

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି ସରକାର ଉଭୟଙ୍କ ସହିତ କଳିକରିବା ସହିତ କୋଳାକୋଳି ମଧ୍ୟ ହୁଅନ୍ତି । ୨ଟି ଯାକ ସରକାର ଦୁର୍ନିତୀରେ ଲିପ୍ତ ଥିବାରୁ ସେ ସଂପର୍କରେ ଜନସଚେତନତା ଲାଗି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିକଙ୍କ ନିର୍ଦ୍ଦେଶରେ ଜନସଂପର୍କ ଅଭିଯାନ ଆରମ୍ଭ ହୋଇଛି । ଏବଂ ୩ଟି କଳାକୃଷକ ଆଇନ୍କୁ ସରକାର ପ୍ରତ୍ୟହାର କରିନେଇଥିବାରୁ କିଷାନ ବିଜୟ ଦିବସ ପାଳନ କରୁଥିବା ସଂପର୍କରେ ଆୟୋଜିତ ସଭାରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଜଳେଶ୍ୱର ଟାଉନ୍ହଲ ପଡିଆରେ ଆୟୋଜିତ କଂଗ୍ରେସର ଜନଜାଗରଣ ଅଭିଯାନରେ ଜିଲା କଂଗ୍ରେସ ସଭାପତି ସଂଜଚିବ କୁମାର ଗିରି ଅଧ୍ୟକ୍ଷତା କରିଥିଲେ । ଏଥିରେ ଅଖିଳ ଭାରତ ସାଧାରଣ ସଂପାଦକ ତଥା ଓଡିଶା ପ୍ରଭାରୀ ଡ. ଏ ଚେଲ୍ଲା କୁମାର ଯୋଗ ଦେଇ ବିଜେଡି ଓ ବିଜେପି ସରକାରର ବହୁ ଗୋମର ଖୋଲିବା ସହିତ କର୍ମୀମାନଙ୍କୁ ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ରାଜ୍ୟରେ ବିଜେଡି ୨୨ ବର୍ଷର ଶାସନ କାଳରେ ନାରୀ ସଶକ୍ତିକରଣ ନାମରେ ନାରୀ ନିର୍ଯ୍ୟାତନା, ଧର୍ଷଣ, ନାବାଳିକା ନିଖୋଜ, ବେଆଇନ୍ କାର୍ଯ୍ୟ, ମନ୍ତ୍ରୀଙ୍କର ବ୍ୟଭିଚାର ସମ୍ପର୍କରେ କହିଥିଲେ । ରାଜ୍ୟରେ ପ୍ରତିଦିନ ୧୨ଟି ଧର୍ଷଣ, ୧୮ଟି ନାବାଳିକା ନିଖୋଜ, ୬୮ହଜାର ମହିଳା ନିର୍ଯ୍ୟାତନା ମାମଲା ରୁଜୁ ହେଉଛି । ଗାଁଗାଁରେ ମଦଦୋକାନ ଖୋଲା ଯାଉଥିବା ବେଳେ ନିଯୁକ୍ତି ଠପ୍ ହୋଇ ଯାଇଛି । ୧୦କୋଟି ଯୁବକ ଚାକିରୀ ହରାଇଛନ୍ତି । ରାଜ୍ୟରେ ୧୧ହଜାର ଡାକ୍ତରୀ ପଦବି ଥିବା ବେଳେ ୨୮ଶହ ପଦବୀ ଖାଲି ଥିବାରୁ ଜଳେଶ୍ୱରର ବିଭିନ୍ନ ଡାକ୍ତରଖାନାରେ ଡାକ୍ତର ନଥିବା କହିଥିଲେ । ସେହିପରି କୃଷକଙ୍କ ଉପରେ ୩ଟି ନୂଆ କଳାଆଇନ୍ କେନ୍ଦ୍ର ସରକାର ଲଦିଦେବା ସହିତ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଗାଡି ଚପାଇ ୭ଜଣଙ୍କୁ ହତ୍ୟା କରିଥିବା ନଜିର ସଂପର୍କରେ କହିଥିଲେ । ୩୬୫ଦିନ ଧରି ଚାଷୀମାନଙ୍କ ଆନ୍ଦୋଳନ, ରାହୁଲ ଗାନ୍ଧିଙ୍କ ନେତୃତ୍ୱ ଳରେ ସଫଳ ହୋଇଛି । ସେହିପରି କୋଭଡ୍-୧୯ ସଂକ୍ରମଣ ବେଳେ ରାହୁଲଙ୍କ ଉକ୍ତିକୁ କେନ୍ଦ୍ର ସରକାର ମାନିଥିଲେ ଭାରତର ଏଡେବଡ ବିପର୍ଯ୍ୟୟ ହୋଇନଥାନ୍ତି ବୋଲି କହିଥିଲେ । ଉତ୍ତର ବାଲେଶ୍ୱରରେ ଚାଷୀଙ୍କ ସମସ୍ୟା ଉତ୍କଟ ହୋଇଥିବା ବେଳେ ୨୦୦୮ ମସିହାରେ କଂଗ୍ରେସ ଅମଳରେ ସୁବର୍ଣ୍ଣରେଖା ସଂସ୍କାର ସୃଷ୍ଟି ହୋଇଥିଲା । ଏବେ ତାହା ଶୀଳତଭଣ୍ଡାରରେ ପଡି ରହିଛି । ଆସନ୍ତା ଦିନରେ ଚେଲ୍ଲାକୁମାରଙ୍କ ନେତୃତ୍ୱରେ କଂଗ୍ରେସ ପାଲ୍ୟାମେଣ୍ଟରେ ଏହା ଉପସ୍ଥାପନ କରିବ । ସେହିପରି ଦୁର୍ନିତିଖୋର ନେତାଙ୍କ ସଂପର୍କରେ ଜନସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ । ଏହି ସଭାରେ ଅଖିଳ ଭାରତ କଂଗ୍ରେସ ସଂପାଦକ ରୁଦ୍ର ରାଜୁ, ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଜୟଦେବ ଜେନା, ଶରଦ ପଟ୍ଟନାୟକ, ସତ୍ୟପ୍ରକାଶ ନାୟକ, ମହିଳା ସଭାନେତ୍ରୀ ବନ୍ଦିତା ପରିଡା, ଛାତ୍ରକଂଗ୍ରେସ ସଭାପତି ୱାସିର ନବାଜ, ଗତ ନିର୍ବାଚନରେ ସାଂସଦ ଭାବେ ଲଢିଥିବା ନବଜ୍ୟୋତି ପଟ୍ଟନାୟକ, ଭୋଗରାଇରୁ ବିଧାୟକଭାବେ ଲଢିଥିବା ସତ୍ୟଶିବ ଦାସ, ଜଳେଶ୍ୱରରୁ ଲଢିଥିବା ସୁଦର୍ଶନ ଦାସ, ଅର୍ଚ୍ଚନା ନନ୍ଦୀ, ବ୍ଲକ ସଭାପତି ରାଜିବ ପରିଡା ବକ୍ତବ୍ୟ ରଖି ପେଟ୍ରୋଲ ଦ୍ରବ୍ୟର ମୂଲ୍ୟର ଅହେତୁକ ବୃଦ୍ଧି, ଚାଷୀଙ୍କୁ ସୁବିଧାସୁଯୋଗ ମିଳୁନଥିବା, ଜଳନିଷ୍କାସନର ବ୍ୟବସ୍ଥା ନଥିବା ଏବଂ କଂଗ୍ରେସ ଅମଳରେ ବ୍ୟାପକ ବିକାଶ ଘଟିଥିବ ସଂପର୍କରେ ସୂଚନା ଦେଇଥିଲେ । ଆସନ୍ତା ଦିନରେ କଂଗ୍ରେସ ହଜାରେ ଦିନରେ ହଜାରେ କୋଟି ଟଙ୍କା ବ୍ୟୟରେ ୧୦୦୦ଟି ଶିଳ୍ପ କରିବ ବୋଲି କହିଥିଲେ । ଶେଷରେ ଗିରିଜା ଶଂକିର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି ପରିଡା