ଓଏଏସ ଅଫିସରଙ୍କୁ ଦୁର୍ବବ୍ୟହାର : ଅସନ୍ତୋଷ ଓଏଏସ୍ ସଂଘର କାର୍ଯ୍ୟାନୁଷ୍ଠାନ ଦାବି…

ଛତ୍ରପୁର (ସମୃଦ୍ଧ ଓଡିଶା) ଓଏଏସ ଅଫିସରଙ୍କୁ ଦୁର୍ବବ୍ୟହାର ଘଟଣାକୁ ନେଇ ଓଏଏସ୍ ସଂଘ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । କରୋନା ସଂଘରୋଧ କେନ୍ଦ୍ର ପରିଦର୍ଶନରେ ଯାଉଥିବା ଓଏଏସ ଅଫିସର ମାନେ ବିଭିନ୍ନ ସ୍ଥାନରେ ଆକ୍ରମଣର ଶିକାର ହେଉଥିବା ଦେଖିବାକୁ ମିଳିଛି । ଓଏଏସ ସଂଘ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ରାଜ୍ୟ ସରକାରଙ୍କୁ ଜଣାଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଭିତରକୁ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଓଡ଼ିଆ ପ୍ରବେଶ କରୁଛନ୍ତି । ସେମାନଙ୍କ ସଂଖ୍ୟା ବର୍ତ୍ତମାନ ୭୦ ହଜାରରୁ ଉର୍ଦ୍ଧ୍ୱ ହୋଇ ଥିବା କୁହାଯାଇଛି । ସଙ୍ଗରୋଧ କେନ୍ଦ୍ରରେ ସେମାନେ କିପରି ଶୃଙ୍ଖଳିତ ଭାବରେ ରହି ପାରିବେ, କିପରି ଉତ୍ତମ ଖାଦ୍ୟ ଯୋଗାଇ ଦିଯାଇପାରିବ ଓ ଆବଶ୍ୟକ ସ୍ଥଳେ ସେମାନଙ୍କର ଚିକିତ୍ସା କରାଯାଇ ପାରିବ ତାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ବିଭାଗ, ପୋଲିସ ଅଧିକାରୀ ସମସ୍ତେ ଦିନ ରାତିକୁ ଏକ କରି ଦେଇଛନ୍ତି । ନିସ୍ୱାର୍ଥପର ଭାବେ କରୋନା ଭୁତାଣୁ ସଂକ୍ରମଣରୁ ମୁକ୍ତି କରାଇବା ପାଇଁ ଲୋକଙ୍କ ସେବା କରି ଆସୁଛନ୍ତି । ତେବେ ଏସବୁ ଭିତରେ ପ୍ରଶାସନିକ ଅଧିକାରୀଙ୍କ ପ୍ରତି ଦୁର୍ବବ୍ୟବହାର ଏବେ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ବିଶେଷ କରି ଏପରି ଘଟଣାର ଶିକାର ଦୁଇ ଓଏଏସ୍ ଅଧିକାରୀ ହୋଇଥିବାରୁ ତାକୁ ନେଇ ଜିଲ୍ଲା ଓଏଏସ୍ ସଂଘ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଘଟଣା ପ୍ରକାରେ ପାତ୍ରପୁର ତହସିଲଦାର ଶ୍ରୀନିବାସ ବେହେରା ଚିକିଟି ବ୍ଲକ୍ ଗୋଠ ଗାଁ ଅଂଚଳର ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ପରିଦର୍ଶନରେ ଯାଉଥିବା ବେଳେ ମହିସନପୁରର ଏକ ସଙ୍ଗରୋଧ କେନ୍ଦ୍ର ନିକଟରେ କିଛି ଯୁବକ ସାମାଜିକ ଦୂରତ୍ୱ ରକ୍ଷା ନ କରି ଜନଗହଳି କରୁଥିବାର ଦେଖିବାକୁ ପାଇଥିଲେ । ଏହା ଦେଖି ସେ ସେମାନଙ୍କୁ ତାଗିଦ୍ କରିବା ପରେ ଓଲଟା ସେମାନେ ତହସିଲଦାରଙ୍କୁ ଅସମ୍ମାନ କରିବା ସହ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ପରବର୍ତ୍ତି ସମୟରେ ତାଙ୍କ ବିରୋଧରେ ଏକ ମିଥ୍ୟା ଭିଡିଓ ଭାଇରାଲ୍ କରିବାରୁ ଶ୍ରୀ ବେହେରା ଏନେଇ ଜିଲ୍ଲା ଓଏସ୍ ସଂଘର ଦୃଷ୍ଟି ଆକର୍ଷଣ କରିଥିଲେ ଏହାସହ ଜିଲ୍ଲାପାଳଙ୍କ ଅବଗତ କରାଇଥିଲେ । ଏହାପରେ କେ. ନୂଆଗାଁ ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ପୂର୍ବରୁ ଗତ ୨୦ ତାରିଖ ଦିନ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାସ ଅଗସ୍ତିନୂଆଗାଁ ପଂଚାୟତର ତେଲୁଗୁ ନୂଆଗାଁ ନିକଟ ଖେଳ ପଡ଼ିଆରେ ଠାରେ କିଛି ଯୁବକ କ୍ରିକେଟ ଖେଳୁଥିବାର ଦେଖି ସେମାନଙ୍କୁ ତାଗିଦ୍ କରିଥିଲେ । ତେବେ ଯୁବକ ମାନେ ସେଥିରେ ଉତ୍‌କ୍ଷିପ୍ତ ହୋଇ ଶ୍ରୀ ଦାସଙ୍କ ଉପରେ ଆକ୍ରମଣ କରିଥିଲେ । ଏହାପରେ ଘଟଣା ସଂପର୍କରେ ଶ୍ରୀ ଦାସ ଗଞ୍ଜାମ ଥାନାରେ ଏତଲା ଦେଇଥିଲେ । ଲଗାତର ଏପରି ଦୁଇଟି ଘଟଣାକୁ ନେଇ ଓଏସ୍ ସଂଘ ଉଦବେଗ ପ୍ରକାଶ କରିବା ସହ ଛତ୍ରପୁର ଠାରେ ଏକ ବୈଠକରେ ଘଟଣାର ନିନ୍ଦା କରିବା ସହ ସଂଘ ପକ୍ଷରୁ ଏନେଇ ଜିଲ୍ଲାପାଳ ଓ ଏସପିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଛତ୍ରପୁର ଘଟଣାରେ ଗଞ୍ଜାମ ଏସପିଙ୍କୁ ସ୍ମାରକପତ୍ର ଦିଆଯାଇଥିବା ବେଳେ ଚିକିଟି ଘଟଣାରେ ବ୍ରହ୍ମପୁର ଏସପିଙ୍କୁ ସ୍ମାରକପତ୍ର ପ୍ରଦାନ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି । ସଂଘର ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ତଥା ଡୁଡା ପିଡି ସୁଦାମ ଚରଣ ମଣ୍ଡଳ, ଡ଼େପୁଟି କଲେକ୍ଟର ଡ. ବିଜୟାନନ୍ଦ ସେଠୀ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ତହସିଲଦାର ନିଳମାଧବ ଭୋଇ, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାସ, ପାତ୍ରପୁର ତହସିଲଦାର ଶ୍ରୀନିବାସ ବେହେରା, ରଙ୍ଗେଇଲୁଣ୍ଡା ବିଡିଓ କେ. ନାଗଭୂଷଣଙ୍କ ସମେତ ସଂଘର ସଦସ୍ୟ ସଦସ୍ୟାମାନେ ମିଳିତ ହୋଇ ଏହି ସ୍ମାରକପତ୍ର ପ୍ରଦାନ କରିଥିଲେ । ଅନ୍ୟ ପକ୍ଷରେ ଘଟଣା ସଂପର୍କରେ ଅବଗତ ଥିବା ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉଭୟ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଜଣାଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା