ଓଡ଼ିଶାରେ ପିଏମ୍-ଜନମନର ଦ୍ୱିତୀୟ ପର୍ଯ୍ୟାୟ ଆଇ.ଇ.ସି ଅଭିଯାନ ଶୁଭାରମ୍ଭ ହେଲା

ଭୁବନେଶ୍ବର(ସମୃଦ୍ଧଓଡିଶା) ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ (ପିଏମ୍-ଜନମନ) ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ସୂଚନା-ଶିକ୍ଷା-ପ୍ରସାର(ଆଇ.ଇ.ସି) ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି । ଏହି ଅଭିଯାନ ରାଜ୍ୟର ୧୪ ଟି ଜିଲ୍ଲାର ୧୬୭୯ ଟି ଗ୍ରାମରେ ବାସ କରୁଥିବା ୨,୯୪,୭୧୨ ଜଣ ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ (ପିଭିଟିଜି) ଙ୍କ ନିକଟରେ ପହଞ୍ଚିବ । ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ଯୋଜନା ଓ ପ୍ରକଳ୍ପ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏହାର ଲକ୍ଷ୍ୟ । ଗତବର୍ଷ ଜନଜାତି ଗୌରବ ଦିବସ ଅବସରରେ ଝାଡଖଣ୍ଡ ରାଜ୍ୟର ଖୁଣ୍ଟି ଜିଲ୍ଲାରୁ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିଥିଲେ । ଦେଶର ୧୬ ଗୋଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୧୯୪ ଟି ଜିଲ୍ଲାରେ ବସବାସ କରୁଥିବା ୧୦.୭ ଲକ୍ଷ ପରିବାର ପାଖରେ ପହଞ୍ଚି ସେମାନଙ୍କୁ ବିଭିନ୍ନ ମୌଳିକ ସେବା ଏବଂ ସୁବିଧା ସୁଯୋଗ ଯୋଗାଇ ଦେବା ଏହି ଅଭିଯାନର ଉଦ୍ଦେଶ୍ୟ ଥିଲା । ଏହି ଅଭିଯାନରେ ଗତବର୍ଷ ମଧ୍ୟ ଏକ ଆଇ.ଇ.ସି ଅଭିଯାନ ଜନିତ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ, ପଛୁଆ ବର୍ଗ କଲ୍ୟାଣ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ସମସ୍ତଙ୍କୁ ଏହି ଅଭିଯାନରେ ସାମିଲ୍ ହେବା ପାଇଁ ଆହ୍ବାନ କରିଛନ୍ତି । ସେ କହିଛନ୍ତି, “ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସରେ ଜନଜାତିଙ୍କ ସର୍ବାଙ୍ଗୀନ ଉନ୍ନତି କରାଯିବ । ବିଶେଷ ଭାବେ ଅନୁନ୍ନତ ଜନଜାତି ବା ପିଭିଟିଜିଙ୍କ ସୁରକ୍ଷା, ସେମାନଙ୍କ ସଂସ୍କୃତିର ସଂରକ୍ଷଣର ଆବଶ୍ୟକତା ରହିଛି । ସେଥିପାଇଁ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଆବଶ୍ୟକ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ବିକାଶ, ଆମ ରାଜ୍ୟ ସରକାରଙ୍କର ପ୍ରାୟତଃ ସମସ୍ତ ଯୋଜନାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ସେମାନଙ୍କୁ ‘ବିକଶିତ ଓଡିଶା, ବିକଶିତ ଭାରତ’ର ସାରଥି କରିବା ଉଦ୍ଦେଶ୍ୟରେ ରାଜ୍ୟରେ ପିଏମ୍-ଜନମନ ଯୋଜାନର ପ୍ରଚାରପ୍ରସାର କରାଯାଉଛି । ଏହି ଅଭିଯାନରେ ଜନସାଧାରଣ, ବିଭିନ୍ନ ଅଧିକାରୀ, କର୍ମଚାରୀଙ୍କ ମିଳିତ ପ୍ରୟାସର ଆବଶ୍ୟକତା ରହିଛି” । ଏହି ଯୋଜନା ସମ୍ପର୍କରେ ସୂଚନା ଦେଇ ସେ ଏହା ମଧ୍ୟ କହିଛନ୍ତି ଯେ ଯୋଜନାରେ ୯ ଟି ପ୍ରମୁଖ ମନ୍ତ୍ରାଳୟ ତଥା ବିଭାଗର ୧୧ ଟି ପ୍ରମୁଖ କାର୍ଯ୍ୟକ୍ରମକୁ ସାମିଲ କରାଯାଇଛି । ଏତଦବ୍ୟତୀତ ଆଧାର ପଞ୍ଜିକରଣ, ଗୋଷ୍ଠୀ ପ୍ରମାଣପତ୍ର ପ୍ରଦାନ, ପିଏମ-ଜନଧନ ଯୋଜନା, ପିଏମ-ଗରିବ କଲ୍ୟାଣ ଯୋଜନା, ଆୟୁଷ୍ମାନ କାର୍ଡ, ପିଏମ-କିସାନ ସମ୍ମାନ ନିଧି, କିସାନ କ୍ରେଡିଟ୍ କାର୍ଡ, ଜଙ୍ଗଲ ଅଧିକାର ଆଇନ ଅନ୍ତର୍ଗତ ଥିବା ବ୍ୟକ୍ତିଗତ ଓ ଗୋଷ୍ଠୀଗତ ମାଲିକାନା ବାବଦରେ ସମାଧାନ ଭଳି ୧୦ ଟି ପ୍ରସଙ୍ଗର ସମାଧାନ କରାଯାଉଛି । ଚଳିତ ବର୍ଷ ଅଭିଯାନରେ ବିଭିନ୍ନ ସ୍ତରରେ କର୍ମଚାରୀ, ପରାମର୍ଶଦାତା, ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଏକାଠି କରି ବିଭିନ୍ନ ବିଭାଗର ସମନ୍ବୟରେ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଉଛି । ଅଭିଯାନ ଅନ୍ତର୍ଗତ ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟର ଲୋକଙ୍କ ନିଜ ଭାଷାରେ ସେମାନଙ୍କୁ ପିଏମ୍-ଜନମନ ଅର୍ନ୍ତଭୁକ୍ତିକରଣ କାର୍ଡ ପ୍ରଦାନ କରାଯିବ, ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ପିଭିଟିଜି ସମ୍ପ୍ରଦାୟର ବ୍ୟକ୍ତିବିଶେଷଙ୍କର ରକ୍ତ ପରୀକ୍ଷା କରାଯାଇ ରକ୍ତ ଶିକୁଳୀ ଜନିତ ରୋଗ ସମ୍ପର୍କରେ ସୂଚନା ମିଳିପାରିବ, ଆଞ୍ଚଳିକ ଭାଷାରେ ପ୍ରସ୍ତୁତ ପାମ୍ପଲେଟ୍, ଭିଡ଼ିଓ, ତଥ୍ୟ ସୂଚନା ଏବଂ ସୃଜନୀକା ମାଧ୍ୟମରେ ସଚେତନ କରାଯିବ, ପିଭିଟିଜି ସମୁଦାୟ ବସବାସ କରୁଥିବା ଅଞ୍ଚଳର ପ୍ରାଚୀରରେ ପିଏମ୍-ଜନମନ ଯୋଜନା ସମ୍ପର୍କରେ ଚିତ୍ରାଙ୍କନ କରାଯିବ, ଉପଯୁକ୍ତ ଲାଭାର୍ଥୀଙ୍କୁ ବୃତ୍ତି, ଭିନ୍ନକ୍ଷମ ପ୍ରମାଣପତ୍ର, ଗର୍ଭବତୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ । ଏହି ଯୋଜନାର ସୁଫଳ ପାଇଥିବା ବ୍ୟକ୍ତିବିଶେଷ ଏବଂ ବିଭିନ୍ନ କ୍ଷେତ୍ରରେ ସଫଳ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ନେଇ ବିଭିନ୍ନ କର୍ମଶାଳା ଆୟୋଜିତ କରାଯିବ । ଏଥିସହିତ ସାମାଜିକ ଗଣମାଧ୍ୟମରେ ମଧ୍ୟ ଯୁବପିଢ଼ିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଦୁଇ ହ୍ୟାସଟ୍ୟାଗ୍ #PMJANMAN #EmpoweringTribalsTransformingIndia ର ବ୍ୟବହାର କରାଯିବ । ବିଭିନ୍ନ ସମସ୍ୟା କାରଣରୁ ବିଶେଷ ଭାବରେ ଅନୁନ୍ନତ ଜନଜାତି ସମୁଦାୟ (ପିଭିଟିଜି)ଙ୍କ ନିକଟରେ ମୌଳିକ ସୁବିଧା ପହଞ୍ଚିପାରୁନଥିବା ବେଳେ ଏହି ଅଭିଯାନ ମାଧ୍ୟମରେ ତାଙ୍କ ନିକଟରେ ପହଞ୍ଚିବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି । ଏହା ଅନ୍ତର୍ଗତ ହାଟ, ଗ୍ରାହକ ସେବା କେନ୍ଦ୍ର, ଗ୍ରାମ ପଞ୍ଚାୟତ ଅଫିସ୍, ଅଙ୍ଗନବାଡ଼ି କେନ୍ଦ୍ର, ବହୁମୁଖି ସେବା କେନ୍ଦ୍ର, କୃଷି ବିଜ୍ଞାନ କେନ୍ଦ୍ର ଆଦିରେ ପ୍ରଚାରପ୍ରସାର କରାଯିବ । ଏଥିରେ ସ୍ବେଚ୍ଛାସେବୀ, ନେହେରୁ ଯୁବ କେନ୍ଦ୍ର, କୃଷି ବିଜ୍ଞାନ କେନ୍ଦ୍ର, ଏନ.ଏସ.ଏସ, ଏନ.ସି.ସି, ସ୍ବୟଂ ସହାୟକ ଗୋଷ୍ଠୀ ଇତ୍ୟାଦି ସହାୟତା କରିବେ ।

ରିପୋର୍ଟ : ରଜତ ମହାପାତ୍ର ଓ ରୋଜାଲିନ୍ ସାହୁ,ଲୋକସମ୍ପର୍କ ଅଧିକାରୀ