ଭୁବନେଶ୍ବର(ସମୃଦ୍ଧଓଡିଶା)ସ୍ଥାନିୟ ଜୟଦେବ ଭବନରେ ଓଡ଼ିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟସ୍(ଓୟୁଜେ)ର ୫୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ମୁଖ୍ଯ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ସାମ୍ବାଦିକଙ୍କ ପେନସନ, ସୁରକ୍ଷା ଓ ଅଧିସ୍ବୀକୃତି ଆଦି ଦାବିର ଯଥାର୍ଥତା ରହିଛି, ନିର୍ବାଚନ ପୂର୍ବରୁ ଏସବୁ ଦାବି ପୂରଣ ନେଇ ଦେଇଥିବା ପ୍ରତିଶୃତି ପୁରଣ କରିବା ପାଇ ରାଜ୍ୟ ସରକାରଙ୍କ ସହ ସେ ଆଲୋଚନା କରିବେ ବୋଲି ଘୋଷଣା କରିବା ସହ ଓଡ଼ିଶାରେ ସାମ୍ବାଦିକ ସୁରକ୍ଷା ଅଧିନିୟମ ଆଣିବାକୁ ପରାମର୍ଶ ଦେଇଥିଲେ। ସାମ୍ବାଦିକଙ୍କ ଦାଇତ୍ବ ନେଇ ସଂଘ ପ୍ରଥମେ ନୀତି ନିର୍ଦ୍ଧାରଣ କରୁ ବୋଲି ଶ୍ରୀ ପ୍ରଧାନ ଆହ୍ବାନ ଦେଇଥିଲେ। ଉତ୍ସବରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ କୌଣସି ପରିସ୍ଥିତିରେ ବରଦାସ୍ତ ନାହିଁ ବୋଲି କହିବା ସହ ସାମ୍ବାଦିକଙ୍କ ବିଭିନ୍ନ ଦାବିକୁ ସରକାର ନିଶ୍ଚିତ ଭାବେ ପଦକ୍ଷେପ ନେବେ ବୋଲି ଘୋଷଣା କରିଥିଲେ। ଓୟୁଜେର ସଭାପତି ପ୍ରସନ୍ନ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ଯତମ ଅତିଥି ଭାବେ ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂହ ଓ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଯୋଗଦେଇ ସମାଜ ପ୍ରତି ସାମ୍ବାଦିକଙ୍କ ଦାଇତ୍ବ ଓ ଏହାର ପ୍ରଭାବ ସମ୍ପର୍କରେ ନିଜସ୍ବ ମତ ରଖିଥିଲେ। ଉତ୍ସବରେ ଓୟୁଜେ ଟ୍ରିବୁନାଲ ଅଧ୍ୟକ୍ଷ ଅଶୋକ ନନ୍ଦ ସ୍ବାଗତ ଭାଷଣ ଦେଇଥିବା ବେଳେ ଅକ୍ଷୟ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ସାଧାରଣ ସମ୍ପାଦକ କମ୍ବୁପାଣି ମିଶ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଓ ଉପ ସଭାପତି ରାଜେଶ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ଜିଲ୍ଲାର ନବ ନିର୍ବାଚିତ ସଭାପତି ଓ ସାଧାରଣ ସମ୍ପାଦକ ତଥା ବହୁ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ରିପୋର୍ଟ : ରଜତ ମହାପାତ୍ର