ଜଳେଶ୍ୱର (ସମୃଦ୍ଧ ଓଡିଶା) ସ୍ୱାଧିନତା ପରଠାରୁ ରାଇବଣିଆ ଥାନା ଅନ୍ତର୍ଗତ ଓଲମରାଠାରେ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ଉପତ୍ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଆଖାପାଖ ମାକିଡିଆ, ଖୁଦିଆମାଝିସାହୀ, ସର୍ଦ୍ଦାରବନ୍ଧ, ଶ୍ୟାମନଗର, ଓଲମରା ଗ୍ରା.ପ. ସମେତ ପଡୋଶୀ ପଶ୍ଚିମବଂଗର ଜମ୍ଭିରାପାଳ, ଗୋପିନାଥପୁର ଗ୍ରାମବାସୀମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛି । ମାତ୍ର ଦୀର୍ଘ ୫ବର୍ଷ ଧରି ଏଠାରେ କୌଣସି ଏଲୋପାଥିକ ଡାକ୍ତର ନ ଥିବା ଫଳରେ ଦୂରସାଧ୍ୟ ରୋଗରେ ଆକାନ୍ତ ହେଉଥିବା ରୋଗୀମାନେ ନାହିଁନଥିବା ହଇରାଣ ହେଉଛନ୍ତି । ଏଠାରେ ନିଯୁକ୍ତି ପାଇଥିବା ଜୈନିକ ଆୟୁଷ (ଆୟୁର୍ବେଦ) ଡାକ୍ତର ପ୍ରତ୍ୟେକଦିନ ୧୩୦ରୁ ୧୫୦ ପର୍ଯ୍ୟନ୍ତ ରୋଗୀମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିଲେ ମଧ୍ୟ ସେମାନଙ୍କୁ କୌଣସି ନିର୍ଦ୍ଦିଷ୍ଟ ଔଷଧ ଦେଇନପାରିବା ଫଳରେ ପ୍ରକୃତ ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହେଉଛି । ଏପରିକି ଏଠାରେ କୌଣସି ଆର୍ୟୁବେଦ ଔଷଧ ମିଳୁନାହିଁ । ଫଳରେ ରୋଗୀମାନେ ଖର୍ଚ୍ଚାନ୍ତ ହୋଇ ଦୂରଦୁରାନ୍ତକୁ ଚିକିତ୍ସାପାଇଁ ଯାଉଛନ୍ତି । ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଲମରାର ଅରୟୁଷ ଡାକ୍ତର ଦୀପକ କୁମାର ମହାନ୍ତି ପ୍ରତ୍ୟେକଦିନ ଅପରାହ୍ନରେ ମହମ୍ମଦନଗରପାଟଣା ଉପସ୍ୱାସ୍ଥ୍ୟ କେନ୍ଦ୍ରକୁ ଡେପୁଟେସନରେ ଯାଉଥିବାରୁ ରୋଗୀମାନେ ସେଠାରେ ନିଯୁକ୍ତି ପାଇଥିବା ଫାର୍ମଶିଷ୍ଟଙ୍କ ଉପରେ ନିର୍ଭର କରୁଛନ୍ତି । ତେଣୁ ଯଥାଶୀଘ୍ର ସ୍ଥାୟୀ ଡାକ୍ତର ନିଯୁକ୍ତି ସହିତ ସମସ୍ତ ପ୍ରକାର ଔଷଧ ଯୋଗାଇ ଦେବାକୁ ପଂଚାୟତବାସୀ ଦାବି କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା