ଓଡ଼ିଶା ଜନମୋର୍ଚ୍ଚା, ବିଜେଡ଼ି ଓ ବିଜେପିର ଶତାଧିକ କର୍ମୀ କଂଗ୍ରେସରେ ଯୋଗଦେଲେ

ଭୁବନେଶ୍ୱର   (ଆକାଶ ମିଶ୍ର) –  ଓଡ଼ିଶା ଜନମୋର୍ଚ୍ଚାର ପ୍ରାଦେଶିକ କମିଟି, ଜିଲ୍ଲା ସଭାପତି, ବରିଷ୍ଠ ସଂଗଠକ ଓ ଜନମୋର୍ଚ୍ଚା ଦଳ ସଭାପତି ଆଡଭୋକେଟ ଦିବ୍ୟସିଂହ ମିଶ୍ର ଓ ସାଧାରଣ ସଂପାଦକ ପ୍ରଭାକର ନାୟକଙ୍କ ନେତୃତ୍ୱରେ ଭାରତୀୟ ଜାତୀୟ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ସେହିଭଳି ଢ଼େଙ୍କାନାଳ ଜିଲ୍ଲା ପର୍ଜଙ୍ଗ ନିର୍ବାଚନ ମଣ୍ଡଳୀର ବିଜେଡ଼ି ନେତା ରମେଶ ଚନ୍ଦ୍ର ବେହେରାଙ୍କ ସମେତ ବହୁ ବିଜେଡି ଓ ବିଜେପି କର୍ମୀ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ଏହି ଉପଲକ୍ଷେ କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଓଡିଶା ପ୍ରଭାରୀ ଶ୍ରୀ ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ଉପରୋକ୍ତ ଦଳଗୁଡିକର ପ୍ରାୟ ୪୦୦ ରୁ ଉର୍ଦ୍ଧ୍ୱ ନେତୃବୃନ୍ଦ ଓ କର୍ମୀଙ୍କୁ ସ୍ୱାଗତ ଜଣାଇବା ସହ କଂଗ୍ରେସ ଦଳରେ ଗ୍ରହଣ କରିନେଇଥିଲେ। ଶ୍ରୀ ପଟ୍ଟନାୟକ କହିଲେ ଯେ ଆପଣମାନଙ୍କର ଯୋଗଦାନ ତୃଣମୂଳ ସ୍ତରରେ କଂଗ୍ରେସ ଦଳକୁ ଅଧିକ ମଜବୁତ କରିବ। ଶ୍ରୀ ଜିତେନ୍ଦ୍ର ସିଂହ କହିଲେ ଯେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଦୃଢ଼ ନେତୃତ୍ୱକୁ ସମର୍ଥନ ଜଣାଇ ଆପଣମାନେ କଂଗ୍ରେସ ପ୍ରତି ଆସ୍ଥା ପ୍ରକଟ କରି ଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଉଛି। ଶ୍ରୀ ଦିବ୍ୟସିଂହ ମିଶ୍ର, ଶ୍ରୀ ପ୍ରଭାକର ନାୟକ ଏବଂ ଶ୍ରୀ ରମେଶ ଚନ୍ଦ୍ର ବେହେରା ଆଗାମୀ ଦିନରେ ସେମାନଙ୍କର ସମର୍ଥକମାନଙ୍କ ସହ ନିରଞ୍ଜନ ପଟ୍ଟନାୟକଙ୍କ ଅଧିନରେ କାର୍ଯ୍ୟକରିବାକୁ ଘୋଷଣା କରିଥିଲେ। କାର୍ଯ୍ୟକ୍ରମରେ କଂଗ୍ରେସ ପ୍ରଭାରୀ ଶ୍ରୀ ରୁଦ୍ରରାଜୁ, ଭକ୍ତ ଚରଣ ଦାସ ଉପସ୍ଥିତ ଥିବା ବେଳେ କୈଳାସ ଚନ୍ଦ୍ର ବରାଳ ଓ ସୁରେଶ ପାଣିଗ୍ରାହୀ ଏହି ମିଶ୍ରଣ ପର୍ବରେ ସହଯୋଗ କରିଥିଲେ।ଯୋଗଦେଇଥିବା କର୍ମୀମାନେ ହେଲେ ଜନମୋର୍ଚ୍ଚାର ଜିଲ୍ଲା ସଭାପତି ସର୍ବଶ୍ରୀ ରାଜକିଶୋର ପାତ୍ର, ସତ୍ୟବାନ ବେହେରା, ଭାଗବତ ନାୟକ, ବିଜୟ ରାଉତ, ସୁଦିପ୍ତ ମହାନ୍ତି, ରାଜେନ୍ଦ୍ର କୁମାର ଜେନା, ସୁବାଷ ଚନ୍ଦ୍ର ଜେନା, ଚନ୍ଦ୍ର ଜେନା, ନିରଞ୍ଜନ ଜେନା, କ୍ଷେତ୍ରବାସୀ ଜେନା, ବାସନ୍ତୀ ମାଝୀ, ରଂଜିତା ସାମଲ, ପ୍ରମିଳା ସାମଲ, କନକଲତା ସାହୁ, ଅମର ସାମଲ, ଦିବେନ୍ଦୁ ସାହୁ, ବିଷ୍ଣୁ ମଲ୍ଲିକ, ଚନ୍ଦ୍ରମଣି ସେଠୀ, ଜଗନ୍ନାଥ ବାଇ ପ୍ରମୁଖ ବହୁ ଜିଲ୍ଲାର କର୍ମକର୍ତା ଓ ଶତାଧିକ ନେତୃବୃନ୍ଦ। ସେହିଭଳି ପର୍ଜଙ୍ଗ ନିର୍ବାଚନ ମଣ୍ଡଳୀର ସମିତି ସଭ୍ୟ ସୁବାଷ ଚନ୍ଦ୍ର ପ୍ରଧାନ, ସଞ୍ଜୀବ କୁମାର ପାଣି, ବିଭୂତି ଭୂଷଣ ପଣ୍ଡା, ସତ୍ୟାନନ୍ଦ ପାଣି, ପରିକ୍ଷିତ ପଣ୍ଡା, ଫକୀର ମୋହନ ବେହେରା, ଗଦାଧର ଦାସ, ସର୍ବେଶ୍ୱର ପଣ୍ଡା, ଶ୍ରୀକାନ୍ତ ପାଣି, ବାପି ବେହେରା, ଅନନ୍ତ ସାମଲ, ସୁଧା ସାହୁ, ବିଭୁ ସାହୁ ପ୍ରମୁଖ ଶତାଧିକ ନେତୃବୃନ୍ଦ।

ବିଜେଡି ଛାଡ଼ିଲେ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ

ଭୁବନେଶ୍ୱର: ମୟୂରଭଞ୍ଜର ପୂର୍ବତନ ଲୋକସଭା ସାଂସଦ ଲକ୍ଷ୍ମଣ ଟୁଡୁ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି।ସେ ତାଙ୍କର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଥିବା ସୂଚନା ମିଳିଛି।ସେ ଖୁବଶୀଘ୍ର ବିଜେପିରେ ସାମିଲ ହେବାର ସମ୍ଭାବନା ରହିଛି।ମିଳିଥିବା ସୂଚନା ଅନୁସାରେ ୨୦୦୯ରୁ ୧୪ ମସିହା ପର୍ଯ୍ୟନ୍ତ ମୟୂରଭଞ୍ଜର ବିଜେଡି ସାଂସଦ ଥିବା ଶ୍ରୀ ଟୁଡ଼ୁ ୨୦୧୪ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟରୁ ବଂଚିତ ହୋଇଥିଲେ।ସେବେଠୁ ତାଙ୍କୁ ଦଳର ସାଂଗଠନିକ କାର୍ଯ୍ୟରେ ଏକପ୍ରକାର ଅଣଦେଖା କରାଯାଉଥିଲା।ବିଜେଡି ଚଳିତଥର ମୟୂରଭଞ୍ଜରୁ ଡାକ୍ତର ଦେବାଶୀଷ ମାର୍ଣ୍ଡିଙ୍କୁ ପ୍ରାର୍ଥୀ କରିବାକୁ ରଣନୀତି ପ୍ରସ୍ତୁତ କରିଥିବା ଜାଣିବା ପରେ ଶ୍ରୀ ଟୁଡ଼ୁ ଦଳ ଛାଡ଼ିଛନ୍ତି।ଜିଲ୍ଲାରେ ଦଳର ସାଂଗଠନିକ କାର୍ଯ୍ୟରେ ବ୍ୟାପକ ବିଶୃଙ୍ଖଳା ଲାଗି ରହିଛି। ସଂଗଠନ କାର୍ଯ୍ୟ ବୁଝିବା ପାଇଁ ଯେଉଁ ନେତାମାନଙ୍କୁ ଦାୟିତ୍ୱ ଦିଆଯାଇଛି ସେମାନେ ଏକତରଫା ଭାବେ ନିଷ୍ପତ୍ତି ନେଉଥିବାରୁ ଏବେ ବିଜେଡିର ପୁରୁଣା ନେତାମାନେ ନିଜକୁ ଅସହାୟ ମନେ କରି ଦଳ ଛାଡ଼ୁଥିବା ଚର୍ଚ୍ଚା ହେଉଛି। ଟୁଡ଼ୁ ଆଗାମୀ ନିର୍ବାଚନରେ ବିଧାନସଭା ପ୍ରାର୍ଥୀ ହେବାକୁ ଯୋଜନା କରୁଥିବା ଜଣାପଡ଼ିଛି।

କଂଗ୍ରେସ୍ ଛାଡ଼ିଲେ ପଦ୍ମଲୋଚନ ପଣ୍ଡା

ଭୁବନେଶ୍ୱର: କଂଗ୍ରେସ ଛାଡ଼ିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବାଲେଶ୍ୱର ଜିଲ୍ଲା ସିମୁଳିଆର ପୂର୍ବତନ ବିଧାୟକ ପଦ୍ମଲୋଚନ ପଣ୍ଡା। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ବାଲେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।ପଦ୍ମଲୋଚନଙ୍କ ସହିତ ଛାତ୍ର କଂଗ୍ରେସର ସମ୍ପାଦକ ନୀଳମାଧବ ପଣ୍ଡା, ଶୁଭଙ୍କର ମହାପାତ୍ରଙ୍କ ସହ କେତେକ ବ୍ଲକ୍ ସ୍ତରୀୟ ନେତା ବି ଦଳ ଛାଡ଼ିଥିବା ସୂଚନା ମିଳିଛି।ଏହି ଅବସରରେ ଶ୍ରୀ ପଣ୍ଡା କହିଛନ୍ତି, “ଦଳରେ ଗୋଷ୍ଠୀ କନ୍ଦଳ ସାଙ୍ଗକୁ ସମନ୍ୱୟର ଅଭାବ ରହିଛି। କଂଗ୍ରେସ୍‌ ଦଳର ଭବିଷ୍ୟତ ନାହିଁ। ଯେଉଁମାନେ କଂଗ୍ରେସକୁ ବାରମ୍ବାର ହତ୍ୟା କରୁଛନ୍ତି, ସେମାନେ ପିସିସି ସଭାପତିଙ୍କ ଚାରିପଟେ ଘେରିକି ରହିଛନ୍ତି। ସେହି ହତ୍ୟାର ଶିକାର ମୁଁ ହୋଇଛି।”ଅନ୍ୟପଟେ ନିଜର ରାଜନୈତିକ ଭବିଷ୍ୟତ ନେଇ ପଦ୍ମଲୋଚନ ମଙ୍ଗଳବାର ଘୋଷଣା କରିବେ ବୋଲି ସୂଚନା ଦେଇଛନ୍ତି। ଏନେଇ କଂଗ୍ରେସ ଦଳର ପ୍ରତିକ୍ରିୟା ମିଳିପାରି ନାହିଁ।

ପିସିସି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଲେ କୃଷ୍ଣଚନ୍ଦ୍ର ସଗରିଆ

ଭୁବନେଶ୍ୱର ( ଆକାଶ ମିଶ୍ର )- ୨୦୧୯ ନିର୍ବାଚନ ପାଇଁ କଂଗ୍ରେସର ବରିଷ୍ଠ ନେତା ଏକାଠି ହୋଇ ମନ୍ଥନ କରୁଥିବା ବେଳେ ଦଳକୁ ଆଜି ଝଟ୍‌କା ଦେଇଛନ୍ତି କୃଷ୍ଣଚନ୍ଦ୍ର ସଗରିଆ। ପିସିସି ସାଧାରଣ ସମ୍ପାଦକ ପଦରୁ ସଗରିଆ ଇସ୍ତଫା ଦେଇ କଂଗ୍ରେସ ଶିବିରକୁ ହଲ୍‌ଚଲ୍ କରିଛନ୍ତି।ସଗରିଆ ଘଡ଼ିସନ୍ଧି ମୁହୂର୍ତ୍ତରେ ପିସିସି ସାଧାରଣ ସମ୍ପାଦକ ପଦବୀ ଛାଡ଼ିଛନ୍ତି। ଯେଉଁ ସମୟରେ ନିରଞ୍ଜନଙ୍କ ଟିମ୍ ୪୪ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରୁଥିଲେ ସେହି ସମୟରେ ସଗରିଆ ଇସ୍ତଫା ଦେଇଥିବା ଖବର ଆସି କଂଗ୍ରେସ ଭବନରେ ପହଞ୍ଚିଥିଲା।କଂଗ୍ରେସରୁ କନ୍ଦଳ ଦୂର କରି ନିର୍ବାଚନ ଲଢ଼ିବାକୁ ନିରଞ୍ଜନଙ୍କ ଟିମ୍‌ ପ୍ରସ୍ତୁତ ହେଉଥିବା ବେଳେ ସଗରିଆଙ୍କ ଇସ୍ତଫା ସ୍ପଷ୍ଟ କରୁଛି ଯେ ଦଳରେ କିଛି ଭଲ ଚାଲିନି।“ମୁଁ ପିସିସି ସାଧାରଣ ସମ୍ପାଦକ ପଦବୀରୁ ଇସ୍ତଫା ଦେଉଛି। କିନ୍ତୁ କଂଗ୍ରେସ ଛାଡ଼ିନି। ମୁଁ ଏବେ ବି କଂଗ୍ରେସରେ ଅଛି ଏବଂ ରହିବି। କଂଗ୍ରେସ ଟିକେଟରେ ହିଁ ନିର୍ବାଚନ ଲଢ଼ିବି”, କହିଛନ୍ତି କୃଷ୍ଣଚନ୍ଦ୍ର ସଗରିଆ।ସଗରିଆ କଂଗ୍ରେସ ଏସ୍‌ସି ସେଲ୍‌ର ଅଧ୍ୟକ୍ଷ ରହିଥିଲେ। ଗତ ଦୁଇ ଦିନ ତଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିର୍ଦ୍ଦେଶରେ ସଗରିଆଙ୍କୁ ଏସ୍‌ସି ସେଲ୍ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା। ତାଙ୍କ ଜାଗାରେ ଜଗତ୍‌ସିଂହପୁରର ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇଙ୍କୁ ନିଯୁକ୍ତି ଦିଆଯାଇଥିଲା।ସଗରିଆଙ୍କୁ ପିସିସି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଥିଲେ ରାହୁଲ। ନିଯୁକ୍ତିର ଗୋଟିଏ ଦିନ ପରେ ସଗରିଆ ସାଧାରଣ ସମ୍ପାଦକ ପଦ ଛାଡ଼ିଛନ୍ତି। ଏହି ପଦବୀକୁ ନେଇ ସେ ଅସନ୍ତୁଷ୍ଟ ରହିଥିବା ପରୋକ୍ଷରେ ସୂଚାଇ ଦେଇଛନ୍ତି।