ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡିଶାରେ ଓଡିଶା ସରକାର ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍.ପି.ଆର୍.)କୁ କାର୍ଯ୍ୟକାରୀ ନକରିବା ପାଇଁ ଦାବି କରି ଭୁବନେଶ୍ୱରସ୍ଥିତି ମହାତ୍ମାଗାନ୍ଧୀ ମାର୍ଗଠାରେ “ଆମେ ଭାରତବାସୀ” ସଂଗଠନ ତରଫରୁ ଗଣଧାରଣା ଦିଆଯାଇଛି । ମୌଲାନା ଅବଦୁଲ କଲାମ ଆଜାଦଙ୍କ ତିରୋଧାନ ଦିବସ ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆମେ ଭାରତବାସୀ ତରଫରୁ କୁହାଯାଇଛି ଯେ ଜାତୀୟ ଜନସଂଖ୍ୟା ପଞ୍ଜିକା ବା ଏନ୍.ପି.ଆର୍. ହେଉଛି ଜାତୀୟ ନାଗରିକ ପଞ୍ଜିକା ଅର୍ଥାତ୍ ଏନ୍.ଆର୍.ସି. କରିବା ପାଇଁ ପ୍ରାଥମିକ ପଦକ୍ଷେପ । ଏହି ପ୍ରକ୍ରିୟା ଏକ ଗରିବ ରାଜ୍ୟରେ ଆର୍ଥିକ ବୋଝ ସାଙ୍ଗକୁ ସାମାଜିକ ବିଘଟନ ସୃଷ୍ଟି କରିବ । ଜନଗଣଙ୍କ ପାଖରେ ଭୋଟର ପରିଚୟପତ୍ର, ଆଧାର କାର୍ଡ, କେତେକ କ୍ଷେତ୍ରରେ ଜମିର କାଗଜପତ୍ର, ବ୍ୟାଙ୍କ୍ ର ପାନ୍କାର୍ଡ, ପାସ୍ପୋର୍ଟ ଇତ୍ୟାଦି ବହୁ ପ୍ରକାରର ନାଗରିକତା ପରିଚୟ ପତ୍ର ରହିଛି । ସେହି ପୃଷ୍ଠ ଭୂମିରେ ପୁଣି ଏକ ନାଗରିକ ପଞ୍ଜିକା କରିବା ଉଦ୍ଦେଶ୍ୟରେ ଏନ୍.ପି.ଆର୍. କରିବାର କୌଣସି ଆବଶ୍ୟକତା ନାହିଁ । ଅନ୍ୟାନ୍ୟ ଅଣ ବିଜେପି ଶାସିତ ରାଜ୍ୟ ଭଳି ଓଡିଶାରେ ମଧ୍ୟ ଏନ୍.ପି.ଆର୍ କୁ କାର୍ଯ୍ୟକାରୀ ନକରିବା ପାଇଁ ବିଧାନସଭାରେ ପ୍ରସ୍ତାବ ପାରିତ କରାଯାଉ । ଜାତୀୟ ଜନସଂଖ୍ୟ ପଞ୍ଜିକା କୁ ସମୂର୍ଣ୍ଣ ଭାବେ ବାତିଲ କରାଯାଉ ବୋଲି ଦାବୀ କରିଛନ୍ତି । ସମ୍ବିଧାନ ବିରୋଧୀ, ଧର୍ମ ନିରପେକ୍ଷତା ବିରେଧାୀ ଓ ଗରିବ ବିରୋଧୀ ନାଗରିକତା ସଂଶୋଧନ ଆଇନ-୨୦୧୯କୁ ପ୍ରତ୍ୟାହାର କରାଯିବା ପାଇଁ ଦାବି କରାଯାଇଛି । ଏହି ଧାରଣରେ ପ୍ରଫୁଲ୍ଲ ସାମନ୍ତରା, ସୁରେଶ ପାଣିଗ୍ରାହୀ, ମହେନ୍ଦ୍ର ପରିଡା, ଶ୍ରକାନ୍ତ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ପାଢୀ, ସତୀଶ୍ ମିଶ୍ର, ସୁଦର୍ଶନ ପ୍ରଧାନ, ଦେବ ପ୍ରସାଦ ରାୟମହାପାତ୍ର, ନରେନ୍ଦ୍ର ମହାନ୍ତି, ସଞ୍ଜୀବ ପତ୍ରି, ଶ୍ରୀମନ୍ତ ମହାନ୍ତି, ମହମ୍ମଦ ଶୁକୁର୍, ଅମୀୟ ପାଣ୍ଡବ, ଯମେଶ୍ୱର ସାମନ୍ତରାୟ, ଗୋହିଗୋବିନ୍ଦ ବେଶ୍ରା, ବିଶ୍ୱପ୍ରିୟ କାନୁନ୍ଗୋ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯିବା କାର୍ଯ୍ୟକ୍ରମ ରହିଛି ।
ରିପୋର୍ଟ : ଆକାଶ ମିଶ୍ର