କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଇସ୍ତଫା ପତ୍ରକୁ ଅଗ୍ରାହ୍ୟ କଲା ସି ଡବ୍ଲୁ ସି ବୈଠକ…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଦେଶରେ କଂଗ୍ରେସର ବିପର୍ଯୟ ପାଇଁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ନିଜକୁ ଦାୟୀକରି ଗତକାଲି ଇସ୍ତଫା ଦେଇଥିଲେ । ଏନେଇ ଆଜି କଂଗ୍ରେସ କାର୍ଯ୍ୟକାରିଣୀ କମିଟି(CWC) ବୈଠକରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଇସ୍ତଫା ପତ୍ରକୁ ଅଗ୍ରାହ୍ୟ କରିଦିଆଯାଇଛି । ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିବା ପରେ ନିଜ ପଦରୁ ଗୁରୁବାର ଦିନ ଇସ୍ତଫା ଦେଇଥିଲେ କଂଗ୍ରେସ ଅଧ୍ୟକ୍ଷ।ଆଜି ଦିଲ୍ଲୀ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ କଂଗ୍ରେସ ଓ୍ୱାର୍କିଂ କମିଟି ବୈଠକ ଚାଲିଛି । ଏହି ବୈଠକର ପ୍ରଥମ ପର୍ଯ୍ୟାୟରେ ରାହୁଲ ଗାନ୍ଧିଙ୍କ ଇସ୍ତଫା ବାବଦରେ ସିଡବ୍ଲ୍ୟସି ସଦସ୍ୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହାପରେ ଇସ୍ତଫା ପତ୍ରକୁ ଗ୍ରହଣ କରାଯାଇ ନଥିବା ଜଣାପଡ଼ିଛି । କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ୨୩ ଜଣ ସଦସ୍ୟଙ୍କ ମଧ୍ୟରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ଯୋଗ ଦେଇଥିବା ଜଣାପଡ଼ିଛି । ହେଲେ ସେ କାହିଁକି ଆସି ନାହାନ୍ତି । ତା’ର କାରଣ କଂଗ୍ରେସ କି ନିଜେ କମଲନାଥ ସ୍ପଷ୍ଟ କରି ନାହାନ୍ତି । ଦିଲ୍ଲୀରେ ଚାଲିଥିବା ଏହି ବୈଠକରେ ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକା ମେଣ୍ଟ ସରକାର ଭାଙ୍ଗିବା ପାଇଁ ବିଜେପି ଚେଷ୍ଟା କରୁଥିବା ଖବର ବାବଦରେ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡ଼ିଛି ଏବଂ ହିନ୍ଦୀ ହାର୍ଟଲ୍ୟାଣ୍ଡରେ କଂଗ୍ରେସ ସରକାର ଥିବା ବେଳେ କିଭଳି ମାତ୍ର ୩ ଜଣ ସାଂସଦ ନିର୍ବାଚିତ ହେଲେ, ସେ ନେଇ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଜବାବ ଦେବେ ବୋଲି ଜଣାପଡ଼ିଛି ।