯାଇଛି । ଏହି ବୈଠକରେ ଅତିରିକ୍ତ ଏସପି ସୀତାରାମ ଶତପଥୀ, ଛତ୍ରପୁର ଏସଡିପିଓ ଉତ୍କଳ କେଶରୀ ଦାଶ ପ୍ରମୁଖଙ୍କ ସମେତ ଗଞ୍ଜାମ ପୋଲିସ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା