



ଭୁବନେଶ୍ୱର(ସମୃଦ୍ଧଓଡିଶା) ଆନ୍ତର୍ଜାତିକ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ (IFPRI) ଏବଂ ଆନ୍ତର୍ଜାତିକ କୃଷି ଅନୁସନ୍ଧାନ ଗୋଷ୍ଠୀ ସଙ୍ଗଠନ (CGIAR)ର ପ୍ରଯୋଜିତ ପଦକ୍ଷେପ ସ୍ଵରୂପ ଜାତୀୟ ନୀତି ଓ ସୁଚିନ୍ତିତ ପଦକ୍ଷେପ (NPS) ସହ ମିଳିତ ଆନୁକୂଲ୍ୟରେ ଓଡ଼ିଶା ସରକାର ଭୁବନେଶ୍ଵରରେ ଏକ ନୀତି ନିର୍ଦ୍ଧାରଣ ଗୋଲଟେବୁଲ ସମାରୋହର ସଫଳ ଆୟୋଜନ କରିଛନ୍ତି । ସ୍ଥାୟୀ ବିକାଶ ଦିଗରେ ଓଡ଼ିଶାର ଯାତ୍ରା ଉପରେ ପ୍ରମୁଖ ଆଲୋକପାତ କରି, ଏହି ଗୋଲଟେବୁଲ ଦକ୍ଷିଣ-ଦକ୍ଷିଣ ଏସୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଜ୍ଞାନ ବିନିମୟ ପାଇଁ ସୁଯୋଗ ସହ ଆଞ୍ଚଳିକ ସହଭାଗୀତା ପାଇଁ ଏକ ମଞ୍ଚ ପ୍ରଦାନ କରିଛି । ଭିନ୍ନଭିନ୍ନ କୃଷି ଓ ଜଳବାୟୁ ଆହ୍ୱାନର ମୁକାବିଲା ପାଇଁ, ବହୁ ସରକାରୀ ଅଧିକାରୀ, ଗବେଷକ, ପେଶାଦାର ଉନ୍ନୟନଧର୍ମୀ କର୍ମୀ ଏବଂ ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ସମେତ ଶହେରୁ ଉର୍ଦ୍ଧ ବିଶିଷ୍ଠ ବ୍ୟକ୍ତି-ବିଶେଷ ଏହି ସମ୍ମିଳନୀରେ ଯୋଗଦାନ କରିଛନ୍ତି । “ଓଡ଼ିଶାରେ ଅନ୍ତର୍ଭୁକ୍ତ କୃଷି ରୂପାନ୍ତରଣର ଅଗ୍ରଗତି” ଶୀର୍ଷକ ଏହି କାର୍ଯ୍ୟକ୍ରମରେ କୃଷି ରୂପାନ୍ତରଣ ଏବଂ ବିଶ୍ୱସ୍ତରରେ ତଦନୁରୂପଭାବେ ଦେଶ ଓ ରାଜ୍ୟ ପାଇଁ ଏକ ଦୃଷ୍ଟାନ୍ତ ଭାବରେ ଏହାର ସମ୍ଭାବନାକୁ ବୃଦ୍ଧି କରିବା ଆଭିମୁଖ୍ୟରେ ଓଡ଼ିଶା ନେଉଥିବା ନେତୃତ୍ୱ ଉପରେ ଆଲୋକପାତ କରାଯାଇଥିଲା ।
ଏହି ଅବସରରେ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ମାନ୍ୟବର ଉପମୁଖ୍ୟମନ୍ତ୍ରୀ, ଓଡ଼ିଶା, ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସମାବେଶକୁ ସମ୍ବୋଧିତ କରିଥିଲେ । ନ୍ୟାୟସଙ୍ଗତ କୃଷି ଅଭିବୃଦ୍ଧି ପାଇଁ ଓଡ଼ିଶାର ପ୍ରତିବଦ୍ଧତା ଉପରେ ସେ ଗୁରୁତ୍ୱାରୋପ କରି କହିଥିଲେ, “ସାମଗ୍ରିକ ଏବଂ ସ୍ଥାୟୀ କୃଷି ସଂସ୍କାର କ୍ଷେତ୍ରରେ ଓଡ଼ିଶା ନେତୃତ୍ୱ ନେବାକୁ ପ୍ରସ୍ତୁତ । ଆଜି ଯେଉଁ ଚିନ୍ତନ ଓ ସହଭାଗୀତା ବିକାଶର ଦିଗକୁ ପରିପୁଷ୍ଟ କରିଛି , ତାହା ଏକ ଦୀର୍ଘସ୍ଥାୟୀ କୃଷିର ଭବିଷ୍ୟତ ଗଠନ କରିବ, ଯେଉଁଠାରେ ପ୍ରତ୍ୟେକ କୃଷକ ଉନ୍ନତି କରିପାରିବେ l କ୍ଷୁଦ୍ର ଚାଷୀଙ୍କୁ ସଶକ୍ତ କରିବା ପାଇଁ ବଜାର ସଂଯୋଗ ଗୁରୁତ୍ୱପୂର୍ଣ୍ଣ ଅଟେ। କୃଷକ ଉତ୍ପାଦକ ସଂଗଠନ (FPO) ମାଧ୍ୟମରେ ଆମେ ସୁନିଶ୍ଚିତ କରୁଛୁ ଯେ କୃଷକମାନେ ନ୍ୟାୟସଙ୍ଗତ ଭାବରେ ବଜାରରେ ନିଜର ସ୍ଥିତି ସୁଦୃଢ କରିପାରିବେ, ଯାହା ଦ୍ୱାରା ସେମାନେ ଉତ୍ପାଦର ଉଚିତ ମୂଲ୍ୟ ପାଇପାରିବେ ତଥା ସେମାନଙ୍କ ଜୀବିକା ନିର୍ବାହକୁ ଉନ୍ନତମାନର କରିବାରେ ସକ୍ଷମ ହେବେ” । ଏହି ଅବସରରେ ଡଃ ଅରବିନ୍ଦ କୁମାର ପାଢୀ, ପ୍ରମୁଖ ଶାସନ ସଚିବ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ କହିଥିଲେ ଯେ “ଓଡିଶାର କୃଷି କ୍ଷେତ୍ର ନବସୃଜନ, ଅନ୍ତର୍ଭୂକ୍ତିକରଣ ଏବଂ ସ୍ଥିରତାର ପୃଷ୍ଠଭୂମି ଉପରେ ଦଣ୍ଡାୟମାନ। ଯେହେତୁ ଆଜି, ଆମେ ଭବିଷ୍ୟତ ରଣନୀତି ଉପରେ ବିଚାର ବିମର୍ଶ କରୁଛୁ, ଆସନ୍ତୁ, ଏହି ସବୁ ସଫଳତାର ମାପକାଠି ଉପରେ ଧ୍ୟାନ ଦେବା ଏବଂ ପ୍ରତ୍ୟେକ ଚାଷୀ ଯେପରି ଲାଭବାନ ହେବେ ତାହା ସୁନିଶ୍ଚିତ କରିବା । ସାମୂହିକ ଭାବେ ଚେଷ୍ଟା ଦ୍ଵାରା ଆମେ ଓଡ଼ିଶାକୁ କୃଷି କ୍ଷେତ୍ରରେ ସ୍ଥାୟୀ ତଥା ସମୃଦ୍ଧ କରି ଗଢିତୋଳିବା । ” ମୁଖ୍ୟ ବିଷୟବସ୍ତୁ ଏବଂ ଆଲୋଚନା ଏହି ଗୋଲଟେବୁଲ ସମାରୋହ ପ୍ରମୁଖ ପାଞ୍ଚୋଟି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁକୁ ନେଇ ସ୍ଥିରିକୃତ ହୋଇଛି: 1. ସାମଗ୍ରିକ କୃଷି ରୂପାନ୍ତରଣ: ବିଶେଷଜ୍ଞ ମାନେ ଓଡ଼ିଶାର କୃଷି ପରିପ୍ରେକ୍ଷୀରେ ପ୍ରସ୍ତୁତ ରୂପରେଖ ଏବଂ ବିଧିସିଦ୍ଧ ସୂଚକାଙ୍କ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।2. ବଜାର ପ୍ରବେଶ ବୃଦ୍ଧି: ଭୌଗଳିକ ସମ୍ବନ୍ଧୀୟ ତଥ୍ୟ (Geospatial data) ଏବଂ ମୂଲ୍ୟ ଶୃଙ୍ଖଳ ଅନୁକୂଳ (Value Chain Optimisation) ଭଳି ଅଭିନବ ପ୍ରକ୍ରିୟା ମାଧ୍ୟମରେ କ୍ଷୁଦ୍ର ଚାଷୀଙ୍କୁ ନ୍ୟାୟସଙ୍ଗତ ଭାବେ ବଜାର ସହିତ ଯୋଡ଼ିବା ଉପରେ ବିଚାର ବିମର୍ଶ କରାଯାଇଥିଲା । 3. ଜଳବାୟୁ ସହନଶୀଳତାକୁ ସୁଦୃଢ଼ କରିବା: ଜଳବାୟୁ ଜନିତ ସଙ୍କଟର ସମାଧାନ ପାଇଁ ଉପସ୍ଥିତ ବୁଦ୍ଧିଜୀବୀମାନେ ଜଳବାୟୁ-ଅନୁକୂଳ କୃଷି, ମୃତ୍ତିକା ଏବଂ ଜଳ ପରିଚାଳନା ଓ ଫସଲ ବିବିଧତା ଭଳି ଅନୁକୂଳ ରଣନୀତି ବାବଦରେ ଆଲୋକପାତ କରିଛନ୍ତି । 4. କୃଷକ ଉତ୍ପାଦକ ସଂଗଠନ (FPO)କୁ ସଶକ୍ତ କରିବା: କୃଷକ ଉତ୍ପାଦକ ସଂଗଠନ ଗୁଡ଼ିକର ସ୍ଥିରତା ବୃଦ୍ଧି ପାଇଁ ଗଠନମୂଳକ ସଂସ୍କାର ଏବଂ ସର୍ବୋତ୍ତମ ଅଭ୍ୟାସ ଉପରେ ଆଲୋଚନା ହୋଇଛି । 5. ତଥ୍ୟଗତ ସାଧୁତାର ଅଗ୍ରଗତି: ଫଳପ୍ରଦ ନିଷ୍ପତ୍ତି ନେବା ଏବଂ କାର୍ଯ୍ୟକ୍ରମ ମୂଲ୍ୟାଙ୍କନ ପାଇଁ ସମୟପୋଯୋଗୀ ତଥ୍ୟ ପ୍ରଣାଳୀ ତଥା ବ୍ୟବସ୍ଥାର ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦିଆଯାଇଛି । ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନ (IFPRI)ର ଦକ୍ଷିଣ-ଏସିଆ ନିର୍ଦ୍ଦେଶକ ଡଃ. ସହିଦୁର ରସିଦ କହିଛନ୍ତି, “ଏହି ଗୋଲଟେବୁଲ ଓଡ଼ିଶାରେ ଥିବା ଅସୁବିଧା ଗୁଡିକର ସମାଧାନ ଏବଂ ସାମଗ୍ରିକ କୃଷି ଅଭିବୃଦ୍ଧି ପାଇଁ ସୁଯୋଗ ପ୍ରଦାନ କରିବ । ଆଜିର ଆଲୋଚନା ଏହି ଅଞ୍ଚଳ ପାଇଁ କୃଷି ଅଭିବୃଦ୍ଧିର ମାନଦଣ୍ଡ ନିର୍ଦ୍ଧାରଣ କରିବ” l ରଣନୀତିକ ପଦକ୍ଷେପ : ଓଡ଼ିଶା ସରକାର, IFPRI ଏବଂ ବୈଷୟିକ ଅଂଶୀଦାରମାନଙ୍କ ପ୍ରତିନିଧିମାନଙ୍କୁ ନେଇ ଏକ ପରାମର୍ଶଦାତା କମିଟି ଗଠନ କରିବାର ପ୍ରତିବଦ୍ଧତା ସହିତ ଏହି କାର୍ଯ୍ୟକ୍ରମ ଆୟୋଜନକରାଯାଇଛି l ଏହି କମିଟି ସାମଗ୍ରିକ କୃଷି ରୂପାନ୍ତରଣ (IAT) ସୂଚକାଙ୍କଗୁଡ଼ିକୁ ସଂଶୋଧନ ଏବଂ କାର୍ଯ୍ୟକାରୀ କରିବ ଏବଂ ରାଜ୍ୟର ଦୀର୍ଘମିଆଦୀ ବିକାଶ ଲକ୍ଷ୍ୟ ସହିତ ସେମାନଙ୍କର ସମନ୍ୱୟ ସୁନିଶ୍ଚିତ କରିବ । ଶ୍ରୀ ସୁରେଶ କୁମାର ବଶିଷ୍ଠ, ପ୍ରମୁଖ ଶାସନ ସଚିବ, ମତ୍ସ୍ୟ ଓ ପଶୁସମ୍ପଦ ଉନ୍ନୟନ ବିଭାଗ ଉଲ୍ଲେଖ କରି କହିଛନ୍ତି , “ଓଡ଼ିଶାର ନିରନ୍ତର ବିକାଶ ଦୃଷ୍ଟିକୋଣରୁ ଅନ୍ତର୍ଭୁକ୍ତ କୃଷି ରୂପାନ୍ତରଣ ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହି ଗୋଲଟେବୁଲରୁ ମିଳିଥିବା ସୁଯୋଗ ଓ ସହଭାଗୀତା କାର୍ଯ୍ୟକ୍ରମ ଭବିଷ୍ୟତ ପାଇଁ ରାସ୍ତା ଦେଖାଇବ” । କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧାରୀ, କହିଛନ୍ତି ଯେ, “ଓଡିଶାର କୃଷି ବ୍ୟବସ୍ଥା ଏକ ସ୍ଥିର, ନ୍ୟାୟସଙ୍ଗତ ତଥା ବଜାର ସଂଯୁକ୍ତ ବ୍ୟବସ୍ଥାରେ ରୂପାନ୍ତରଣ ହେବାକୁ ଲକ୍ଷ୍ୟ ରଖିଛି ଏବଂ ଏହି ନୀତି ଗୋଲଟେବୁଲ ସମ୍ମିଳନୀର ସହଭାଗୀତା ଏବଂ ଜ୍ଞାନ ଆଦାନ-ପ୍ରଦାନ ନିମନ୍ତେ ଏକ ବଳିଷ୍ଠ ପ୍ଲାଟଫର୍ମ ଯୋଗାଇବ।” ମିଶନ ଶକ୍ତି ବିଭାଗର ନିର୍ଦ୍ଦେଶିକା, ଡଃ. ମୋନିକା ପ୍ରିୟଦର୍ଶିନୀ ଆଲୋକପାତ କରିଛନ୍ତି, “ମହିଳାଙ୍କ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବାରେ ମିଶନ ଶକ୍ତି ଏକ ରୂପାନ୍ତରଣକାରୀ ଶକ୍ତି ହୋଇଛି। ମହିଳା ସଙ୍ଗଠନଗୁଡ଼ିକ କେବଳ ଗ୍ରାମୀଣ ଜୀବିକାକୁ ମଜବୁତ କରୁନାହାଁନ୍ତି ବରଂ କୃଷି ଅଭିବୃଦ୍ଧିକୁ ମଧ୍ୟ ଆଗକୁ ବଢାଉଛନ୍ତି, ଯାହା ସେମାନଙ୍କୁ ସାମଗ୍ରିକ ଏବଂ ସ୍ଥାୟୀ ବିକାଶର ପ୍ରମୁଖ ଅଭିକର୍ତ୍ତା ଭାବରେ ପରିଚିତ କରାଉଛି । ” ଏକ ସ୍ଥାୟୀ ଓ ନ୍ୟାୟସଙ୍ଗତ କୃଷି ଭବିଷ୍ୟତ ଗଠନରେ ଓଡ଼ିଶାର ଭୂମିକା ଉପରେ ଆଲୋକପାତ କରି ଏହି ଗୋଲଟେବୁଲ ସହଯୋଗପୂର୍ଣ୍ଣ ଆଲୋଚନା ଓ ଜ୍ଞାନ ଆଦାନ-ପ୍ରଦାନ ମାଧ୍ୟମରେ ଏକ ଜ୍ଵଳନ୍ତ ଦୃଷ୍ଟାନ୍ତ ସୃଷ୍ଟି କରିଛି ।
ରିପୋର୍ଟ : ରଜତ ମହାପାତ୍ର ଓ ସୁଶ୍ରୀ ସଂଗୀତା ମହାରଣା ପି ଆର ଓ