ଦେଶ ଯେପରି ଗର୍ବ କରେ ତା’ର ସଂସ୍କୃତି ଓ ଐତିହ୍ୟକୁ ନେଇ ସେହିପରି ଗୌରବାନ୍ୱିତ ମନେ କରେ ତା’ର ଭାଷାର ମର୍ଯ୍ୟାଦାକୁ ନେଇ । ଶିଶୁର କଥା କହିବା ଶକ୍ତି ଆସିବା ମାତ୍ରକେ ସେ ତା’ର ମାତୃଭାଷା କହେ ଏବଂ ମାତୃଭାଷାକୁ ହୃଦୟଙ୍ଗମ କରେ । ମାତୃଭାଷା ମାଧ୍ୟମରେ ଜଣେ ବ୍ୟକ୍ତି ଯେପରି ତା’ର ହୃଦୟର ଭାବକୁ ବ୍ୟକ୍ତ କରିପାରେ, ସେପରି ଅନ୍ୟ କୌଣସି ଭାଷାରେ ବ୍ୟକ୍ତ କରିପାରେ ନାହିଁ । ଗୋଟିଏ ଜାତିର ଉନ୍ନତି ସାଧିତ ହୁଏ, ତା’ର ମାତୃଭାଷାର ଉନ୍ନତିରେ । ପ୍ରତ୍ୟେକ ଜାତି ତା’ର ଭାଷା ଓ ସାହିତ୍ୟକୁ ନେଇ ଗର୍ବିତ । ସମାଜର ଅନ୍ତର୍ନିହିତ ଚେତନାକୁ ସାହିତ୍ୟ ଦ୍ୱାରା ହିଁ ପ୍ରକାଶ କରାଯାଇଥାଏ । ଅବଚେତନ ମନର ରହସ୍ୟକୁ ସାହିତ୍ୟ ଉଦ୍ଘାଟନ କରେ । ସତ୍ୟ, ଶିବ, ସୁନ୍ଦରର ବାଣୀକୁ ଉଦାର କଣ୍ଠରେ ଘୋଷଣା କରେ ସାହିତ୍ୟ । ବ୍ୟକ୍ତିର ହୃଦୟରେ ସଂପ୍ରୀତି ସ୍ଥାପନ କରିବା, ପ୍ରେରଣା ଦେବା, ନ୍ୟାୟ ଓ ଅନ୍ୟାୟର ବିଚାର କରିବା, ପାପ ପୁଣ୍ୟର ବିଚାର କରିବା ପାଇଁ ସାହିତ୍ୟର ଭୂମିକା ଅନବଦ୍ୟ । ସାହିତ୍ୟର ସମ୍ପର୍କ ମନୁଷ୍ୟର ଅନ୍ତର ସହିତ ଜଡିତ ଏବଂ ଏହା ଚିରନ୍ତନ । ସାହିତ୍ୟ ସୃଷ୍ଟିକରେ ମନୁଷ୍ୟର ଅନ୍ତର୍ନିହିତ ସୌନ୍ଦର୍ଯ୍ୟ ଚେତନାକୁ । ସାହିତ୍ୟ ଜାଗ୍ରତ କରେ ଅନ୍ତର୍ନିହିତ ଶକ୍ତିକୁ ଏବଂ ସାହିତ୍ୟ ପ୍ରକାଶ କରେ ଜୀବନର ଅନ୍ତର୍ନିହିତ ଭାବଧାରାକୁ । ସମୟର ରଥ ଚକ ତଳେ ସାହିତ୍ୟ ନିଷ୍ପେସିତ ହୋଇଯାଏ ନାହିଁ । ମଣିଷ ଜୀବନକୁ ସାହିତ୍ୟ ଗଢିତୋଳେ କାନ୍ତ କୋମଳ ଓ କମନୀୟ କରି । କୁତ୍ସିତ ବସ୍ତୁ ମଧ୍ୟରେ ସାହିତ୍ୟ ଦେଖେ ଶାଶ୍ୱତ ସୌନ୍ଦର୍ଯ୍ୟକୁ । ନଗଣ୍ୟ ଓ ହେୟ ବସ୍ତୁ ମଧ୍ୟରେ ସେ ଦେଖାଇଦିଏ ଜଗତର ରହସ୍ୟକୁ । ସାହିତ୍ୟ ବ୍ୟକ୍ତିର ହୃଦୟରେ ରେଖାପାତ କରେ ଏବଂ ପ୍ରତ୍ୟେକ ବ୍ୟକ୍ତିକୁ ଆପଣାର କରେ । ବିଜ୍ଞାନ ମଣିଷର ଜ୍ଞାନକୁ ବିକଶିତ କରେ । ଇତିହାସ ବ୍ୟକ୍ତିକୁ ଅତୀତର କାଳାନୁକ୍ରମିକ ବିବରଣୀ ପ୍ରଦାନ କରେ । ଦର୍ଶନ ସୃଷ୍ଟି ରହସ୍ୟ ସମ୍ବନ୍ଧରେ ସୂଚନା ଦିଏ । ଅର୍ଥନୀତି ଦୈନନ୍ଦିନ ଜୀବନରେ ଅର୍ଥନୈତିକ ସମସ୍ୟା ସମ୍ବନ୍ଧରେ ଜ୍ଞାନ ସୃଷ୍ଟି କରେ । ମାତ୍ର ସାହିତ୍ୟ ସମସ୍ତ ଭାବଧାରାକୁ ନିଜ ଭିତରେ ରଖି ଲୋକୋତ୍ତର ସତ୍ୟକୁ ପରିବେଷଣ କରେ । ବ୍ୟକ୍ତିକୁ ଆନନ୍ଦ ପ୍ରଦାନ କରେ । ସାହିତ୍ୟ ସହିତ ସମାଜର ସମ୍ପର୍କ ଅତି ନିବିଡ । ସମାଜକୁ ଛାଡି ସାହିତ୍ୟର ସ୍ଥାନ ନାହିଁ ବା ସାହିତ୍ୟକୁ ଛାଡି ସମାଜର ସ୍ଥାନ ନାହିଁ । ସମାଜର ଅନ୍ତର୍ନିହିତ ଚେତନାକୁ ସାହିତ୍ୟ ପ୍ରକାଶ କରେ । ସାହିତ୍ୟ ଯୁଗ ଯୁଗ ଧରି ମଣିଷ ଜୀବନରେ ଉତ୍ଥାନ ପତନ, ହସ କାନ୍ଦ, ସଂଘର୍ଷ ଓ ସଂଘାତକୁ ଯଥାର୍ଥ ଭାବରେ ପ୍ରକାଶ କରେ । ଏସବୁ ଜାଣିଲା ପରେ ମଧ୍ୟ ଆମେ ଭୁଲି ଯାଉଛେ ଆମର ସେହି ମାତୃଭାଷାକୁ । ଯେହେତୁ ଆମେ ଏହି ଓଡ଼ିଶା ମାଟିରେ ଜନ୍ମ ନେଇଛେ, ଓଡ଼ିଶାର ପାଣି ପବନରେ ଆମର ଏହି ରକ୍ତ ମାଂସର ଶରୀରକୁ ନେଇ ବଞ୍ଚିଛେ ଏବଂ ଯେଉଁ ଓଡ଼ିଶାର ଠାକୁର ବଡ ଠାକୁର, ନଦୀ ମହାନଦୀ, ସମୁଦ୍ର ମହୋଦଧି, ଦାଣ୍ଡ ବଡଦାଣ୍ଡ, ବୃକ୍ଷ କଳ୍ପବଟ, ପ୍ରସାଦ ମହାପ୍ରସାଦ ସେଥିପାଇଁ ଆମେ ଆମ ମାତୃଭାଷାର ସାହିତ୍ୟକୁ ଭୁଲିଯାଇ ପ୍ରଥମେ ଅନ୍ୟାନ୍ୟ ବିଦେଶୀ ଭାଷା ଓ ସାହିତ୍ୟ ପଛରେ ଧାଇଁବା ଅନୁଚିତ୍ । ଅନ୍ୟାନ୍ୟ ବିଷୟ ଅଧ୍ୟାପନା ଓ ଅନୁଶୀଳନ ଅପେକ୍ଷା ଓଡ଼ିଆ ଭାଷା ଓ ସାହିତ୍ୟ ଅନୁଶୀଳନର ଏକ ସ୍ୱତନ୍ତ୍ର ତାପର୍ଯ୍ୟ ରହିଛି । ମନୁଷ୍ୟର ସହଜ ସ୍ୱଚ୍ଛନ୍ଦ ଭାବ ପ୍ରକାଶ ନିମନ୍ତେ ମାତୃଭାଷା ଅପରିହାର୍ଯ୍ୟ । ବର୍ତ୍ତମାନ ଭାରତ ସରକାର ଆଞ୍ଚଳିକ ଭାଷା ଓ ସାହିତ୍ୟର ଉନ୍ନତି ପାଇଁ ଗଭୀର ଧ୍ୟାନ ଦେଇଛନ୍ତି, ଯାହା ଫଳରେ ସର୍ବଭାରତୀୟ ପରୀକ୍ଷା ଗୁଡିକରେ ଆଞ୍ଚଳିକ ଭାଷାଗୁଡିକୁ ପ୍ରାଧାନ୍ୟ ଦେଇ ତହିଁରେ ଉଭୟ ଇଚ୍ଛାଧୀନ ଓ ବାଧ୍ୟତାମୂଳକ ଭାଷା ସାହିତ୍ୟପତ୍ର ଅନ୍ତର୍ଭୁକ୍ତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆମ ରାଜ୍ୟରେ ବିଶ୍ୱବିଦ୍ୟାଳୟ ସ୍ତରରେ ଓଡ଼ିଆ ଭାଷା ଓ ସାହିତ୍ୟ ଅଧ୍ୟୟନ ଏବଂ ଅଧ୍ୟାପନାର କ୍ଷେତ୍ର ମହତ୍ତ୍ୱପୂର୍ଣ୍ଣ ଓ ଗୁଣାତ୍ମକ ହେବା ପ୍ରୟୋଜନୀୟ । ଭାରତର ଭାଷା ସମସ୍ୟା ଏକ ପ୍ରଧାନ ସମସ୍ୟା ହେଲେବି ରାଜ୍ୟ ସ୍ତରରେ ଆଞ୍ଚଳିକ ଭାଷାର ଉନ୍ନତିକୁ କଦାପି ଏଡାଇ ଦିଆଯାଇନପାରେ । ମାତୃଭାଷାକୁ ନେଇ ଜାତି ବଞ୍ଚି ରହିଛି । ମାତୃଭାଷାର ଉନ୍ନତିରେ ଜାତିର ଉନ୍ନତି ଓ ପ୍ରଗତି ନିହିତ । ଓଡ଼ିଶା ସରକାର ଓଡ଼ିଆ ଭାଷାକୁ ସରକାରୀ ଭାଷା ରୂପେ ପ୍ରଚଳନ କରିବା ନିମନ୍ତେ ବଦ୍ଧପରିକର । ସରକାରୀ ସ୍ତରରେ ବିଭିନ୍ନ ବିଭାଗ, ଜିଲ୍ଲାସ୍ତରୀୟ ଓ ଅନ୍ୟାନ୍ୟ ନିମ୍ନ ଦପ୍ତର ପାଇଁ ଉଦ୍ଦିଷ୍ଟ ସମସ୍ତ ଚିଠିପତ୍ର ବିଜ୍ଞପ୍ତି ଗେଜେଟ୍ ଆଦି ଓଡ଼ିଆ ଭାଷାରେ ହେବ। ପାଇଁ ସରକାର ସ୍ଥିର କରିଛନ୍ତି । ଏହାଦ୍ୱାରା ଆମ ମାତୃଭାଷାର ବିକାଶ ହୋଇପାରିବ । ଆଧୁନିକ ଜୀବନର ସମସ୍ତ ଚିତ୍ର ଆଜି ସାହିତ୍ୟ ମାଧ୍ୟମରେ ପ୍ରକାଶ ପାଉଛି । ଏ ପ୍ରସଙ୍ଗରେ ଓଡ଼ିଶାର ପତ୍ରପତ୍ରିକାର କଥା ଚିନ୍ତା କଲେ ମନ ଭିତରେ ଦୁଃଖ, କ୍ଷୋଭ ଜାତ ହେବ। ସ୍ୱାଭାବିକ । ଲେଖକମାନଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ହୋଇଥିବା ବେଳେ ପାଠକମାନଙ୍କ ସଂଖ୍ୟା କମିବାରେ ଲାଗିଛି । ତେଣୁ ଆଜି ସମସ୍ତ ସାହିତ୍ୟ ପ୍ରେମୀ ଲେଖକ, କବି, ବୁଦ୍ଧିଜୀବୀ ସର୍ବୋପରି ପାଠକ ପାଠିକାଙ୍କ ସଂଖ୍ୟା ବୃଦ୍ଧି ହେବା ଉଚିତ୍ । ମାତୃଭାଷାରେ ବିଭିନ୍ନ ଲେଖାମାନ ପଢିବା ଦ୍ୱାରା ମଣିଷ ଏଥିରୁ ବହୁ ଉପାଦେୟ ଉପଦେଶ ସଂଗ୍ରହ କରିଥାଏ । ଏହାଛଡା ପୁସ୍ତକ ପ୍ରକାଶକମାନେ ବହୁ ପରିମାଣରେ ଉପାଦେୟ ପୁସ୍ତକମାନ ପ୍ରକାଶ କରି ଓଡ଼ିଆ ପୁସ୍ତକର ଅଭାବ ଦୂର କରିବା ପାଇଁ ଉଦ୍ୟମ କରିବା ବାଞ୍ଛନୀୟ । ଦିନେ ଉତ୍କଳମଣି ଗୋପବନ୍ଧୁ ଦାସ ମଧ୍ୟ ନିଜେ ହୃଦୟଙ୍ଗମ କରି ଲେଖିଥିଲେ – ଯେକୌଣସି ଜାତିର ଶିକ୍ଷା ସେହି ଜାତିର ନିଜ ଭାଷାରେ ନ ହେବ। ଯାଏଁ ତାହା ଜାତୀୟ ଭାଷା ନୁହେଁ । ଭାଷା ଭାବ ପ୍ରକାଶର ଉପାୟ ମାତ୍ର ସତ, କିନ୍ତୁ ଯେଉଁ ଭାଷା ମନୁଷ୍ୟର ନିଜ ଭାଷା, ଯେଉଁ ଭାଷାର ବେଷ୍ଟନି ମଧ୍ୟରେ ସେ ଜନ୍ମଦିନୁ ଲାଳିତ ପାଳିତ, ସେ ଭାଷାରେ ଭାବ ଯେପରି ସୁବୋଧ୍ୟ ହୁଏ, ଅନ୍ୟ ଭାଷାରେ ସେପରି ହୁଏ ନାହିଁ । ଓଡ଼ିଶାର ଚିନ୍ତାନାୟକଗଣ ଏବଂ ବୌଦ୍ଧିକ ଗୋଷ୍ଠୀ ଏଥିପ୍ରତି ବିଶେଷ ସଚେତନ ହେବା ଉଚିତ । ସେମାନେ ଏଥିପ୍ରତି ଦୃଷ୍ଟି ନିକ୍ଷେପ କରି ସେଗୁଡିକର ବିହିତ ପ୍ରତିକାର କରିବା ସଙ୍ଗେ ସଙ୍ଗେ କର୍ତ୍ତୃପକ୍ଷ ସୁବିଚାର କରି ସମସ୍ୟାଗୁଡିକର ସମାଧାନ କଲେ ଜାତିର ମଙ୍ଗଳ, ସମାଜର ମଙ୍ଗଳ ଏବଂ ଦେଶର ମଧ୍ୟ ମଙ୍ଗଳ । କେବଳ ସେଇମାନଙ୍କ ଦ୍ୱାରା ହିଁ ସମାଜରେ ବା ରାଜ୍ୟରେ
ଯେକୌଣସି ପରିବର୍ତ୍ତନ ହୋଇଥାଏ । ଅତଏବ ଏଥିପାଇଁ ଦେଶର ଯୁବକଯୁବତୀମାନେ ଆଜିଠାରୁ ଜାଗ୍ରତ ହୁଅନ୍ତୁ । କଳା ଓ ସଂସ୍କୃତିରେ ଶ୍ରେଷ୍ଠ ଆସନ ଲାଭ କରିଥିଲା ବୋଲି ଏ ରାଜ୍ୟ ଉତ୍କଳ । ଆଉ କେତେକଙ୍କ ମତରେ ଉତ୍କୃଷ୍ଟ କଳା ପାଇଁ ଉତ୍କଳ ନାମକରଣ ହୋଇଛି । ଯେତେବେଳେ ସାରା ବିଶ୍ୱର ମାନବସମାଜ ଅଜ୍ଞାନ, ଅନୁନ୍ନତ ଥିଲା, ସେତେବେଳେ ଓଡ଼ିଆ ପୁଅ ଜ୍ଞାନ ବିଜ୍ଞାନଠାରୁ ଆରମ୍ଭ କରି ନୌଯାତ୍ରା ଓ ବହିର୍ବାଣିଜ୍ୟ ପର୍ଯ୍ୟାପ୍ତ କରୁଥିଲେ । ସମଗ୍ର ପୃଥିବୀରେ ଦେଶମାନଙ୍କ ମଧ୍ୟରେ ଭାରତ ଶ୍ରେଷ୍ଠ ଏବଂ ଭାରତର ରାଜ୍ୟମାନଙ୍କ ମଧ୍ୟରେ ଉତ୍କଳ ଶ୍ରେଷ୍ଠ ବୋଲି ବର୍ଣ୍ଣିତ । ଆମ ଓଡ଼ିଶା ମାଟିର ଜଗନ୍ନାଥ ଆଜି ସାରା ବିଶ୍ୱବାସୀଙ୍କ ଆରାଧ୍ୟ ଦେବତା । କୋଣାର୍କର କଳା ଭାସ୍କର୍ଯ୍ୟ ପୃଥିବୀରେ ଅଦ୍ୱିତୀୟ । କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜ, କାଳିଦାସ, ଜୟଦେବ, ଫକୀରମୋହନ ଆଦି ପ୍ରସିଦ୍ଧ କବି ବା ଲେଖକଙ୍କ ସମକକ୍ଷ ହୋଇପାରିଛନ୍ତି । ଏହିପରି ଏକ ରାଜ୍ୟ ହେଉଛି ଓଡ଼ିଶା । ଜାତୀୟ ଅଗ୍ରଗତିରେ ଓଡ଼ିଆ ଭାଷା ଓ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଜାତି ତା’ର ଭାଷାକୁ ନେଇ ପରିଚିତ । ଯେଉଁ ଜାତିର ଭାଷା ଯେତେ ଉନ୍ନତ ସେ ଜାତି ସେତେ ଉନ୍ନତ । ସାମାଜିକ ଓ ଅର୍ଥନୈତିକ ସ୍ତରରେ ମଧ୍ୟ ଉନ୍ନତି ପାଇଁ ସମୃଦ୍ଧ ଭାଷା ଲୋଡା । କାରଣ ମଣିଷ ତା’ର ଭାଷାର ଯେତେ ଶବ୍ଦ ଜାଣେ ସେହି ଅନୁଯାୟୀ ତା’ର ଚିନ୍ତାଧାରା ଗତି କରେ । ଭାଷା କେବଳ ହେତୁବାଦୀ ପ୍ରସଙ୍ଗର ପରିବାହକ ନୁହେଁ, ଏହା ଆଭ୍ୟନ୍ତରୀଣ ଅନୁଭୂତିର ବାହ୍ୟପ୍ରକାଶ ମଧ୍ୟ । ଭାଷା ଭାବର ପରିପ୍ରକାଶ ଓ ଚିନ୍ତାର ମାଧ୍ୟମ ହୋଇଥିବାରୁ ମଣିଷ ନୂଆ ନୂଆ ଚିନ୍ତା କରିବା ପାଇଁ ତା’ ପାଖରେ ସେହିଭଳି ନୂଆ ନୂଆ ଶବ୍ଦମାନ ଲୋଡା । ଏହି ପରିପ୍ରେକ୍ଷୀରେ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ କଟକରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀରେ କହିଥିଲେ, ଭାରତରେ ଯଦି ଗୋଟିଏ ଲିପି ଓ ଗୋଟିଏ ଭାଷା ଗୃହୀତ ଓ ପ୍ରଚାରିତ ହୋଇପାରିବ ତେବେ ମୁଁ ଓଡ଼ିଆ ଭାଷାକୁ ତ୍ୟାଗ କରିବା ପାଇଁ ପ୍ରସ୍ତୁତ ଅଛି । କାରଣ ଭାଷା ଓ ସାହିତ୍ୟ ଭିତ୍ତିରେ ଯେକୌଣସି ଜାତିର ରାଷ୍ଟ୍ର ତିଷ୍ଠି ରହିପାରେ ମାତ୍ର ଯେ ପର୍ଯ୍ୟନ୍ତ ଏହା ସମ୍ଭବ ନ ହୋଇଛି ସେ ପର୍ଯ୍ୟନ୍ତ ପ୍ରାନ୍ତୀୟ ଭାଷାଗୁଡିକ ତଥା ବିଛିନ୍ନାଞ୍ଚଳ କଥିତ ଓ ବ୍ୟବହୃତ ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ବିକାଶ ଆମର କର୍ତ୍ତବ୍ୟ । ଭାଷାର ପ୍ରସାର ନହେଲେ ସାହିତ୍ୟର ପ୍ରସାର ଅସମ୍ଭବ ଏବଂ ପାଠକର ସ୍ୱଳ୍ପତାରେ ସଂସ୍କୃତିର ସ୍ରୋତ ମଧ୍ୟ ସଙ୍କୁଚିତ ହୋଇପଡେ । ସାହିତ୍ୟର ଧର୍ମ ହେଲା ସମାଜର ହିତ ସାଧନ କରିବା । ଯେକୌଣସି ବିଷୟକୁ ସାହିତ୍ୟ ମାଧ୍ୟମରେ ପ୍ରକାଶ କରାଯାଇପାରେ । ଓଡ଼ିଆ ଭାଷା ଓ ସାହିତ୍ୟରେ ଉଚ୍ଚଶିକ୍ଷା ପ୍ରବର୍ତ୍ତନ ପାଇଁ ରେଭେନ୍ସା କଲେଜରେ ଓଡ଼ିଆ ଏମ୍. ଏ ଶ୍ରେଣୀ ଖୋଲାଗଲା । ତା’ ପୂର୍ବରୁ କଲିକତା ବିଶ୍ୱବିଦ୍ୟାଳୟରେ ଓଡ଼ିଆରେ ଏମ୍.ଏ ଶ୍ରେଣୀ କିଛି ବର୍ଷ ପାଇଁ ଖୋଲାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ, ବିଶ୍ୱ ଭାରତୀ, ରାଞ୍ଚି, ଦିଲ୍ଲୀ, ଆନ୍ଧ୍ର, ଗୌହାଟି ଆଦି ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସାହିତ୍ୟ ଗବେଷଣା ଏବଂ ଏମ୍.ଏ. ଶିକ୍ଷାଦାନର ବ୍ୟବସ୍ଥା ଅଛି । ଦୀର୍ଘ ସମୟ ଅତିବାହିତ ହେବ। ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏବଂ ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓଡ଼ିଆରେ ଏମ୍.ଏ ଶ୍ରେଣୀ ଖୋଲାଯାଇଥିଲା । କ୍ରମେ ଏଥିରେ ବହୁ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିଆସୁଛନ୍ତି । ଓଡ଼ିଆ ଭାଷା ଓ ସାହିତ୍ୟର ବିରାଟ ମନ୍ଦିର ହଜାର ହଜାର ବର୍ଷ ସଂସ୍କୃତିର ଦୃଢ ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ । ବିଶେଷତଃ ଓଡ଼ିଆ ଶାସ୍ତ୍ରୀୟ ଭାଷା ରୂପେ ସ୍ୱୀକୃତି ଲାଭ କରିବା ପରେ ଓଡ଼ିଆ ଭାଷା ସଂସ୍କୃତିର ସୁରକ୍ଷା ଓ ପ୍ରସାରଣ ପାଇଁ ବିଭିନ୍ନ ମଞ୍ଚରେ ହୋଇଥିବା ଆଲୋଚନା ଓ ପର୍ଯ୍ୟାଲୋଚନାକୁ ସମ୍ମାନ ଦେଇ ରାଜ୍ୟ ସରକାର ଅନେକ ନୂତନ ପଦକ୍ଷେପ ନେଇଛନ୍ତି । ଏଥିପାଇଁ ଗଠିତ ହୋଇଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ । ସରକାରଙ୍କ ଏହା ଏକ ମହତ ପ୍ରଚେଷ୍ଟା । ସ୍ୱତନ୍ତ୍ର ବିଭାଗ ଗଠନ ସହିତ ଏକ ହେରିଟେଜ କ୍ୟାବିନେଟ୍ ଗଠନ ବହୁ ଦୃଷ୍ଟିରୁ ଏକ ସମୟୋପଯୋଗୀ ପଦକ୍ଷେପ । ରାଜ୍ୟର ଭାଷା, ସଂସ୍କୃତି, ସାହିତ୍ୟର ଉପଯୁକ୍ତ ସଂରକ୍ଷଣ ଓ ବିକାଶ ପାଇଁ ହେରିଟେଜ କ୍ୟାବିନେଟ୍ ବିଶେଷଭାବେ ଦୃଷ୍ଟି ଦେବା ଓଡ଼ିଶାର ସମୃଦ୍ଧି ସାଂସ୍କୃତିକ ଇତିହାସ ପରିପ୍ରେକ୍ଷୀରେ ଏକ ଅଭିଭାବ ପରିକଳ୍ପନା । ବିଭିନ୍ନ ସରକାରୀ ପ୍ରତିଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନର କାମଫଳକ ଓଡ଼ିଆରେ ଲେଖାଯିବା ପାଇଁ ନିର୍ଦ୍ଦେଶ ଏବଂ ଏ ନେଇ ଆବଶ୍ୟକୀୟ ଆଇନଗତ ବ୍ୟବସ୍ଥା ଦ୍ୱାରା ଭବିଷ୍ୟତରେ ଏ ଦିଗରେ ସଚେତନତା ସୃଷ୍ଟି ହୋଇପାରିବ ଏବଂ ଓଡ଼ିଆ ଭାଷା ପ୍ରତି ସବୁ ସ୍ତରରେ ଆଗ୍ରହ ପ୍ରକାଶ ପାଇପାରିବ । ପ୍ରତି ପାଞ୍ଚ ବର୍ଷରେ ଥରେ ବିଶ୍ୱ ଓଡ଼ିଆ ସମ୍ମିଳନୀର ଆୟୋଜନର ଲକ୍ଷ୍ୟ ସରକାରଙ୍କ ଏକ ଅଭିନବ ଯୋଜନା । ଓଡ଼ିଆ ଭାଷା ଓ ସାହିତ୍ୟର ଗବେଷଣା ପାଇଁ ଅଧିକ ଆର୍ଥିକ ପ୍ରୋତ୍ସାହନ, ଓଡ଼ିଆ ଭାଷା କମିଶନ ଗଠନ, ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମ ଓ ଉତ୍ସବ ଓଡ଼ିଆରେ ଅନୁଷ୍ଠିତ କରାଇବା, ଏସବୁ ଗୋଟିଏ ଗୋଟିଏ ସ୍ୱାଗତଯୋଗ୍ୟ ପଦକ୍ଷେପ । ପ୍ରଥମ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବିଲ୍ ଗୃହୀତ, ଜିଲ୍ଲା ଓ ରାଜ୍ୟସ୍ତରରେ ପ୍ରତିବର୍ଷ ପୁସ୍ତକ ମେଳାର ଆୟୋଜନ ଓଡିଆ ଭାଷା ଓ ସାହିତ୍ୟରେ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ ଫି’ଛାଡ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଓଡ଼ିଆ ପ୍ରଫେସର ପଦବୀ ସଂଖ୍ୟା ବୃଦ୍ଧି, ଯୁଜିସି ଢାଞ୍ଚାରେ ଓଡ଼ିଆ ଭାଷା ଓ ସାହିତ୍ୟର ଗବେଷଣା ପାଇଁ ପ୍ରୋତ୍ସାହନ, ଶିଶୁ ସାହିତ୍ୟରେ ଗବେଷଣାଭିତ୍ତିକ ରଚନା, ଓଡ଼ିଆ ୱେବସାଇଟ ବ୍ୟବସ୍ଥା, ସବୁ ବିଦ୍ୟାଳୟରେ ପାଠାଗାର ପ୍ରତିଷ୍ଠା ଓ ଅନ୍ୟ ଭାଷାର ସାହିତ୍ୟ ରଚନାକୁ ଓଡ଼ିଆରେ ଅନୁବାଦ, ପ୍ରବାସୀ ଓଡ଼ିଆଙ୍କ ପାଇଁ ଭର୍ଚୁଆଲ୍ ଏକାଡେମୀ ପ୍ରତିଷ୍ଠା ଏବଂ ଗାଁ ଗହଳିରେ ଭାଗବତ ଟୁଙ୍ଗିର ପୁନରୁଦ୍ଧାର ଆଦି ନୂଆ ନୂଆ ପଦକ୍ଷେପ ଅତ୍ୟନ୍ତ ସ୍ୱାଗତଯୋଗ୍ୟ । ଏହାଦ୍ୱାରା ଆମ ଭାଷାର ବିକାଶ ହେବା ସହିତ ସମୃଦ୍ଧ ମଧ୍ୟ ହୋଇପାରିବ ।
ଶ୍ରୀଯୁକ୍ତ ବରଦା ପ୍ରସାଦ ଦାସ,
ଉପ ନିର୍ଦ୍ଦେଶକ,
ସୂଚନା ଓ ଲୋକ ସମ୍ପର୍କ ବିଭାଗ,
ଓଡିଶା ସରକାର ଭୁବନେଶ୍ୱର
ଫୋନ – 9861145687