ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ପକ୍ଷରୁ ବ୍ରହ୍ମପୁର ବିମାନ ବନ୍ଦର ଯଥାଶୀଘ୍ର ପ୍ରତିଷ୍ଠା କରିବାକୁ ଦାବି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାରେ ଶିଳ୍ପ, ପର୍ଯ୍ୟଟନ, ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନା ଗମନର ବିକାଶ ପାଇଁ ବ୍ରହ୍ମପୁର ଠାରେ green field Civilian & Cargo ବିମାନ ବନ୍ଦର ପ୍ରତିଷ୍ଠା କରିବାକୁ ଆଜି ବ୍ରହ୍ମପୁରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ପୁନର୍ବାର ଦାବି କରିଛି । ଫୋରମ୍ ସଭାପତିଙ୍କ ସୂଚନା ଅନୁଯାୟୀ, ଗତ ଦିନରେ ଫୋରମ୍ କାର୍ଯ୍ୟକର୍ତ୍ତା ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଗଞ୍ଜାମ ଜିଲ୍ଲାର ସମସ୍ତ ଜନ ପ୍ରତିନିଧି ଓ ଜିଲ୍ଲପାଳଙ୍କୁ ଦାବିପତ୍ର ଦେଇଥିଲେ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବିଭିନ୍ନ ପତ୍ର ମାଧ୍ୟମରେ ଜଣାଇଛନ୍ତି ଯେ ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କୋୖଣସି ପ୍ରସ୍ତାବ ଆଜି ପର୍ଯ୍ୟନ୍ତ ଦେଇନାହାନ୍ତି । କିନ୍ତୁ ପ୍ରସ୍ତାବ ଦେଲେ କେନ୍ଦ୍ର ସରକାର ଏଥିରେ ସହଯୋଗ କରିବା ପାଇଁ ପ୍ରତିଶୃତ ଦେଇଥିବା ସେ ସୂଚନା ଦେଇଥିଲେ । ଫୋରମ୍ ସଭାପତି ରାମ ପ୍ରସାଦ ତ୍ରିପାଠୀ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ ଜିଲ୍ଲାରୁ ୬ ଥର ନିର୍ବାଚିତ ହୋଇ କେନ୍ଦ୍ରମନ୍ତ୍ରୀ ଓ ୫ ଥର ମୁଖ୍ୟମନ୍ତ୍ରୀ ହେବାପରେ ଗଞ୍ଜାମ ଜିଲ୍ଲାର ବିକାଶ ପାଇଁ ନବୀନ ବାବୁ ପଛଘୁଞ୍ଚା ଦେଉଥିବା କାରଣ କଣ ? ଗତ ୨୧ ବର୍ଷରେ ଗଞ୍ଜାମ ଜିଲ୍ଲା ପାଇଁ କୌଣସି ବଡ଼ ବିକାଶ କାମ କରି ନଥିବା ବେଳେ ଜିଲ୍ଲାକୁ ବ୍ୟାପକ ଅବହେଳା କରାଯାଉ ଥିବାରୁ ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀଙ୍କୁ କ୍ଷମା କରିବେ ନାହିଁ ବୋଲି ସେ କହିଥିଲେ । ଗତ ୨୨ ବର୍ଷରେ ରାଜ୍ୟ ସରକାର ଭୁବେନଶ୍ବର-କଟକ-ପୁରୀ ଓ ପଶ୍ଚିମ ଓଡ଼ିଶାର ବିକାଶ କରୁଛନ୍ତି କିନ୍ତୁ ଦକ୍ଷିଣ ଓଡ଼ିଶା ପାଇଁ ମୁହଁ ମୋଡୁଛନ୍ତି । ଭୁବନେଶ୍ୱର ଠାରୁ ୫୦ କିମି ଦୂରରେ ପୁରୀ ଓ ଖୋର୍ଦ୍ଧାରେ ୨ଟି ଓ ଝାରସୁଗୁଡା ବିମାନବନ୍ଦର ଠାରୁ ୯୮ କିମି ଦୂରରେ ଥିବା ରାଉରକେଲା ଓ ୫୦ କିମି ଦୂରରେ ଥିବା ସମ୍ବଲପୁରରେ ରାଜ୍ୟ ସରକାର ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଛନ୍ତି । ଉତ୍କେଳା, ଜୟପୁର, ବାରିପଦା, ଧାମରା ପ୍ରଭୃତି ଅନେକ ଛୋଟ ସହରରେ ନୂଆଁ ବିମାନ ବନ୍ଦରର ପ୍ରସ୍ତାବ ସରକାର ଦେଇଥିବା ବେଳେ ୪୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗଞ୍ଜାମ ଜିଲ୍ଲାକୁ ବାରମ୍ବାର ଉପେକ୍ଷା କରାଯାଉଛି । ମିଳିଥିବା ସୂଚନା ଅନୁସାରେ, ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ଗୋଟେ ଥର ବି ଓଡ଼ିଶା ସରକାର ପ୍ରସ୍ତାବ ପଠାଇ ନାହାଁନ୍ତି ଓ ଆବଶ୍ୟକୀୟ ଜାଗା ଚିହ୍ନଟ କରିନାହାନ୍ତି । ଯେଉଁ ଜାଗା ବ୍ରହ୍ମପୁର ମାଷ୍ଟର ପ୍ଲାନରେ ଚିହ୍ନଟ ହୋଇଛି ତାହା ଗଞ୍ଜାମ ଜିଲ୍ଲା ନେତାଙ୍କ ହିନ ରାଜନୈତିକ ଚକ୍ରାନ୍ତ ଯୋଗୁଁ ସରକାରୀ ମାନ୍ୟତା ପାଇ ପାରୁନାହିଁ । ତେଣୁ ବ୍ରହ୍ମପୁରରେ ବିମାନ ବନ୍ଦର ପ୍ରତିଷ୍ଠା ହୋଇପାରୁ ନାହିଁ । ଦୁଃଖର ବିଷୟ, ଏହି ସବୁ ତଥ୍ୟ ଓ ଗତ ୨୦ ବର୍ଷର ଆନ୍ଦୋଳନକୁ ଧ୍ୟାନ ନଦେଇ ହଠାତ୍ ରାଜ୍ୟ ସରକାରଙ୍କ ପରିବହନ ମନ୍ତ୍ରୀ ଗତ କିଛି ଦିନ ତଳେ ଘୋଷଣା କରିଛନ୍ତି ଯେ ରଙ୍ଗେଇଲୁଣ୍ଡାରୁ ଶୀଘ୍ର ଭୁବନେଶ୍ୱର ଓ ବିଶାଖାପାଟଣାକୁ ୧୦ ସିଟ୍ ର ଏକ ଖେଳନା ବିମାନ ଉଡ଼ିବ । ୨୦୦୮ରେ ଏହି ଯୋଜନା ଅସଫଳ ହେବା ପରେ ପୁଣି ଗଞ୍ଜାମ ଲୋକଙ୍କୁ ଭୁଆଁ ବୁଲେଇବା ପାଇଁ ନବୀନ ସରକାର ଚେଷ୍ଟା କରୁଛି । ଏହା କରି କେବଳ ପୌର ଓ ପଞ୍ଚାୟତ ନିର୍ବାଚନ ବୈତରଣୀ ପାରହେବା ଓଡ଼ିଶା ସରକାରଙ୍କ ଲକ୍ଷ ଥିବା ପରି ମନେ ହେଉଛି । ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ରାମ ପ୍ରସାଦ ତ୍ରିପାଠୀ ଗଞ୍ଜାମ ଜିଲ୍ଲପାଳ ଗତ ବର୍ଷ ଦେଇଥିବା ପ୍ରତଶୃତି ରକ୍ଷା କରି ବ୍ରହ୍ମପୁର ବିମାନ ବନ୍ଦର ପ୍ରତିଷ୍ଠାର ସ୍ଥିତି ସଂପର୍କରେ ଜନସାଧାରଣଙ୍କୁ ଅବଗତ କରି ନଥିବା ଓ ମୂଖ୍ୟମନ୍ତ୍ରୀ ଅଦ୍ୟାବଧି କୌଣସି ନିଷ୍ପତି ନେଇ ନଥିବା ଯୋଗୁଁ ଆସନ୍ତା ୩୦ ତାରିଖରୁ ଜିଲ୍ଲାରେ ବିରାଟ ଜନ ସଂପର୍କ ଅଭିଯାନ ଆରମ୍ଭ କରିବାକୁ ସୂଚନା ପ୍ରଦାନ କରିଥିଲେ । ଏହା ସତ୍ତ୍ଵ ବିମାନ ବନ୍ଦର ପ୍ରତିଷ୍ଠା ବିଳମ୍ବ ହେଲେ ଗଞ୍ଜାମ ଜିଲ୍ଲା ଓ ବ୍ରହ୍ମପୁର ବନ୍ଦ କରିବା ଓ ଅନିର୍ଦିଷ୍ଠ ଆମରଣ ଅନଶନରେ ବସିବାକୁ ନିଷ୍ପତି ନେଇ ଥିବା ସେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଡେଭଲପମଣ୍ଟ ଫୋରମ୍ ର ସଭାପତି ରାମ ପ୍ରସାଦ ତ୍ରିପାଠୀ, ସଚିବ ସ୍ଵରାଜ୍ୟ ସାହୁ, ବରିଷ୍ଠ ସଦସ୍ୟ ଲକ୍ଷ୍ମୀ ନାରାୟଣ ପାଢ଼ୀ, ଭି. ସୋମେଶ୍ୱର ରାଓ, ପ୍ରିତିଶ୍ ପାଣିଗ୍ରାହୀ, ବାଳ କୃଷ୍ଣ ସାମନ୍ତରାୟ, କୃଷ୍ଣ ଚନ୍ଦ୍ର ସାହୁ, ଅମ୍ବିକା ପଣ୍ଡା, ମାନସ ରଞ୍ଜନ ପାତ୍ର, କିରଣ କୁମାର ପଣ୍ଡା, ସନ୍ତୋଷ କୁମାର ସାହୁ, ରମେଶ ଚନ୍ଦ୍ର ସାହୁ, ଏମଭିଏସ ଭାସନ୍, ପ୍ରଶାନ୍ତ କୁମାର ପଣ୍ଡା ଓ ଅନ୍ୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ବୋଲି ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ସଭାପତି ରାମ ପ୍ରସାଦ ତ୍ରିପାଠୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା