ଓଡିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡର କାର୍ଯ୍ୟ ସମୀକ୍ଷା କରିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ଓଡିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡର ସମୀକ୍ଷା କରିଛନ୍ତି । ଖାରବେଳ ଭବନରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଗୃହ ନିର୍ମାଣ ବୋର୍ଡର ବର୍ତ୍ତମାନର ସ୍ଥିତି, ଆଗାମୀ ଯୋଜନା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ରାଜ୍ୟର ୨୧ଟି ଜିଲ୍ଲାରେ ବୋର୍ଡର ଉପସ୍ଥିତି ଥିବାବେଳେ ରାଉରକେଲା ଓ ଭୁବନେଶ୍ୱର ଆଦି ସ୍ଥାନରେ ବହୁଳ ଭାବେ କାର୍ଯ୍ୟ ଜାରି ରହିଛି । ବୋର୍ଡ ତରଫରୁ ବର୍ତ୍ତମାନ ସୁଦ୍ଧା ୩୨,୩୪୩ଟି ବାସଗୃହ ଓ ପ୍ଲଟ ବିକଶିତ କରାଯାଇଥିବା ଜଣାଯାଇଛି । ଭୁବନେଶ୍ୱରର ପଟିଆ, କାନନବିହାର, ଚନ୍ଦ୍ରଶେଖର, ଭିଏସଏସନଗର, ସତ୍ୟନଗର, ଲୁଇସରୋଡ, ଭିମଟାଙ୍ଗୀ, ବରମୁଣ୍ଡା, ମୈତ୍ରୀବିହାର ଓ ଶୈଳଶ୍ରୀବିହାର ଆଦିରେ ପ୍ରାୟ ୨୦ହଜାର ବାସଗୃହ ନିର୍ମାଣ କରାଯାଇଛି । ଓଡିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ ଏବେ ଋଣ ମୁକ୍ତ ସଂସ୍ଥା ହୋଇପାରିଛି । ବର୍ତ୍ତମାନ ବୋର୍ଡ ପ୍ରକଳ୍ପ ମଧ୍ୟରେ ଭୁବନେଶ୍ୱରରେ ଖାରବେଳ ଏନକ୍ଲେଭ, ସୁବାସ ଏନକ୍ଲେଭ, ଅନୁଗୁଳରେ ଅନୁଗୁଳ ଏନକ୍ଲେଭର ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ ଭୁବନେଶ୍ୱରର ଜଗନ୍ନାଥ ପ୍ରସାଦ ଠାରେ ପ୍ଲଟିଂ ସ୍କିମ୍‍ କାର୍ଯ୍ୟକାରୀ କରାଯାଉଛି । ଆଗାମୀ ଦିନରେ ରାଜ୍ୟର ସହରାଞ୍ଚଳରେ ସମସ୍ତ ପାଇଁ ଘର ଯୋଜନାରେ ୫୦,୦୦୦ ପ୍ଲଟ ଓ ଘର ଯୋଗାଇଦେବାର ଲକ୍ଷ୍ୟ ରହିଛି । ରାଜ୍ୟର ସମସ୍ତ ଜିଲ୍ଲା ସହାଞ୍ଚଳରେ ପ୍ରାୟ ଏକ ହଜାର ଘର ଯୋଗାଇ ଦେବାପାଇଁ ଲକ୍ଷ୍ୟ ରଖାଯାଇଛି । ସେହିଭଳି ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, ଜଗତ୍‍ସିଂହପୁର, କଟକ ଆଦି ଜିଲ୍ଲାରେ ପ୍ରାୟ ୫୨୦ ଏକର ଜମି ଅଧିଗ୍ରହଣ ପାଇଁ ଲକ୍ଷ୍ୟ ରଖାଯାଇଛି । ବୋର୍ଡର ପ୍ରକଳ୍ପ ଅଞ୍ଚଳରେ ଜବରଦଖଲ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ତାହାକୁ ତୁରନ୍ତ ମୁକୁଳାଇବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ବୋର୍ଡର ଏମଡି ସାଗରିକା ପଟ୍ଟନାୟକ, ସଚିବ ରଶ୍ମିତାରାଣୀ ତରାସିଆ, ମୁଖ୍ୟଯନ୍ତ୍ରୀ ଏଲ ପି ମହାପାତ୍ର ଏବଂ ଅର୍ଥ ପରମର୍ଶଦାତା ମିନତି ପତିଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ରଜତ ମହାପାତ୍ର