



ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି କୃଷିଭବନ ସମ୍ମିଳନୀ କକ୍ଷରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଶୀତଳ ଭଣ୍ଡାର ଖୋଲିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଶୀତଳ ଭଣ୍ଡାର ସେବା ପ୍ରଦାନକାରୀ ସଂସ୍ଥାମାନେ ଯୋଗଦେଇ ନିଜ ନିଜ ସଂସ୍ଥାର ସେବା ବିଷୟରେ ଉପସ୍ଥାପନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରତି ସବ୍ ଡିଭିଜନ୍ରେ ଶୀତଳ ଭଣ୍ଡାର ଖୋଲିବା ପ୍ରସ୍ତାବ ଦିଆଯିବା ପରିପ୍ରେକ୍ଷୀରେ କୃଷି ବିଭାଗ ଦ୍ୱାରା ଏହି ତ୍ୱରାନ୍ୱିତ ପଦକ୍ଷେପ ନିଆଯାଇଛି । ଏକ ବିଦ୍ୟୁତଚାଳିତ ଶୀତଳ ଭଣ୍ଡାର କମ୍ପାନୀ ଓ ଅନ୍ୟଟି ସୌରଚାଳିତ ଶୀତଳ ଭଣ୍ଡାର କମ୍ପାନି ନିଜର ସେବା, ଜ୍ଞାନକୌଶଳ, ଷ୍ଟୋରେଜ କାପାସିଟି, ଖର୍ଚ୍ଚ ଆକଳନ, ବିଶେଷତ୍ୱ ସମ୍ବନ୍ଧୀୟ ତଥ୍ୟ ମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ଆଗରେ ଉପସ୍ଥାପନ କରିଥିଲେ । ସରକାର ତ୍ୱରାନ୍ୱିତ ଭାବେ ଶୀତଳ ଭଣ୍ଡାର ପ୍ରତିଷ୍ଠା ନିମନ୍ତେ ପଦକ୍ଷେପ ନେଇଛନ୍ତି ଏବଂ ଏଥି ନିମନ୍ତେ ସବ୍ସିଡି ମଧ୍ୟ ସଂପୃକ୍ତ ଉଦ୍ୟୋଗୀମାନଙ୍କୁ ଯୋଗାଇ ଦିଆଯାଉଛି । ଏହାର ସୁଯୋଗ ନେବା ପାଇଁ ମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ । ପିପିପି ମୋଡ଼୍ରେ ଶୀତଳ ଭଣ୍ଡାରଗୁଡ଼ିକ କାର୍ଯ୍ୟକ୍ଷମ ହେବ ଏବଂ ଏହାର ଅଧିକତମ ଫାଇଦା କୃଷକମାନେ ପାଇବା ଆବଶ୍ୟକ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଥିଲେ । ବିଭାଗୀୟ ଅଧିକାରୀଙ୍କ ଏକ ଦଳ ଏହିସବୁ ସଂସ୍ଥାମାନଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା କାର୍ଯ୍ୟକ୍ଷମ ଶୀତଳ ଭଣ୍ଡାର ପରିଦର୍ଶନ କରି ବିଭାଗକୁ ତଥ୍ୟ ପ୍ରଦାନ କରିବେ ଏବଂ ଏହି ତଥ୍ୟ ଆଧାରରେ ବିଭାଗ ଆଗାମୀ ନିଷ୍ପତ୍ତି ନେବ ବୋଲି ଡ. ପାଢ଼ୀ କହିଥିଲେ । ବୈଠକରେ କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ୍ କଲ୍ୟାଣ ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ରଜତ ମହାପାତ୍ର