

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଜୋରଦାର ହେବ ଠିକା ଓ ଆଉଟସୋର୍ସି ପ୍ରଥା ବିରୁଦ୍ଧରେ ଲଢେଇ । ସମାନ କାମକୁ ସମାନ ଦରମା ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ । ଏକ ନୂଆ ଟିମ ସହ ନିଜ ଦାବି ଲାଗି ମହାସଂଘ ଲଢେଇ କରିବ । ଭୁବନେଶ୍ୱରର ବୁଦ୍ଧ ମନ୍ଦିର ପରିସରରେ ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ମହାସଂଘର ପଦାଧିକାରୀ ନିର୍ବାଚନ ହୋଇଥିଲା । ସଭାପତି ଭାବେ ବିଜୟ ମଲ୍ଲ, ଉପସଭାପତି ଭାବେ ଦେବଦତ୍ତ ସ୍ୱାଇଁ, ଜୀବନ ମହାନ୍ତି, ପ୍ରଭାସ ଭୋଇ, ସମ୍ପାଦକ ଭାବେ କ୍ଷିତୀଶ ପଣ୍ଡା, କାର୍ଯ୍ୟକାରୀ ସମ୍ପାଦକ ସୁଧୀର ସାହୁ, ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶ୍ରୀନିବାସ ବାରିକ, ପ୍ରଶାନ୍ତ କର ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ଏଥିସହ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଚରମ ଚେତାବନୀ ଦେଇଛି ମହାସଂଘ । ସରକାର ଆଗରେ ମହାସଂଘ ପାଞ୍ଚ ଦଫା ରଖିଛି, ସେଗୁଡିକ ହେଲା ଠିକା ଓ ଆଉଟସୋର୍ସିଙ୍ଗ ବ୍ୟବସ୍ଥା ଉଚ୍ଛେଦ, ସର୍ବନିମ୍ନ ଦରମା ୨୫ ହଜାର ଟଙ୍କା, ନୂତନ ପେନସନ ଉଚ୍ଛେଦ କରି ପୁରୁଣା ପେନସନ ଲାଗୁ କରିବା, ସ୍ୱାସ୍ଥ୍ୟବୀମା ଲାଗୁ କରିବା ଏବଂ ମୃତ୍ୟୁକାଳୀନ ବୀମା (ଜି ଆଇ ଏସ) ଦେଢ଼ ଲକ୍ଷରୁ ପଚାଶ ଲକ୍ଷ ଟଙ୍କା । ଯଦି ସରକାର ଆଗାମୀ ବିଧାନ ସଭା ପୂର୍ବରୁ ଦାବି ପୂରଣ ନ କରନ୍ତି ତେବେ ବାଧ୍ୟ ହୋଇ କାର୍ଯ୍ୟବନ୍ଦ ସହ ମହାସଂଘର ହଜାର ହଜାର ସଦସ୍ୟ ରାଜରାସ୍ତାକୁ ଓହ୍ଲାଇବେ । ଆଇନ ଅମାନ୍ୟ ଆନ୍ଦୋଳନ କରିବାକୁ ସେମାନେ ବାଧ୍ୟ ହେବେ । ପୂର୍ବରୁ ଏହି ପ୍ରସଙ୍ଗରେ ବାରମ୍ବାର ଆନ୍ଦୋଳନ ହୋଇଛି । ସରକାର ପ୍ରତିଶ୍ରୁତି ଦେଇ ପାଳନ କରୁନାହାନ୍ତି । ଏପରିକି ରାଜ୍ୟ ସରକାର ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ‘ସମାନ କାମକୁ ସମାନ ଦରମା’ ଆଦେଶକୁ ମାନୁ ନାହାନ୍ତି । ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଓ ଅର୍ଥ ସଚିବ ନିଜର ପ୍ରତିଶ୍ରୁତିକୁ ନିଜେ ମାନୁ ନାହାନ୍ତି । ରାଜ୍ୟ ସରକାର ସମସ୍ତ ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ବେଖାତିର କରୁଛନ୍ତି । ସମାନତା, ନ୍ୟାୟବିଚାର ଓ ବ୍ୟବସ୍ଥାକୁ ବିକଳାଙ୍ଗ କରି ଦେଇଛନ୍ତି । ଏଭଳି ଏକ ସମୟରେ କିଛି ଦିନ ଆଉ ରାଜ୍ୟର ହଜାର ହଜାର ଚୁକ୍ତିଭିତ୍ତିକ ଓ ଠିକା କର୍ମଚାରୀ ପେଟରେ ଓଦାକନା ଦେଇ ସେବା ଯୋଗାଇବେ । କେତେଦିନ ଆଉ ନିଜର ଅସହାୟ ପରିବାରକୁ ଆର୍ଥିକ ଦୁରାବସ୍ଥା ଭିତ୍ତରେ ଛାଡି ସରକାରଙ୍କୁ ଦେଶର ଏକ ନମ୍ବର କରାଇବେ । କେତେଦିନ ଧରି ସାମାଜିକ ଓ ଆର୍ଥିକ ଅସମାନତା ମଧ୍ୟରେ ସୁସ୍ଥ ମାନସିକତାରେ ସରକାରୀ ସେବା ଯୋଗାଇବେ ବୋଲି ମହାସଂଘର କ୍ଷୋଭର ସହ କହିଛି । ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଉପଦେଷ୍ଠା ପ୍ରଭାତ ମହାନ୍ତି, ମଧୁ ମଲ୍ଲିକ, ବାସୁଦେବ ଭଟ୍ଟ, କିଷାନ ବରାଇ ଓ ଆଉଟସୋର୍ସିଙ୍ଗ ମହାସଂଘର ସଭାପତି ସଞ୍ଜୟ ପଟ୍ଟନାୟକ ଉପସ୍ଥିତ ଥିଲେ ବୋଲି ସଭାପତି ବିଜୟ ମଲ୍ଲ ଜଣାଇଛନ୍ତି ।
ରିପୋର୍ଟ : ବିଜୟ ମଲ୍ଲ
