ଓଡ଼ିଶା ନାଟ୍ୟ ସଂଘର ୩୭ତମ ପ୍ରତିଷ୍ଠା ଦିବସ ପାଳନ

ରାଉରକେଲା(ସମୃଦ୍ଧଓଡିଶା)ଓଡ଼ିଶା ନାଟ୍ୟ ସଂଘ, ରାଉରକେଲା ଶାଖା ଓ ଏକତ୍ର ରାଉରକେଲା ର ମିଳିତ ଆନୁକୂଲ୍ୟରେ ଓଡ଼ିଶା ନାଟ୍ୟସଂଘ ର ୩୭ତମ ପ୍ରତିଷ୍ଠା ଦିବସ ପାଳନ, ପଦଯାତ୍ରା ଓ ଆଲୋଚନା ଚକ୍ର ସ୍ଥାନୀୟ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି। ନାଟ୍ୟ ସଂଘର ଯୁଗ୍ମ ସମ୍ପାଦକ ଆଲୋକ ବୋଷ ଓ ଜିଲ୍ଲା ସଂଯୋଜକ ପ୍ରଫୁଲ୍ଲ ସେଠୀଙ୍କ ଆବାହକତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକତ୍ରର ସଭାପତି ରାଜୀବ ପାଣି, ସମ୍ପାଦକ ସୁଦେଶ ନାୟକ, ନାଟ୍ୟ ସଂଘ ର ଉପଦେଷ୍ଟା ଡ଼ଃ ସମର ମୁଦାଲି, ଅଭିନେତା ତଥା ନିର୍ଦ୍ଦେଶକ କୈଳାସ ପାଣିଗ୍ରାହୀ ଓ ଭାସ୍କର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ଓଡ଼ିଶା ନାଟ୍ୟ ମାନଚିତ୍ରରେ ଆମ ରାଉରକେଲା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଡ଼ଃ ମୁଦାଲି ରାଉରକେଲା ରେ ନାଟ୍ୟ ଅନୁଷ୍ଠାନର ସୃଷ୍ଟି ଓ କ୍ରମବିକାଶ ର ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ। ରାଉରକେଲା ରେ ୧୯୬୦ ରେ ବିଧିବଦ୍ଧ ନାଟକ ଆରମ୍ଭ ହୋଇଥଲା ଲକ୍ଷ୍ମୀଧର ନାୟକଙ୍କ ଲାଲ ଚାବୁକ ନାଟକରୁ। ପରେ ଦୁର୍ଗା ଦାସ,ବ୍ରଜ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଚିନ୍ତାମଣି ଜେନା, ରଘୁନାଥ ବିଶ୍ବାଳ, ଲଲାଟେନ୍ଦୁ ରଥ,ଡା କୃପାସିନ୍ଧୁ ନାୟକ,ଡୋଳାମଣି କାନ୍ଧେର ଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ଡ ସଞ୍ଜୟ ହାତୀ, ପ୍ରଭାକର ପାତ୍ର,ଡ଼ଃ ସମର ମୁଦାଲି, ଭାସ୍କର ମହାପାତ୍ର,ଡ ନିବେଦିତା ଜେନା,ରାଜୀବ ପାଣି ଙ୍କ ନାଟ୍ୟ ଜଗତକୁ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଓଡିଶା ର ନାଟକ କ୍ଷେତ୍ରରେ ରାଉରକେଲା ର ଅବଦାନ ସର୍ବଦା ଯଥେଷ୍ଟ ଥିବା ବେଳେ ସହର ଏଥିପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ଆସୁଅଛି। ଅନ୍ୟତମ ଆଲୋଚକ ଶ୍ରୀ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ନାଟ୍ୟକାର ଓ ଅଭିନେତା ପ୍ରଥମେ ନିଜକୁ ଆତ୍ମସମୀକ୍ଷା କରିବା ଦରକାର। ଦର୍ଶକୀୟ ପ୍ରତିଯୋଗିତା ନିମନ୍ତେ ପରିବେଶ ସୃଷ୍ଟି କରିବା ଦରକାର ବୋଲି ମତ ରଖିଥିଲେ। ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ ନାଟ୍ୟାନୁରାଗ, ତ୍ୟାଗ,ନିଷ୍ଠା ନିମନ୍ତେ ରାଉରକେଲା କଳା କ୍ଷେତ୍ରରେ ଅନନ୍ୟ ବୋଲି ମତ ରଖିଥିଲେ। ଶ୍ରୀ ପାଣି ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ କଳାକାର ମାନେ ସବୁ ସମୟରେ ଆତ୍ମସମୀକ୍ଷା କରିବା ସହ ନାଟକ ପ୍ରତି ସମର୍ପିତ ଭାବନା ରଖିବା ଦରକାର। ନାଟ୍ୟକାର ମାନେ ଯୁଗପୋଯୋଗୀ ନାଟକ ରଚନା କରି ସାମାଜିକ ବାର୍ତ୍ତା ଦେଲେ ତାହା ଅଧିକ ଗ୍ରହଣୀୟ ହେବ ବୋଲି କହିଥିଲେ। ଶ୍ରୀ ନାୟକ ନାଟକ ଓ ଅନୁଷ୍ଠାନର ଆଭିମୁଖ୍ୟ ତଥା ଆବାହକ ଶ୍ରୀ ବୋଷ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପଞ୍ଚାନନ ମଲ୍ଲିକ ଓ ଲକ୍ଷ୍ମୀକାନ୍ତ ଦୋରା ସ୍ବାଗତ ସଂଗୀତ ପରିବେଷଣ କରିଥିବା ବେଳେ ଅନ୍ୟତମ ଆବାହକ ଶ୍ରୀ ସେଠୀ ମଞ୍ଚ ସଂଯୋଜନା କରିଥିଲେ। ଆଲୋଚନା ପୂର୍ବରୁ ନାଟ୍ୟ ସଂଘ ଓ ଏକତ୍ର ର ସଦସ୍ୟ ସଦସ୍ୟା ମାନେ ସିଭିକ ସେଣ୍ଟର୍ ଠାରୁ ଆଦର୍ଶ ପାଠାଗାର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଏଥିରେ ଶ୍ରୀଜଗନ୍ନାଥ କଳା ପରିଷଦର ଶିଳ୍ପୀ ମାନେ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ପୂର୍ବରୁ ଆୟୋଜିତ ହୋଇଥିବା ବିଦ୍ୟାଳୟ ସ୍ତରୀୟ ଏକକ ଅଭିନୟ ପ୍ରତିଯୋଗିତା କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପୁରସ୍କୃତ ଛାତ୍ର ଛାତ୍ରୀ ମାନେ ହେଲେ ଚିନ୍ମୟ ବିଦ୍ୟାଳୟର ଦେବାଶିଂତା କର ପ୍ରଥମ, ବାଜି ରାଉତ ଶିକ୍ଷା ନିକେତନ ର ଦିବ୍ୟାକୁମାରୀ ଜେନା ଦ୍ବିତୀୟ, ଚିନ୍ମୟ ବିଦ୍ୟାଳୟର ଶାଗୁନ ବାରିକ ଓ ବିବେକାନନ୍ଦ ଶିକ୍ଷା ସଦନ ର ଏସକେ ରୋହନ ଅଖତର ତୃତୀୟ ତଥା ଜୁରୀ ପୁରସ୍କାର ବିବେକାନନ୍ଦ ଶିକ୍ଷା ସଦନର ସ୍ମୃତି ନାୟକ ଓ ବାଜି ରାଉତ ଶିକ୍ଷା ନିକେତନ ର ସୋନାଲି ବିଶ୍ବାଳ ଙ୍କୁ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ସନ୍ତୋଷିନୀ ବାରିକ, ପ୍ରଜ୍ଞାନନ୍ଦ ମହାନ୍ତି,ପ୍ରଳୟ ଶତପଥୀ ପ୍ରମୁଖ ସହଯୋଗ କରିଥିବାବେଳେ ଏକତ୍ର ର ଉପସଭାପତି ରମେଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଶରତ ଦାସ,ଅଶୋକ ବଳ, ଅକ୍ଷୟ ଧଳ,ଡା କୃପାସିନ୍ଧୁ ନାୟକ, ଚନ୍ଦ୍ରଶେଖର ଶତପଥୀ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ରାଜକୁମାର ମହାନ୍ତି, କିଶୋରୀ ମୋହନ କର, ପ୍ରିତୀ ବାରିକ,ଡ ସତ୍ୟ ମିଶ୍ର,ଭଜେନ୍ଦ୍ର ସାହୁ, ସୁରେନ୍ଦ୍ର ପାଢ଼ୀ ଙ୍କ ସମେତ ଶତାଧିକ ନାଟ୍ୟ ପ୍ରେମୀ ଉପସ୍ଥିତ ଥିଲେ।

ରିପୋର୍ଟ : ରଜତ ମହାପାତ୍ର