ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା)ରାଜ୍ୟସଭାରେ ଓଡ଼ିଶାର ୪ ଆସନ ଖୁବଶୀଘ୍ର ଖାଲି ପଡ଼ିବାକୁ ଯାଉଛି । କାରଣ ୪ ଜଣ ରାଜ୍ୟସଭା ସାଂସଦ ଗତ ସାଧାରଣ ନିର୍ବାଚନରେ ନିର୍ବାଚିତ ହୋଇ ଯାଇଛନ୍ତି ।୨୦୦୯ରେ ବିଜେଡି ସହ ହୋଇଥିବା ମେଣ୍ଟ ଭାଙ୍ଗିବା ପରେ ରାଜ୍ୟସଭାକୁ ଯିବା ପାଇଁ ସୁଯୋଗ ପାଇ ନ ଥିଲା ବିଜେପି । ଏଥର ଗୋଟିଏ ଆସନ ଅକ୍ତିଆର କରିପାରିବ ବୋଲି ଆକଳନ କରାଯାଉଛି। ରାଜ୍ୟସଭାରେ ଓଡ଼ିଶା ପାଇଁ ୧୦ଟି ଆସନ ରହିଛି। ତନ୍ମଧ୍ୟରୁ ବିଜେଡିର ୯ ଜଣ ସାଂସଦ ଥିବା ବେଳେ କଂଗ୍ରେସର ମାତ୍ର ଜଣେ ସାଂସଦ ରହିଛନ୍ତି।ସୂଚନାଯୋଗ୍ୟ ଯେ ବିଜେଡି ତା’ର ୬ ରାଜ୍ୟସଭା ସାଂସଦଙ୍କୁ ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିଥିଲା। ୨ ଜଣ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ସରୋଜିନୀ ହେମ୍ରମ୍ ହାରିଥିବା ବେଳେ ବାକି ୪ ସାଂସଦ ଅନୁଭବ ମହାନ୍ତି, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରତାପ ଦେବ ଓ ଅଚ୍ୟୁତ ସାମନ୍ତ ଜିତି ଯାଇଛନ୍ତି। ଏହି ସାଧାରଣ ନିର୍ବାଚନରେ ନିର୍ବାଚିତ ହୋଇଥିବାରୁ ଏହି ୪ ସାଂସଦଙ୍କୁ ରାଜ୍ୟସଭାରୁ ଇସ୍ତଫା ଦେବାକୁ ପଡ଼ିବ। ସେମାନେ ଇସ୍ତଫା ଦେବାର ୬ ମାସ ମଧ୍ୟରେ ନିର୍ବାଚନ ହେବାର ନିୟମ ରହିଛି। ଡିସେମ୍ବର ସୁଦ୍ଧା ଏହି ୪ ଆସନ ପାଇଁ ନିର୍ବାଚନ ହେବାର ସମ୍ଭାବନା ରହିଛି । ବିଧାୟକଙ୍କ ଭୋଟ୍ ଆଧାରରେ ରାଜ୍ୟସଭାକୁ ନିର୍ବାଚିତ ହୁଅନ୍ତି ପ୍ରାର୍ଥୀ । ଚଳିତଥର ୧୪୬ ବିଧାନସଭା ଆସନରୁ ବିଜେଡି ୧୧୨ଟି ଏବଂ ବିଜେପି ୨୩ଟି ଆସନରେ ଜିତିଥିବା ବେଳେ କଂଗ୍ରେସ ୯ଟି ଆସନରେ ଜିତିଛି। ଏହାବ୍ୟତୀତ ସିପିଆଇ(ଏମ୍)ରୁ ଜଣେ ଏବଂ ଜଣେ ସ୍ୱାଧୀନ ବିଧାୟକ ଜିତିଛନ୍ତି। ଓଡ଼ିଶାରେ ବିଜେପି ବିରୋଧୀ ଦଳ ହୋଇଥିବାରୁ ରାଜ୍ୟସଭାକୁ ଜଣେ ପ୍ରାର୍ଥୀଙ୍କୁ ପଠାଇ ପାରବ। ଆବଶ୍ୟକ ସଂଖ୍ୟକ ବିଧାୟକଙ୍କ ସମର୍ଥନ ନ ଥିବାରୁ କଂଗ୍ରେସ ଏବଂ ୨ ସ୍ୱାଧୀନ ପ୍ରାର୍ଥୀଙ୍କ ସହଯୋଗ ଦରକାର । ରାଜ୍ୟସଭା ଭୋଟ ଫର୍ମୁଲା ହେଲା =[(ମୋଟ ବିଧାୟକ ସଂଖ୍ୟା X ୧୦୦)/ ଖାଲି ପଡ଼ିଥିବା ଆସନ+୧)]+୧। ଅର୍ଥାତ୍ [(୧୪୭X୧୦୦/୪+୧) ]+୧=୨୯୪୧. କହିବାକୁ ଗଲେ ରାଜ୍ୟସଭାକୁ ଯିବାକୁ ହେଲେ ଜଣେ ପ୍ରାର୍ଥୀଙ୍କୁ ୨୯ ବିଧାୟକଙ୍କ ସମର୍ଥନ ଦରକାର। ବିଜେଡି ପାଖରେ ୧୧୨ ଜଣ ବିଧାୟକ ଥିବା ବେଳେ ସମସ୍ତ ୪ଟି ଆସନରେ ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ ହେଲେ ୧୧୬ ବିଧାୟକଙ୍କ ସହଯୋଗ ଦରକାର। ହେଲେ ବିରୋଧୀ ଯଦି ଏକ ହୋଇଯିବେ ତାହେଲେ ତାଙ୍କ ପାଖରେ ମୋଟ ଆସନ ୩୪ ହୋଇଯିବ। ତେଣୁ ଗୋଟିଏ ଆସନ ଶାସକ ଦଳ ବିଜେଡି ହରାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।