
କଟକ (ସମୃଦ୍ଧ ଓଡିଶା) ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀ ଖାଲି ପଡିଥିବା ବେଳେ ବରିଷ୍ଠ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା କାର୍ଯ୍ୟ ନିର୍ବାହୀ ମୁଖ୍ୟ ବିଚାରପତି ରୂପେ କାର୍ଯ୍ୟ କରି ଆସୁଥିଲେ । ବର୍ତ୍ତମାନ ଏହି ପଦବୀ ପୁରଣ ହେବାକୁ ଯାଉଛି । ସୁପ୍ରିମକୋର୍ଟ କଲେଜିୟମ୍ ସଂପ୍ରତି ମେଘାଳୟ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଜଷ୍ଟିସ୍ ମହମ୍ମଦ ରଫିକଙ୍କ ନାମ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ନିମନ୍ତେ ସୁପାରିଶ କରିଥିବା ଜଣାପଡିଛି । ଗତକାଲି ତଥା ୧୮ ତାରିଖରେ ଅନୁଷ୍ଠିତ ସୁପ୍ରିମକୋର୍ଟ କଲେଜିୟମ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ବମ୍ବେ ଏବଂ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ପଦବିରେ ନିଯୁକ୍ତି ଲାଗି ନାମ ସୁପାରିସ କରାଯାଇଛି । ଜଷ୍ଟିସ୍ ମହମ୍ମଦ ରଫିକ୍ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ ହେବା ପୂର୍ବରୁ ରାଜସ୍ଥାନ ହାଇକୋର୍ଟରେ ବରିଷ୍ଠ ବିଚାରପତି ଭାବେ କାର୍ଯ୍ୟ କରିଥିଲେ । ଏହି ସମୟରେ ସେ ଦୁଇ ଦୁଇ ଥର କାର୍ଯ୍ୟକାରୀ ମୁଖ୍ୟବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ୨୦୧୯ ନଭେମ୍ବର ୧୩ରେ ସେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ ନିଯୁକ୍ତ ହୋଇଥିଲେ । କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ ନିଯୁକ୍ତି ପାଇଁ କଲେଜିୟମ ସୁପାରିଶ କରିଥିବା ବେଳେ କଲିକତା ହାଇକୋର୍ଟର ବିଚାରପତି ଆଲାହାବାଦ ହାଇକୋର୍ଟରେ ବିଚାରପତି ରୂପେ କାର୍ଯ୍ୟ କରୁଥିବା ଜଷ୍ଟିସ ବିଶ୍ୱନାଥ ସମାଦାରଙ୍କୁ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ ନିଯୁକ୍ତି ପାଇଁ ସୁପାରିଶ ହୋଇଥିବା ଜଣାପଡିଛି । ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକଙ୍କୁ ବଦଳି କରାଯାଇ ଓଡିଶା ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିଶ କରାଯାଇଛି । ୧୯୮୪ ମସିହାରେ ଜଷ୍ଟିସ ରଫିକ ଆଇନଜୀବୀ ରୂପେ ରାଜସ୍ଥାନ ବାର କାଉନସିଲରେ ନାମ ପଞ୍ଜିକୃତ କରିଥିଲେ । ସେ ରାଜସ୍ଥାନ ବିଶ୍ୱବିଦ୍ୟାଳୟକୁ ଏଲଏଲବି ପାସ କରିଥିଲେ । ସେ ରାଜସ୍ଥାନ ହାଇକୋର୍ଟରେ ଦୁଇ ଥର କାର୍ଯ୍ୟ ନିର୍ବାହୀ ମୁଖ୍ୟ ବିଚାରପତି ରୂପେ ଦାୟିତ୍ୱ ସମ୍ପର୍ଣ୍ଣ କରିଥିଲେ । ନଭେମ୍ୱର ମାସ ୧୩ ତାରିଖ ୨୦୧୯ରେ ସେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ ନିଯୁକ୍ତି ପାଇ କାର୍ଯ୍ୟ କରି ଆସୁଛନ୍ତି ।
ରିପୋର୍ଟ : ଅକ୍ଷୟ ପଟ୍ଟନାୟକ