ଓଡିଶା ପ୍ରଦେଶ କଂଗ୍ରେସ କମିଟିକୁ ଭାଙ୍ଗି ଦିଆଗଲା

ଭୁବନେଶ୍ୱର(ସମୃଧଓଡ଼ିଶା)୨୧।୭: ରାଜ୍ୟରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଓଡ଼ିଶା ପ୍ରଦେଶର ବ୍ଲକ ସ୍ତରରୁ ଉପର ଯାଏଁ ସମସ୍ତ କମିଟିକୁ ଭାଙ୍ଗି ଦିଆଯାଇଛି । ଏସମ୍ପର୍କରେ  ଆଜି  ଭାରତୀୟ ଜାତୀୟ କଂଗ୍ରେସ(ଏଆଇସିସି)ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପିସିସି ସମେତ ସମସ୍ତ କାର୍ଯ୍ୟକାରୀ କମିଟି, ଜିଲା, ବ୍ଲକ୍‌ ଓ ମଣ୍ଡଳସ୍ତରୀୟ କମିଟି ଗୁଡିକୁ ମଧ୍ୟ ଭାଙ୍ଗି ଦିଆଯାଇଛି । ବର୍ତ୍ତମାନର ଜିଲା ସଭାପତିଙ୍କୁ କାମଚଳା ସଭାପତି ଦାୟିତ୍ୱ ଦିଆଯାଇଛି। ଓଡ଼ିଶା ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବାର ଦେଢ଼ ମାସ ପରେ ବିଧାନସଭାରେ ବିଧାୟକ ଦଳ ନେତା ଚୟନ କରିଛି କଂଗ୍ରେସ। ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରିଛି। ଅଶୋକ ଦାସଙ୍କୁ ବିଧାୟକ ଦଳର ଉପନେତା ନିର୍ବାଚିତ କରାଯାଇଛି। ସେହିପରି ଡାକ୍ତର ସିଏସ ରାଜନ ଏକ୍କାଙ୍କୁ ଦଳର ମୁଖ୍ୟ ସଚେତକ ନିଯୁକ୍ତ କରାଯାଇଛି। ପିସିସି ସଭାପତି କିଏ ହେବ ସେ ନେଇ ମଧ୍ୟ ଅଙ୍କ କଷା ଆରମ୍ଭ ହୋଇଯାଇଛି । ତେବେ ବରିଷ୍ଠ ନେତା ଜୟପୁର ବିଧାୟକ ତାରା ବାହିନୀପତିଙ୍କ ନାଁ ଶୁଣାଯାଉଥିଲେ ସୁଦ୍ଧା ସେ ଲବିରେ ନାହାନ୍ତି ବୋଲି ରୋକ ଠୋକ ମନା କରି ଦେଇଛନ୍ତି ।